ଫିରିଙ୍ଗିଆ, ୫/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେଉ କି ଆବାସ ଗୃହ ନିର୍ମାଣ ପାଇଁ ଅତି ଆବଶ୍ୟକୀୟ ବାଲି ମିଳୁନଥିବାରୁ ଆବାସ ଗୃହ ହିତାଧିକାରୀଙ୍କ ସହ ସ୍ଥାନୀୟ ଠିକାଦାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ବିଗତ ୧୫ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଫିରିଙ୍ଗିଆ ବ୍ଲକକୁ ପ୍ରଶାସନିକ ସ୍ତରରେ ବାଲି ଡିପୋ କରି ଉଚିତ ମୂଲ୍ୟରେ ବାଲି ଯୋଗାଇବାକୁ ଅଞ୍ଚଳବାସୀଙ୍କ ତରଫରୁ ବ୍ଲକ ପ୍ରଶାସନ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ l ଫିରିଙ୍ଗିଆ ବ୍ଲକରେ ଗୃହ ନିର୍ମାଣ ହେଉ କି ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ସମସ୍ତେ ଫୁଲବାଣୀ ବ୍ଲକ ବିଶିପଡା ନିକଟସ୍ଥ ସାଲୁଙ୍କି ନଦୀର ବାଲି ଉପରେ ନିର୍ଭର କରୁଥିବାବେଳେ ଏହି ବାଲିରୁ ସମସ୍ତ ସରକାରୀ ହେଉ କି ବେସରକାରୀ ଉନ୍ନୟନ କାର୍ଯ୍ୟ ହୋଇଥାଏ l
ଗତ ଦଶ ବର୍ଷ ହେବ ପ୍ରଶାସନିକ ସ୍ତରରେ ବିଶିପଡାସ୍ଥିତ ସାଲୁଙ୍କି ନଦୀର ବାଲିକୁ କଟକଣା ଲାଗୁ କରିବା ସହ ବାଲି ଘାଟ ନିଲାମ କରି ଜନସାଧାରଣଙ୍କୁ ଉଚିତ ମୂଲ୍ୟରେ ବାଲି ଯୋଗାଇବା ପରିବର୍ତ୍ତେ ବହୁ କଟକଣା କରିବାରୁ ବାଲି ନ ପାଇ ନାହିଁ ନ ଥିବା ଅସୁବିଧା ସହ ପଡ଼ୋଶୀ ଜିଲ୍ଲା ବୌଦ୍ଧର ମହାନଦୀ ବାଲି ଅଧିକ ଦାମରେ ଆଣୁ ଥିବାରୁ ଲୋକେ ଆର୍ଥିକ କ୍ଷତି ସହିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅସୁବିଧା ଦୃଷ୍ଟିରୁ ଅଞ୍ଚଳର ଲୋକେ ବାଲି ନ ପାଇ ସାଧାରଣ ଭାବେ ଟ୍ରାକ୍ଟର ଦ୍ୱାରା ବିଶିପଡ଼ା ବାଲି ଆଣିଲେ ପ୍ରଶାସନିକସ୍ତରରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ସହ ଗାଡ଼ି ମଧ୍ୟ ବେଆଇନ ବାଲି ଚାଲାଣ ନାମରେ ଜବତ କରୁଥିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି l
ଫିରିଙ୍ଗିଆ ଅଞ୍ଚଳର କିଛି ବୁଦ୍ଧିଜୀବୀ ପ୍ରଶାସନ ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହ ସରକାର କେବଳ ଟିକସ ଆଦାୟରେ ବ୍ୟସ୍ତ ଥିବାବେଳେ ଲୋକଙ୍କୁ ଅସୁବିଧା ଦୃଷ୍ଟିରୁ ବାଲି ଘାଟ ନିଲାମ କରିବା ପରିବର୍ତ୍ତେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି l ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ବାଲିକୁ ନେଇ ପ୍ରଶାସନିକ ସ୍ତରରେ ରାଜନୀତି କରଣ କରା ନ ଯାଇ କିଭଳି ଜନସାଧାରଣଙ୍କ ପାଇଁ ଉଚିତ ଦରରେ ବାଲି ମିଳିପାରିବ ସେ ଉପରେ ପ୍ରଶାସନ ଗୁରୁତ୍ବ ଦେବାକୁ ବୁଦ୍ଧିଜୀବୀ ଓ ସମାଜସେବୀ ଦାବି କରିଛନ୍ତି l ପ୍ରଶାସନିକସ୍ତରରେ ଏହି ବାଲି ଅସୁବିଧାକୁ ଗୁରୁତ୍ୱ ଦେଇ କିଭଳି ଭାବେ ଫିରିଙ୍ଗିଆ ବ୍ଲକରେ ବାଲି ମିଳିପାରିବ ତାହା ଉପରେ ଗୁରୁତ୍ୱ ଦେଇ ବାଲି ଯୋଗାଇବାକୁ ଦାବି ହେଉଛି l ଆଗାମୀ ଦିନରେ ଫିରିଙ୍ଗିଆ ବ୍ଲକକୁ ବାଲି ନ ମିଳିଲେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ସାଧାରଣ ଜନତା ଆନ୍ଦୋଳନ କରିବେ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଶାସନର ଉଦାସୀନତା ଓ ଫିରିଙ୍ଗିଆ ଅଞ୍ଚଳକୁ ବିଶିପଡ଼ା ସାଲୁଙ୍କି ନଦୀରୁ ବାଲି ଯୋଗାଇବାକୁ ଲିଖିତ ଦାବି ଉପସ୍ଥାପନା କରିବେ ବୋଲି ବୁଦ୍ଧିଜୀବୀ, ସମାଜସେବୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି l