ଆନନ୍ଦପୁର,୧୯/୧୦: ନଦୀ କୂଳରେ ହିଁ କେଉଁ କାଳରୁ ଜନବସତି ହୋଇଆସିଛି । ନଦୀ ମରିଗଲେ ସଭ୍ୟତା ଆପେ ଆପେ ମରିଯାଏ। ନଦୀକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ନଦୀର ବାଲି ହିଁ  ନଦୀର ଜୀବନ । ବାଲି ସରିଗଲେ ନଦୀ ଆପଣ ଛାଏଁ ମୃତ୍ୟୁ ମୁଖରେ ପଡ଼େ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି।

ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ରବିବାର ଆନନ୍ଦପୁର ରାଜଘାଟ ଠାରେ ବୈତରଣୀ ନଦୀରେ ବାଲି ସତ୍ୟାଗ୍ରହ ହୋଇଥିଲା। ଏଥିରେ ସେ ଏହି ମତ ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରେ ବିଶେଷକରି ଆନନ୍ଦପୁର ଉପଖଣ୍ଡର ବାଲି ଲୁଟ୍ ବେଧଡକ ଭାବେ ଚାଲିଛି । ପ୍ରଶାସନ ଏଥିରେ ଅଙ୍କୁଶ ଲଗାଇବାରେ ଆଦୌ ଇଚ୍ଛା ପ୍ରକାଶ କରୁଥିବା ଜଣାପଡୁନାହିଁ । ବୈତରଣୀ ତଥା ଅନ୍ୟ ନଦୀ ଓ ନାଳର ସୁରକ୍ଷା ପାଇଁ ବାଲି ସତ୍ୟାଗ୍ରହ ହୋଇଛି ।