ନୂଆଦିଲ୍ଲୀ,୨୨/୦୭: ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନିଙ୍କ ଅଡ଼ୁଆ ବଢ଼ିବ । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଏସ୍‌ବିଆଇ) ରିଲାଏନ୍ସ କମ୍ୟୁନିକେସନ ଏବଂ  ଅନିଲଙ୍କୁ ଫ୍ରଡ୍‌ ସୂଚୀଭୁକ୍ତ କରିଛି । ଏହା ସହ ଅନିଲଙ୍କ ବିରୋଧରେ ସିବିଆଇରେ ମାମଲା ମଧ୍ୟ ରୁଜୁ କରିବ ଏସ୍‌ବିଆଇ ।  ଏ ନେଇ ସଂସଦ ପକ୍ଷରୁ ସୂଚନା ମିଳିଛି ।  

ଆର୍‌ବିଆଇର ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ  ନିର୍ଦ୍ଦେଶାବଳୀ ଅନୁସାରେ ଜୁନ ୧୩ରେ ଏହି  ଆକାଉଣ୍ଟକୁ ଫ୍ରଡ୍‌ ତାଲିକାଭୁକ୍ତ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ  ସୂଚନା ଦେଇଛନ୍ତି । ଜୁନ ୨୪ରେ ଏସ୍‌ବିଆଇ  ଫ୍ରଡ ତାଲିକାଭୁକ୍ତ କରିବା ନେଇ ଆର୍‌ବିଆଇକୁ ଜଣାଇଥିଲା । ସେହିଭଳି ସିବିଆଇ ମାମଲାରେ  ନେଇ ବ୍ୟାଙ୍କ ଅଗ୍ରସର ହୋଇଥିବା ଆର୍‌କମ୍‌ର  ଦେବାଳିଆ ପ୍ରଫେସନାଲ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଥିଲେ । ଆର୍‌କମ୍‌  ଉପରେ ଏସ୍‌ବିଆଇ ଦେଇଥିବା ୨୨୨୭ କୋଟି  ଟଙ୍କାର ଋଣ ବକେୟା ରହିଛି । ସେହିଭଳି ଅଣ ଫଣ୍ଡ୍‌ ଭିତ୍ତିକ ବ୍ୟାଙ୍କ ଗ୍ୟାରେଣ୍ଟି ୭୮୬ କୋଟି  ରହିଥିବା ସୂଚନା ମିଳିଛି । ନିକଟରେ କାନାରା  ବ୍ୟାଙ୍କ ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲା ଯେ,  ଅନିଲ ଅମ୍ବାନିଙ୍କୁ ଫ୍ରଡ ତାଲିକାଭୁକ୍ତ ନିଷ୍ପତ୍ତି  ପ୍ରତ୍ୟାହାର ହୋଇଛି । ଏହି ମାମଲା ଉପରେ  ପୁଣି ଥରେ ବିଚାର କରାଯିବ।

ଏବେ ରିଲାଏନ୍ସ କମ୍ୟୁନିକେସନ  ବିରୋଧରେ ଦେବାଳିଆ ସମାଧାନ ମାମଲା  ଜାରି ରହିଛି । ଇନ୍‌ସଲଭେନ୍ସି ଆଣ୍ଡ୍‌  ବ୍ୟାଙ୍କରପ୍ସିକୋଡ୍‌ ଆଧାରରେ ଏଭଳି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜଲ୍ୟୁଶନ  ଯୋଜନାକୁ ଋଣଦାତା କମିଟି ମଞ୍ଜୁର କରିଛନ୍ତି ।  ଏହି ମାମଲା ଏନ୍‌ସିଏଲ୍‌ଟିଙ୍କ ଚୂଡାନ୍ତ ମଞ୍ଜୁରୀ  ଅପେକ୍ଷାରେ ରହିଛି । ସେହିଭଳି ବ୍ୟାଙ୍କ  ଅନିଲଙ୍କ ବିରୋଧରେ ବ୍ୟକ୍ତିଗତ ଦେବାଳିଆ  ମାମଲା ରୁଜୁ କରିଛି । ଏହା ଏନ୍‌ସିଏଲ୍‌ଟିଙ୍କ  ବମ୍ବେ ବେଞ୍ଚ ଶୁଣାଣି କରିବେ ।