ବୁର୍ଲା,୦୪/୦୮: ‘ଆଜି ମିଟିଂ ହେବ  ଠିକ୍‌ ରାତି ୧୦ଟା ୧୫ ମିନିଟରେ । ସବୁ  କନିଷ୍ଠ ଓ ବରିଷ୍ଠ ଉପସ୍ଥିତ ରହିବ ।  ଆଉ ଯେଉଁ କନିଷ୍ଠ ଉପସ୍ଥିତ ନ ରହିବ  ତାକୁ ତା’ କୋଠରିରୁ ଘୋଷାଡ଼ି ଆଣିବି ।  ଭଲରେ କହିଦେଉଛି । ଯେତେ ଯାହାର  ଅସୁବିଧା ଥିଲେ ବି ସମସ୍ତ ଜୁନିୟର ଉପସ୍ଥିତ ରହିବାକୁ ବାଧ୍ୟ । ଆଉ  ସିନିୟର ବି ଆସିବେ । ସବୁ ଅସୁବିଧା କହିବେ’ । ସମ୍ବଲପୁର ବିଶ୍ୱବିଦ୍ୟାଳୟର  ବ୍ରାହ୍ମଣୀ ଛାତ୍ରୀ ନିବାସର ହ୍ୱାଟସଆପ୍‌  ଗ୍ରୁପ୍‌ରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର  ଛାତ୍ରୀ । ପୂର୍ବରୁ ଜୁନିୟର ଛାତ୍ରୀଙ୍କୁ ର‌୍ୟାଗିଂ ଘଟଣାର ସମାଧାନ କରିବା ଆଳରେ  ଶନିବାର ରାତିରେ ଡାକି ପୁଣି ର‌୍ୟାଗିଂ  କରାଯାଇଥିବା ଅଭିଯୋଗ ହୋଇଛି ।  

ବ୍ରାହ୍ମଣୀ ଛାତ୍ରୀ ନିବାସରେ ରହୁଥିବା  ସମସ୍ତ କନିଷ୍ଠ ଓ ବରିଷ୍ଠ ଛାତ୍ରୀଙ୍କୁ ନେଇ  ବ୍ରାହ୍ମଣୀ ଲେଡିଜ୍‌ ହଷ୍ଟେଲ ନାମରେ ଏକ  ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଖୋଲା ହୋଇଛି । ଶନିବାର ସନ୍ଧ୍ୟା ୬.୫୧ରେ ଏହି ଗ୍ରୁପରେ  ଧମକପୂର୍ଣ୍ଣ ମେସେଜ କରିଥିଲେ ଜଣେ  ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରୀ।  ରାତିଅଧରେ ସମସ୍ତ କନିଷ୍ଠ ଛାତ୍ରୀଙ୍କୁ  ନେଇ ବୈଠକ ବସିଥିଲା । ବୈଠକ  ପୂର୍ବରୁ ସମସ୍ତଙ୍କର ମୋବାଇଲ୍‌ ଛଡ଼ାଇ  ନେଇଥିଲେ । ଯେଭଳି କୌଣସି  ରେକର୍ଡିଂ ହୋଇପାରିବ ନାହିଁ  ସେନେଇ ଆଗୁଆ ଯୋଜନା ହୋଇଥିଲା ।  ଏହାପରେ ଆରମ୍ଭ ହୋଇଥିଲା  ମାନସିକ ନିର୍ଯାତନା । କନିଷ୍ଠ ଛାତ୍ରୀଙ୍କୁ  ବିଭିନ୍ନ ଆଳରେ ଭୟଭୀତ କରାଇ  ମାନସିକ ନିର୍ଯାତନା ଦିଆଯାଇଥିଲା ।  ଧମକପୂର୍ଣ୍ଣ ମେସେଜର ସ୍କ୍ରିନ୍‌ସଟ୍‌ ଭାଇରାଲ୍‌ ହେବା ପରେ ଏହାକୁ ନେଇ  ଆଲୋଡ଼ନ ସୃଷ୍ଟି ହୋଇଛି ।

 ଏନେଇ  ହଷ୍ଟେଲ୍‌ ୱାର୍ଡେନ୍‌ ପ୍ରଫେସର୍‌ ଏନ୍‌. କେ. ସେଠୀ କହିଛନ୍ତି, ସୋମବାର  ଛାତ୍ରୀ ନିବାସ ଯାଇ ତଦନ୍ତ କରିବେ ।  ଆବଶ୍ୟକ ପଡ଼ିଲେ ଘଟଣାକୁ ଆଣ୍ଟି  ର‌୍ୟାଗିଂ ସେଲ୍‌କୁ ହସ୍ତାନ୍ତର କରାଯିବ । ଦୋଷୀସାବ୍ୟସ୍ତ ହେଲେ ସମ୍ପୃକ୍ତ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।