ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସମ୍ପତ୍ତି ପାଇଁ ମା’ର ତଣ୍ଟି ଚିପିଦେଲା, ଭଉଣୀକୁ ପୋଡ଼ି ମାରିଦେଲା ! ହତ୍ୟାକାରୀ ବାପ-ପୁଅ ଗିରଫ

Published By : Rasmita Pradhan | November 7, 2024 9:42 AM

ସମ୍ବଲପୁର, ୦୭/୧୧ : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦାରେ ମା’ ଓ ଝିଅ ଜୀବନ୍ତ ଦଗ୍ଧ ମାମଲା। ହତ୍ୟାକାରୀ ବାପା ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ସଙ୍କେତ ଦୀକ୍ଷିତଙ୍କୁ ଗିରଫ କଲା ସଦର ଥାନା ପୋଲିସ। ସମ୍ପତ୍ତି ପାଇଁ ନିଜ ଜନ୍ମକଲା ମା’ ଓ ଭଉଣୀକୁ ହତ୍ୟା କରିଥିଲେ ବାପ ପୁଅ। ମା’ ସ୍ନେହଲତାଙ୍କୁ ସ୍ୱାଶରୁଦ୍ଧ କରି ମାରିବା ପରେ ଭଉଣୀ ସୈରେନ୍ଦ୍ରି ଦୀକ୍ଷିତଙ୍କୁ ବାପ ଓ ପୁଅ ପେଟ୍ରୋଲ ଢାଳି ପୋଡି ହତ୍ୟା କରିଥିବା ଜଣାପଡ଼ିଛି। ଗିରଫ ବାପା ଓ ପୁଅଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ। ସମ୍ପତ୍ତି ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସମ୍ବଲପୁର ଅତିରକ୍ତ ଏସପି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ବୁଧବାର ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦାରେ ଏକ ବନ୍ଦ କୋଠରୀରୁ ବୃଦ୍ଧ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨ ବର୍ଷ) ନିଆଁରେ ପୋଡ଼ିଯାଇ ଦଗ୍ଧ ହୋଇଯାଇଥିବା ବେଳେ ମା’ ସ୍ନେହଲତା (୯୮ ବର୍ଷ)ଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ହେଲେ ମା’ ଏବଂ ଭଉଣୀଙ୍କ ମୃତ୍ୟୁକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସୈରେନ୍ଦ୍ରୀଙ୍କ ସାନଭଉଣୀ ଇନ୍ଦ୍ରାଣୀ ପୁରୋହିତ (୬୦ ବର୍ଷ) ଅଭିଯୋଗ କରିଥିଲେ। ସମ୍ପତ୍ତି ଲୋଭରେ ଦୁହିଁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଥିଲେ। ଏଥିରେ ସାନଭାଇ ଜଗନ୍ନାଥ ଦୀକ୍ଷିତଙ୍କ ହାତ ଥିବା ସେ ଏତଲାରେ ଦର୍ଶାଇଥିଲେ। ଇନ୍ଦ୍ରାଣୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଜଗନ୍ନାଥଙ୍କ ସମେତ ପରିବାରର ୩ଜଣ ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ଦୁହେଁ ମିଶି ମା’ ଓ ଭଉଣୀକୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ବାପା ପୁଅଙ୍କୁ ଗିରଫ କରିଛି। 

ପ୍ରକାଶ ଥାଉକି, ହାଟପଦାରେ ଦୁଇ ମହଲା କୋଠାର ଉପର ମହଲାରେ ରହୁଥିଲେ ସୈରେନ୍ଦ୍ରୀ ଓ ମା’ ସ୍ନେହଲତା । ତଳ ଘର ଭଡ଼ାରେ ଲାଗିଛି । ଜଣେ ଯୁବକ ଭଡ଼ାରେ ରହୁଛନ୍ତି । ଗତ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଭଡ଼ାଟିଆ ଯୁବକ ଡ୍ୟୁଟିରୁ ଫେରିବା ବେଳକୁ ଉପର ମହଲାର ରୋଷେଇ ଘରେ ନିଆଁ ଲାଗିଥିବା ଦେଖି ପାଟି କରିଥିଲେ । ପରିବାରର କେହି ନ ଶୁଣିବାରୁ ପାଚେରି କାନ୍ଥ ଚଢ଼ି ଝରକା ପଟେ ଦେଖିଥିଲେ । କେହି ଜଣେ ନିଆଁରେ ଜଳୁଥିବା ଦେଖି ତୁରନ୍ତ ପୁଲିସ୍‌କୁ ସୂଚନା ଦେଇଥିଲେ । ସୂଚନା ପାଇ ଏସ୍‌ଡିପିଓ ତୋଫାନ ବାଗ, ସଦର ଥାନାଧିକାରୀ ସାବିତ୍ରୀ ବଳ ପ୍ରମୁଖ ପହଞ୍ଚିଥିଲେ। ରୋଷେଇ ଘର କବାଟ ଭିତର ପଟୁ ବନ୍ଦ ଥିଲା । ଏକ ଗଳା ବାଟ ଦେଇ ପୁଲିସ୍‌ ଟିମ୍‌ ଘରେ ପଶିଥିଲା । ସେତେବେଳେକୁ ଗ୍ୟାସ୍‌ ଅନ୍‌ ଥାଇ ଚୁଲା ଜଳୁଥିଲା । ସୈରେନ୍ଦ୍ରୀ ମଧ୍ୟ ହୁତୁହୁତୁ ହୋଇ ଜଳୁଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସୈରେନ୍ଦ୍ରୀ ଦଗ୍ଧ ହୋଇଯାଇଥିଲେ । ରୋଷେଇ ଘରର ଫ୍ରିଜ୍‌, ବାସନକୁସନ କିନ୍ତୁ ସୁରକ୍ଷିତ ଥିଲା । ରୋଷେଇ ଘରର ମୁଖ୍ୟ ଦ୍ୱାର ଖୋଲି ପୁଲିସ୍‌ ଶୋଇବା ଘରେ ପହଞ୍ଚିଥିଲା । ସେତେବେଳକୁ ସ୍ନେହଲତାଙ୍କର ମୃତ୍ୟୁ ହୋଇସାରିଥିଲା ।

ବୁଧବାର ପୂର୍ବାହ୍ନରେ ଡିଏସ୍‌ପି ଅଶ୍ୱିନୀ ମିଶ୍ର, ଏସ୍‌ଡିପିଓ ତୋଫାନ ବାଗ୍‌, ଆଇଆଇସି ସାବିତ୍ରୀ ବଳ, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ । ମଧ୍ୟାହ୍ନରେ ଦୁଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ପୁଅ ଜଗନ୍ନାଥ ଥାନାରେ ଅଭିଯୋଗ କରିଥିଲେ ଯେ, ଗ୍ୟାସ ଚୁଲାରୁ ନିଆଁ ଲାଗି ବଡ଼ ଭଉଣୀ ସୈରେନ୍ଦ୍ରୀଙ୍କ ମୃତ୍ୟୁ ଘଟିଛି । ସଂଯୋଗବଶତଃ ଶଯ୍ୟାଶାୟୀ ମା’ ସ୍ନେହଲତାଙ୍କ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ଭଉଣୀ ଇନ୍ଦ୍ରାଣୀ କହିଥିଲେ ଯେ, ସେମାନେ ଚାରି ଭଉଣୀ ଓ ଜଣେ ଭାଇ । ଇତି ମଧ୍ୟରେ ଦୁଇ ଭଉଣୀ ଓ ବାପା ବିହାରୀ ଦୀକ୍ଷିତଙ୍କ ମୃତ୍ୟୁ ଘଟିଛି । ସର୍ଗିପାଲି ଗାଁରେ ପରିବାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି । ଜୀବିତାବସ୍ଥାରେ ବାପା ହାଟପଦାସ୍ଥିତ ଦୁଇ ମହଲା ଘରକୁ ଅବିବାହିତା ସୈରେନ୍ଦ୍ରୀଙ୍କ ନାମରେ କରିଦେଇଥିଲେ । ପ୍ରାୟ ତିରିଶ ବର୍ଷ ହେଲା ଭାଇ ଜଗନ୍ନାଥଙ୍କ ସହ ସମ୍ପତ୍ତିଗତ ବିବାଦ ଲାଗିରହିଛି । ଜଗନ୍ନାଥ ବିଭିନ୍ନ ସମୟରେ ମା’ ଓ ଭଉଣୀଙ୍କ ସହ ଝଗଡ଼ା ଲାଗୁଥିଲେ । ଅଶାଳୀନ ବ୍ୟବହାର କରୁଥିଲେ । ସମ୍ପତ୍ତି ଲୋଭରେ ଭାଇ ଜଗନ୍ନାଥ ମା’ ଓ ଭଉଣୀଙ୍କୁ ମାରିଦେଇଥିବା ସେ ଅଭିଯୋଗ କରିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.