ଜୟପୁର,୦୮/୦୮: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ  ବାଙ୍କବିଜାରେ ଆୟୋଜିତ ସମାବେଶରେ  ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ  ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ  କରିବେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ  ପ୍ରସ୍ତୁତି ଜୋରଦାର କରାଯାଇଛି । ମାଟି ସମତଳ, ଟେଣ୍ଟବନ୍ଧା, ରାସ୍ତାରେ ଧଳା ଦାଗ, ଗଛଗୁଡ଼ିକରେ  ଚୂନ ଧଉଳା କାମ ତ୍ୱରାନ୍ୱିତ କରାଯାଇଛି । ବରିଷ୍ଠ  ପୁଲିସ, ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକ୍ରମ  ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସରସ୍ୱତୀ  ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିପାରନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନି । 

ସହର ଉପକଣ୍ଠ ବାଙ୍କବିଜା ପଡ଼ିଆରେ ମୁଖ୍ୟକାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପକ୍ଷରୁ ପଡ଼ିଆରେ  ୩ ବିରାଟ ଟେଣ୍ଟ ଲଗାଯାଇଛି । ଯେଉଁଠି ୧୫ରୁ ୨୦ ହଜାର ଲୋକ ବସିପାରିବେ। ପାର୍କିଂ, ରୋଷେଇ,  ଶୌଚାଳୟ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଗୁରୁବାର ଅପରାହ୍ଣରେ ଜିଲ୍ଲାପାଳ, ଉପଜିଲ୍ଲାପାଳ,  ଏସ୍‌ପି, ଏସ୍‌ଡିପିଓଙ୍କ ସହ ବିଭିନ୍ନ ବିଭାଗୀୟ  ଅଧିକାରୀ ପଡ଼ିଆ ପରିଦର୍ଶନ କରିଥିଲେ । କାମ ଅଗ୍ରଗତିର ତଦାରଖ କରିଥିଲେ । ଗତ  ୬ ତାରିଖ ରାତିରେ ଏସ୍‌ପି, ଏସ୍‌ଡିପିଓଙ୍କ  ସହ ଟାଉନ ଏବଂ ସଦରଥାନା ଆଇଆଇସି ପାରବେଡ଼ା ଅଞ୍ଚଳ ପରିଦର୍ଶନ କରିଥିଲେ ।  

୯ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ  ମାଝୀ ଜୟପୁରରେ ସୁଭଦ୍ରା ଯୋଜନା ଟଙ୍କା  ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ସହ ବରିଷ୍ଠ  ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ ।  ଅପରାହ୍ଣରେ ବୁଦ୍ଧିଜୀବୀ, କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।