ଜୟପୁର,୦୮/୦୮: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ମାଟି ସମତଳ, ଟେଣ୍ଟବନ୍ଧା, ରାସ୍ତାରେ ଧଳା ଦାଗ, ଗଛଗୁଡ଼ିକରେ ଚୂନ ଧଉଳା କାମ ତ୍ୱରାନ୍ୱିତ କରାଯାଇଛି । ବରିଷ୍ଠ ପୁଲିସ, ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନି ।
ସହର ଉପକଣ୍ଠ ବାଙ୍କବିଜା ପଡ଼ିଆରେ ମୁଖ୍ୟକାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପକ୍ଷରୁ ପଡ଼ିଆରେ ୩ ବିରାଟ ଟେଣ୍ଟ ଲଗାଯାଇଛି । ଯେଉଁଠି ୧୫ରୁ ୨୦ ହଜାର ଲୋକ ବସିପାରିବେ। ପାର୍କିଂ, ରୋଷେଇ, ଶୌଚାଳୟ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଗୁରୁବାର ଅପରାହ୍ଣରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପି, ଏସ୍ଡିପିଓଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ପଡ଼ିଆ ପରିଦର୍ଶନ କରିଥିଲେ । କାମ ଅଗ୍ରଗତିର ତଦାରଖ କରିଥିଲେ । ଗତ ୬ ତାରିଖ ରାତିରେ ଏସ୍ପି, ଏସ୍ଡିପିଓଙ୍କ ସହ ଟାଉନ ଏବଂ ସଦରଥାନା ଆଇଆଇସି ପାରବେଡ଼ା ଅଞ୍ଚଳ ପରିଦର୍ଶନ କରିଥିଲେ ।
୯ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୟପୁରରେ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ । ଅପରାହ୍ଣରେ ବୁଦ୍ଧିଜୀବୀ, କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।