ପ୍ୟାରିସ୍,୩୧/୦୮: ଭାରତର ପ୍ରମୁଖ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଅବିଶ୍ୱସନୀୟ ଖେଳ ପ୍ରଦର୍ଶନ ଜାରି ରଖି ଚଳିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପ୍ର ସେମି ଫାଇନାଲ୍ରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ଯୋଡ଼ି ସିଧାସଳଖ ୨୧-୧୨, ୨୧-୧୯ ଗେମ୍ରେ ଦ୍ୱିତୀୟ ସିଡ୍ ମାଲେସିଆର ଆରୋନ ଚିଆ ଓ ସୋହ ଉଇ ୟିକ୍ ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଉଭୟଙ୍କୁ ୪୩ମିନିଟ୍ ଲାଗିଥିଲା ।
ଏସୀୟ କ୍ରୀଡ଼ା ଚାମ୍ପିଅନ୍ ସାତ୍ତ୍ୱିକ-ଚିରାଗ ଯୋଡ଼ିଙ୍କ ପାଇଁ ଆରୋନ-ସୋହ ଯୋଡ଼ି ବଡ଼ ଆହ୍ୱାନ ରହିଥିଲେ । ମାଲେସିଆ ଯୋଡ଼ି ଗତ ପ୍ୟାରିସ୍ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲ୍, ୨୦୨୨ ବିଶ୍ୱ ଚାମ୍ପିଅନସିପ୍ ସେମି ଫାଇନାଲ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ଦଳଗତ ଫାଇନାଲ୍ରେ ଭାରତୀୟ ଯୋଡ଼ିଙ୍କୁ ପରାଜିତ କରିଥିଲେ । ଏଥର ସାତ୍ତ୍ୱିକ-ଚିରାଗ କୌଣସି ତ୍ରୁଟି କରିନଥିଲେ । ସେହି ସ୍ଥାନ ଏବଂ ସେହି କୋର୍ଟରେ ଉଭୟ ଅଲିମ୍ପିକ୍ସ ପରାଜୟର ପ୍ରତିଶୋଧ ନେବା ସହ କ୍ୟାରିୟରରେ ଦ୍ୱିତୀୟ ବିଶ୍ୱ ଚାମ୍ପିଅନସିପ୍ ପଦକ ଜିତିଛନ୍ତି । ୨୦୨୨ ସଂସ୍କରଣରେ ଉଭୟ ବ୍ରୋଞ୍ଜ ଜିତିଥିଲେ ।
ପ୍ରଥମ ଗେମ୍ ଆରମ୍ଭରୁ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ୫୯ ସଟ୍ ରାଲିରେ ପଏଣ୍ଟ ହାସଲ କରିବା ପରେ ଭାରତୀୟ ଯୋଡ଼ି ଆଧିପତ୍ୟ ବିସ୍ତାର କରି ଖେଳି ୨୧-୧୨ରେ ପ୍ରଥମ ଗେମ୍ ଜିତିଥିଲେ । ଦ୍ୱିତୀୟ ଗେମ୍ରେ ଏକଦା ସ୍ଥିତି ୧୯-୧୯ରେ ପହଞ୍ଚିଥିଲା । ଏହାପରେ ସାତ୍ତ୍ୱିକ-ଚିରାଗ କ୍ରମାନ୍ୱୟରେ ୨ଟି ପଏଣ୍ଟ ହାସଲ କରି ବିଜୟ ହାସଲ କରିଥିଲେ । ଏଥିସହ ବିଶ୍ୱ ଚାମ୍ପିଅନସିପ୍ରେ ଭାରତର ୧୪ବର୍ଷର ପଦକ ସଫଳତାର ଧାରା ଅତୁଟ ରହିଥିଲା । ୨୦୧୧ରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନାପ୍ପାଙ୍କ ବ୍ରୋଞ୍ଜ ସଫଳତା ପରଠୁ ଭାରତ ପ୍ରତ୍ୟେକ ସଂସ୍କରଣରେ ପଦକ ଜିତିବାରେ ସଫଳ ହୋଇଛି ।