ନୂଆଦିଲ୍ଲୀ, ୫।୩: ଏସବିଆଇ ନାଁରେ ସେୟାର ହେଉଛି ଡିପଫେକ୍ ଭିଡିଓ । ସାଧାରଣ ଲୋକଙ୍କୁ ପବ୍ଲିକ୍ ନୋଟିସ୍ ଜାରି କରି ସତର୍କ କରାଇଲା ବ୍ୟାଙ୍କ । ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ପବ୍ଲିକ୍ ନୋଟିସ ଜାରି କରିଛି । ଏଥିରେ ସେ କହିଛି ଯେ, ସୋସିଆଲ ମିଡିଆରେ ବ୍ୟାଙ୍କ ନାମରେ ଅନେକ ଡିପଫେକ୍ ଭିଡିଓ ସେୟାର କରାଯାଉଛି । ଏହି ଭିଡଓରେ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ନିବେଶ ସ୍କିମ ବିଷୟରେ କହୁଛନ୍ତି । ବ୍ୟାଙ୍କର କୌଣସି ଅଧିକାରୀ ଏଭଳି ସ୍କିମର ପ୍ରଚାର କରନ୍ତି ନାହିଁ, ଯେଉଁଥିରେ ଅଧିକମାତ୍ରାରେ ରିଟର୍ଣ୍ଣ ମିଳିବ । ବ୍ୟାଙ୍କ ଲୋକଙ୍କୁ ଏଭଳି ଭିଡିଓଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏସବିଆଇ ଏହି ପବ୍ଲିକ ନୋଟିସକୁ ସୋସଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଏଥିରେ ନୋଟିସରେ ଲେଖାଯାଇଛି ଯେ, ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ସତର୍କ କରାଉଛି । ଡିପଫେକର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରସାରିତ କରାଯାଉଛି, ଯାହା କିଛି ନିବେଶ ଯୋଜନାଗୁଡ଼ିକୁ ଲଞ୍ଚ କରିବାକୁ ଲୋକମାନଙ୍କ ସମର୍ଥନ ଲୋଡ଼ୁଛି । ସାଧାରଣ ଲୋକଙ୍କୁ ଏଭଳି ଯୋଜନାରେ ନିବେଶ କରିବାକୁ ଉପଦେଶ ଦେଉଛି । ବ୍ୟାଙ୍କ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏସବିଆଇ କିମ୍ୱା ତା’ର କୌଣସି ଅଧିକାରୀ ଏଭଳି କୌଣସି ନିବେଶ ଯୋଜନାର ସମର୍ଥନ କରେ ନାହିଁ କିମ୍ୱା ପ୍ରୋତ୍ସାହନ ଦିଏନାହିଁ, ଯେଉଁଥିରେ ଅଧିକ ରିଟର୍ଣ୍ଣ ମିଳେ । ଏଥିପାଇଁ ଲୋକଙ୍କୁ ଏଭଳି ମିଥ୍ୟା ଭିଡିଓଠାରୁ ଦୂରେଇ ରହିବାକୁ ବ୍ୟାଙ୍କ ପରାମର୍ଶ ଦେଇଛି ।
