ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ତଥା ଚାମ୍ପିୟନ୍ସ ଟ୍ରଫିରେ ଦଳକୁ ଟ୍ରଫି ଜିତାଇଥିବା ଅଧିନାୟକ ସର୍ଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଘୋଷଣା କରିଛନ୍ତି ଅବସର । ଦୁଇ ଦଶନ୍ଧି ଧରି ସେ ପାକିସ୍ତାନ ପକ୍ଷରୁ ଖେଳି ଆସୁଥିଲେ । ଧଳା ବଲରେ ପାକିସ୍ତାନ କ୍ରିକେଟ ପାଇଁ ତାଙ୍କର ଅବଦାନ ସ୍ମରଣୀୟ । କରାଚିରେ ଜନ୍ମିତ ସର୍ଫରାଜ ଭାରତ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ । ଜୟପୁରରେ ଖେଳାଯାଇଥିବା ଦିନିକିଆରେ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ ।

୨୦୦୭ ମସିହାରେ ଡେବ୍ୟୁ କରିଥିବା ସର୍ଫରାଜ ନିଜର କ୍ୟାରିୟରରେ ୫୪ ଟେଷ୍ଟ, ୧୧୭ ଦିନିକିଆ ଏବଂ ୬୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ୬ ହଜାରରୁ ଅଧିକ ସ୍କୋର କରିଥିବାବେଳେ ୬ ଶତକ ଏବଂ ୩୫ ଅର୍ଦ୍ଧଶତକ ରହିଛି । ଏହାସହ ଓ୍ବିକେଟକିପର ଭାବେ ୩୧୫ କ୍ୟାଚ୍ ସହ ୫୬ ଷ୍ଟପିଂ କରିଛନ୍ତି । କେବଳ ଏତିକି ନୁହେଁ ନିଜର କ୍ୟାରିୟର ମଧ୍ୟରେ ସେ ପାକିସ୍ତାନ ପାଇଁ ୧୦୦ ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଛନ୍ତି । ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ଟି-୨୦ରେ ନମ୍ବର ଓ୍ବାନ୍ ଦଳ ମଧ୍ୟ ହୋଇଛି । ଲଗାତାର ୧୧ ସିରିଜରେ ବିଜୟୀ ହୋଇ ମଧ୍ୟ ବିଶ୍ବ ରେକର୍ଡ କରିପାରିଥିଲା। ସବୁଠାରୁ ବଡ଼ ସଫଳତା ଥିଲା ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ୨୦୧୭ ମସିହାରେ ଚରମ୍ପିୟନ୍ସ ଟ୍ରଫି ହାତେଇବାର ସେଭାଗ୍ୟ ଅର୍ଜନ କରିଥିଲା । ଭାରତକୁ ଫାଇନାଲରେ ହରାଇ ବଡ଼ ସଫଳତା ହାସଲ କରିଥିଲେ ।

ଏହାସହ ସର୍ଫରାଜଙ୍କ ଅଧିନାୟକତ୍ବରେ ବହୁ ଖେଳାଳି ଦଳରେ ଖେଳିବାର ସୁଯୋଗ ପାଇଥିଲେ । ଆଜି ଯେଉଁମାନେ ଦଳରେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ସାହିନଶାହ ଆଫ୍ରିଦ୍, ବାବର ଆଜମ, ହାସନ ଅଲ୍ଲୀ, ଇମାମ ଉଲ୍ଲ ହକ, ଫକର ଜମାନ ଏବଂ ସଦାବ ଖାନଙ୍କ ଭଳି ଖେଳାଳି । ଏବେ ସେ ପାକିସ୍ତାନ କ୍ରିକେଟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ଟି-୨୦ ବିଶ୍ବକପର ସୁପର-୮ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଚର୍ଚ୍ଚାରେ ରହିଛି । ଏଣୁ ସେ ଦଳର କୋଚିଂ ଦେଇପାରନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା । ପୂର୍ବରୁ ୧୯ ବର୍ଷରୁ କମ ଦଳର ମେଣ୍ଟ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ।

ଏହାସହ ପଢ଼ନ୍ତୁ : ବାଜିଲା ନିର୍ବାଚନ ବିଗୁଲ୍ : ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ, ଜାଣନ୍ତୁ କେତେ ତାରିଖରେ କେଉଁଠି ପଡ଼ିବ ଭୋଟ୍