ମୁମ୍ବାଇ,୨୬/୧୦: ବଲିଉଡ ଏବଂ ଟିଭି ଅଭିନେତା ସତୀଶ ଶାହଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛନ୍ତି । ତାଙ୍କ ବିୟୋଗକୁ ବିଶ୍ୱାସ କରିପାରୁନାହାନ୍ତି ଦର୍ଶକ । ଆମେ ଆପଣଙ୍କୁ ସତୀଶଙ୍କ ଜୀବନ ସହ ୨୫ ନମ୍ବର ସଂଯୋଗ ବିଷୟରେ କହିବୁ । ୨୫ ନମ୍ବର ସହିତ ସତୀଶଙ୍କ କନେକ୍ସନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜାଣିବାକୁ ପଢନ୍ତୁ ପୁରା ଖବର ।

'୨୫' ସଂଖ୍ୟା ସହିତ ସତୀଶ ଶାହଙ୍କର କ'ଣ ସମ୍ପର୍କ ? ସତୀଶ ଶାହଙ୍କ ଜନ୍ମ ଓ ମୃତ୍ୟୁ ସମୟ ସଂଖ୍ୟା ୨୫ ସହିତ ଜଡିତ । ଏହି ଅଭିନେତାଙ୍କ ଜନ୍ମ ୧୯୫୧ ମସିହା ଜୁନ୍ ୨୫ ରେ ମୁମ୍ବାଇରେ ହୋଇଥିଲା । ତାଙ୍କର ଦେହାନ୍ତ ମଧ୍ୟ ଅକ୍ଟୋବର ୨୫ ତାରିଖରେ ହୋଇଛି । ମୃତ୍ୟୁର ବର୍ଷ ମଧ୍ୟ ୨୦୨୫ ଥିଲା । ତେବେ ଅଜବ ସଂଯୋଗ ପରି ମନେ ହେଉଛି ନା । ଟିଭି ଓ ଫିଲ୍ମ ଜଗତର ଜଣାଶୁଣା ହାସ୍ୟାଭିନେତା ସତୀଶ ଶାହ । ଗତକାଲି (ଶନିବାର) ଦିନ ୨.୩୦ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ଆଜି (ରବିବାର) ଅନ୍ତିମ ସଂସ୍କାର ହେବ । ସତୀଶ ଦୀର୍ଘ ସମୟ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର ମାଣ୍ଡୱୀରେ ସତୀଶ ଜନ୍ମଗ୍ରହଣ କରିଥିଲେ । ଜାଭିୟର କଲେଜରେ ଅଧ୍ୟୟନ ପରେ ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଡିଗ୍ରୀ ହାସଲ କରିଥିଲେ । ୧୯୭୨ରେ ଡିଜାଇନର୍‌ ମଧୁ ଶାହଙ୍କୁ ସେ ବିବାହ କରିଥିଲେ ।

୧୯୭୦ରେ ‘ଭଗବାନ ପର୍ଶୁରାମ’ରୁ ସିନେ କ୍ୟାରିଅର ଆରମ୍ଭ କରିଥିଲେ ସତୀଶ । ତା’ପରେ ୧୯୭୮ର ‘ଅରବିନ୍ଦ ଦେସାଇ କି ଅଜୀବ ଦାସ୍‌ତାଁ’ରେ ଆସିଲେ । ସେବେଠୁ ୨୦୧୪ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କଲେ । ‘ଜାନେ ଭି ଦୋ ୟାରୋ’, ‘ଗମନ’, ‘ଉମରାଓ ଜାନ୍‌’, ‘ଶକ୍ତି’, ‘ବିକ୍ରମ ବେତାଲ’, ‘ମେଁ ହୁଁ ନା’, ‘କଲ୍‌ ହୋ ନା ହୋ’, ‘ଫନା’, ‘ମୁଝ୍‌ସେ ଶାଦି କରୋଗୀ’ ଓ ‘ଓମ୍‌ ଶାନ୍ତି ଓମ୍‌’ ଭଳି ଅନେକ ହିଟ୍‌ ଫିଲ୍ମରେ ସେ ଅଭିନୟର ଛାପ ଛାଡ଼ିଛନ୍ତି । ୧୯୮୪ରେ ସତୀଶ ‘ୟେ ଜୋ ଜିନ୍ଦଗୀ’ରୁ ଟିଭିରେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଶୋ’ର ୫୫ଟି ଏପିସୋଡ୍‌ରେ ସେ ୫୫ ଭିନ୍ନ ଭିନ୍ନ ଚରିତ୍ର ନିର୍ବାହ କରିଥିଲେ ।