ନୂଆଦିଲ୍ଲୀ,୨୭।୫: ‘ଅପରେସନ୍ ସିନ୍ଦୂର’ କୁ ନେଇ ବିରୋଧି ମେଣ୍ଟ ଇଣ୍ଡିଆର ସହଯୋଗୀ ଶିବସେନା ସାଂସଦ ସଞ୍ଜୟ ରାଉତ ଦେଇଛନ୍ତି ବଡ଼ ଟିପ୍ପଣୀ। ସେ ପାକିସ୍ତାନରେ ଆତଙ୍କବାଦ ବିରୋଧରେ ସେନାର ‘ଅପରେସନ୍ ସିନ୍ଦୂର’ କୁ ‘ଫେଲ୍ ଅପରେସନ୍’ ବୋଲି କହିଛନ୍ତି। ଏହା ସହ ସେ ପୁଣିଥରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ।
ମଙ୍ଗଳବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରାଉତ କହିଛନ୍ତି, ଦେଖନ୍ତୁ ମୁଁ କହିଥିଲି ପୂର୍ବରୁ ମଧ୍ୟ ‘ଅପରେସନ୍ ସିନ୍ଦୂର’ ଅସଫଳ ଅପରେସନ୍, କିନ୍ତୁ ଦେଶର ହିତରେ ଆମେ ବିରୋଧି ଦଳ ନେତା ଅଧିକ ତା ଉପରେ ଆଲୋଚନା କରିପାରିବୁନି। ‘ଅପରେସନ୍ ସିନ୍ଦୂର’ କରିବା ଦରକାର କ’ଣ ଥିଲା ? ଏଥିପାଇଁ ଯେ ପହଲଗାମ୍ରେ ୨୬ ଲୋକଙ୍କର ହତ୍ୟା ଆତଙ୍କବାଦୀମାନେ କରିଥିଲେ। ଏଥିପାଇଁ ଦେଶର ଗୃହମନ୍ତ୍ରୀ ଅମିତ ଶାହ ଦାୟୀ।’
‘ଅପରେସନ୍ ସିନ୍ଦୂର’ କୁ ଅସଫଳ ବୋଲି କହିଥିବାରୁ ଏବେ ସଞ୍ଜୟ ରାଉତଙ୍କୁ ବିଜେପି ସମାଲୋଚନା କରିଛି। ମହାରାଷ୍ଟ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଯୋଗେଶ କଦମ କହିଛନ୍ତି, ଏଭଳି ମିଛ କଥା କହିବା ଦେଶର ଅପମାନ। ଆମ ଦେଶର ଯବାନ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ୍ଡାକୁ ନଷ୍ଟ କରିଛନ୍ତି। ଆଜି ପର୍ଯ୍ୟନ୍ତ ପାକିସ୍ତାନରେ କେହି ଏଭଳି କରିନଥିଲେ। ପୁରା ଦୁନିଆ ଜାଣିଛି ପାକିସ୍ତାନ ଆତଙ୍କବାଦର ହବ୍। ଯଦି ଆପଣ ସମର୍ଥନ କରିପାରୁ ନାହାନ୍ତି ତେବେ ଅତି କମ୍ରେ ଚୁପ୍ ରୁହନ୍ତୁ। ଏଭଳି ମାନସିକତା ପଚାସଢା ମସ୍ତିଷ୍କରୁ ହିଁ ଏଭଳି ବୁଦ୍ଧିରୁ ବାହାରିଥାଏ।