ଭୁବନେଶ୍ୱର, ୧/୧୨ (ନଳିନୀ କୁମାର ରାଉତ) : ଶତାୟୁ ବୟସରେ ମଧ୍ୟ ସନ୍ନ୍ୟାସୀ ବେହେରାଙ୍କ ଟାଙ୍ଗିଆ ଥକିପଡ଼ିନି। ରାଜଧାନୀରେ ୮୦ ବର୍ଷରୁ ଅଧିକ ସମୟ ଧରି କାଠଗୋଲାରେ କାଠ କାଟି ଚାଲିଛନ୍ତି । ଏବେ ବି ସେ ଓଳିଏ ଖିଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଅଭାବ ଅନାଟନ ସତେ ଯେପରି ତାଙ୍କର ବନ୍ଧୁ ପାଲଟିଛି । ଆଖିକୁ ଠିକ୍ରେ ଦେଖା ଯାଉନି, ଭଲରେ ଶୁଣାଯାଉନି । ଅଣ୍ଟା ନଇଁ ଗଲାଣି ଆଉ ହାତ ବି ଥରୁଛି । ଚମ ଧୁଡୁଧୁଡୁ ହୋଇଗଲାଣି । ତଥାପି ସେ ବୟସ ଆଗରେ ହାରି ନାହାନ୍ତି । ୫କିଲୋ ହାତୁଡ଼ି ସହିତ ୩ କିଲୋ ଓଜନ ଟାଙ୍ଗିଆକୁ ସାଥୀ କରି ଚାଲିଛନ୍ତି । ସମସ୍ତେ ତାଙ୍କୁ ସ୍ନେହରେ ଡାକନ୍ତି ସନ୍ନ୍ୟାସୀ ମଉସା ।
ସନ୍ନ୍ୟାସୀ ମାତ୍ର ୧୬ ବର୍ଷ ବୟସରେ ଫୁଲବାଣୀ ଫିରିଙ୍ଗିଆ କେଳାପଡାରୁ ପେଟ ପାଟଣା ପାଇଁ ରାଜଧାନୀକୁ ଚାଲି ଆସିଥିଲେ । ରାଜଧାନୀରେ ଯେତେବେଳେ କାହାର ଗଛ କଟା ବା ରୋଷେଇ ପାଇଁ କାଠ ଦରକାର ହୁଏ, ଖୋଜା ପଡ଼ନ୍ତି ସନ୍ୟାସୀ ମଉସା । ଲୋକେ ଖୋଜି ଖୋଜି ସନ୍ନ୍ୟାସୀ ମଉସାଙ୍କ ପାଖରେ ପହଞ୍ଚିଛନ୍ତି । ସେତେବେଳେ ରାଜଧାନୀରେ ୯୯ଟି କାଠଗୋଲା ଥିଲା । ପ୍ରାୟତଃ ସବୁ କାଠ ଗୋଲାରେ ବୁଲି ବୁଲି କାମ କରୁଥିଲେ । ୭୦ ବର୍ଷ ତଳେ ରାଜଧାନୀରେ ଲୋକଙ୍କ ପାଖରେ ରୋଷେଇ କରିବାର ଏକମାତ୍ର ସାଧନା ଥିଲା କାଠ । ରନ୍ଧନ ଗ୍ୟାସ୍ ବ୍ୟବାହାର ନଥିଲା । ଆଉ ସବୁ ସ୍ଥାନରେ ବିଜୁଳି ବି ନଥିଲା । କୋଇଲା କାଁ ଭାଁ ସ୍ଥାନରେ ବ୍ୟବହାର କରାଯାଉଥିଲା । ସେ ସରକାରୀ ଚାକିରିଆ ହୁଅନ୍ତୁ ବା ବ୍ୟବସାୟୀ । କାଠ ପାଇଁ ସମସ୍ତେ ସନ୍ନ୍ୟାସୀଙ୍କ ପାଖରେ ଠିଆ ହୁଅନ୍ତି ।
ସନ୍ନ୍ୟାନୀ କୁହନ୍ତି, ସେତେବେଳେ ମୁଁ ମଜୁରି ବାବଦକୁ ‘ନଅ ସୁଉକା’ ବା ୨ଟଙ୍କା ୨୫ ପାଇସା ମଜୁରି ପାଉଥିଲି । ସେତେବେଳେ ଦୈନିକ ୧୫ରୁ ୨୦ କ୍ୱୁଣ୍ଟାଲ କାଠ ଚିରୁଥିଲି । ବର୍ତ୍ତମାନ ୪ରୁ୬ କ୍ୱୁଣ୍ଟାଲ କାଠ ଚିରି ପାରୁଛି । ବର୍ତ୍ତମାନ ଦୈନିକ ୬୦୦ ଟଙ୍କା ମଜୁରୀ ପାଉଛି । ଦୀର୍ଘ ୬୫ ବର୍ଷ ହେଲାଣି ୟୁନିଟ୍-୭ ବାବୁ କାଠଗୋଲାରେ କାଠ ଚିରୁଛି । ମୁଠେ ଖାଇବା ପାଇଁ ଏବେ ବି ହାଡଭଙ୍ଗା ପରିଶ୍ରମ କରୁଛି । ଏକ ମାତ୍ର ପୁଅ ମାନସିକ ବିକାରଗ୍ରସ୍ତ ହୋଇ କେଉଁ ଆଡ଼େ ଚାଲି ଯାଇଛି । ନାତୁଣୀ ସାନ୍ଧ୍ୟାରାଣୀ ମୋର ସବୁ କିଛି । ମୋ ମାଆ ପରି ସେବା କରିବା ସହିତ ସମସ୍ତ କଥା ବୁଝୁଛି । ସରକାରଙ୍କ ପକ୍ଷରୁ ଭତ୍ତା ପାଉଛି । ହେଲେ ସେଥିରେ ଚଳି ହେଉନି ।