ମୁମ୍ବାଇ, ୮।୪: ମଧ୍ୟବିତ୍ତ ଓ ସାଧାରଣ ଖାଉଟିଙ୍କ ପାଇଁ ଆଶ୍ବସ୍ତିକର ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ପ୍ରଥମ ମୌଦ୍ରିକ ନୀତି ସମୀକ୍ଷା ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆପଣଙ୍କ ହୋମ୍ ଲୋନ୍, କାର୍ ଲୋନ୍ କିମ୍ବା ଅନ୍ୟାନ୍ୟ ଋଣର EMI ବଢ଼ିବ ନାହିଁ । ଗତ ସୋମବାରଠାରୁ ଚାଲିଥିବା ତିନି ଦିନିଆ ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଆଜି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ରେପୋ ରେଟ୍‌କୁ ୫.୨୫% ରେ ସ୍ଥିର ରଖିବାକୁ ସମ୍ମତି ପ୍ରକାଶ କରିଛନ୍ତି । ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ମଜବୁତ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ... ପ୍ରବାସୀ ଶ୍ରମିକଙ୍କୁ ସହଜରେ ମିଳିବ ଛୋଟ ସିଲିଣ୍ଡର,ରାଜ୍ୟଗୁଡ଼ିକର କୋଟାକୁ ଦୁଇଗୁଣା କଲା କେନ୍ଦ୍ର

୨ ବର୍ଷରେ ୧୨୫ ବେସିସ୍ ପଏଣ୍ଟ ହ୍ରାସ:

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦୨୪ ପରଠାରୁ ଆରବିଆଇ ସୁଧ ହାରରେ ମୋଟ୍ ୧୨୫ ବେସିସ୍ ପଏଣ୍ଟ ହ୍ରାସ କରିସାରିଛି । ଶେଷଥର ପାଇଁ ଡିସେମ୍ବର ୨୦୨୫ରେ ସୁଧ ହାର କମାଯାଇଥିଲା । ଏବେ ପୁଣିଥରେ ଦର ସ୍ଥିର ରହିବା ଦ୍ୱାରା ବଜାରରେ ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ ଅନୁମାନ କରୁଛନ୍ତି ।

ମୁଦ୍ରାସ୍ଫୀତି ଓ ଜିଡିପି ପୂର୍ବାନୁମାନ:

ମୁଦ୍ରାସ୍ଫୀତି ଲକ୍ଷ୍ୟ: ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ହାରାହାରି ମୁଦ୍ରାସ୍ଫୀତି ୪.୬% ରହିବା ନେଇ ଆକଳନ କରାଯାଇଛି । ଖାଦ୍ୟ ପଦାର୍ଥର ଦର କିଛି ମାତ୍ରାରେ ବଢ଼ିଥିଲେ ମଧ୍ୟ ସାମଗ୍ରିକ ଭାବେ ଏହା ନିୟନ୍ତ୍ରଣରେ ରହିଛି ।

GDP ଅଭିବୃଦ୍ଧିରେ ସଂଶୋଧନ: ବିଶ୍ୱ ସ୍ତରରେ ଜାରି ରହିଥିବା ଭୂ-ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି RBI ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ସାମାନ୍ୟ କମାଇଛି । ପୂର୍ବରୁ ଏହା ୭.୬% ରହିବ ବୋଲି କୁହାଯାଇଥିବା ବେଳେ, ଏବେ ଏହାକୁ ୭.୩% କୁ ସଂଶୋଧିତ କରାଯାଇଛି।

ମଧ୍ୟପ୍ରାଚ୍ୟ ଟେନସନକୁ ନେଇ ଚିନ୍ତା:

ବୈଠକରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଯୁଦ୍ଧ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ଗଭର୍ଣ୍ଣର ଶ୍ରୀ ମଲ କହିଛନ୍ତି ଯେ, ଯଦି ଏହି ସଂଘର୍ଷ ଦୀର୍ଘସ୍ଥାୟୀ ହୁଏ, ତେବେ ଏହାର ପ୍ରଭାବ ଅଶୋଧିତ ତୈଳର ଯୋଗାଣ ଚେନ୍ ଉପରେ ପଡ଼ିପାରେ । ଏହାଦ୍ୱାରା ଆଗାମୀ ଦିନରେ ମହଙ୍ଗା ମାଡ଼ ବଢ଼ିବା ସହ ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ତେବେ ବର୍ତ୍ତମାନ ପାଇଁ ହୋମ୍ ଲୋନ୍ କିସ୍ତି ନ ବଢ଼ିବା ଖବର କୋଟି କୋଟି ଋଣଗ୍ରହିତାଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି ।