କଟକ, ୧୭।୩: ଏସ୍ସିବି ମେଡିକାଲ୍ ଏକ ବିଶ୍ୱସ୍ତରୀୟ ହେବାକୁ ଯାଉଛି । ଦୈନିକ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଶହ ଶହ ଡାକ୍ତର ଓ ମେଡିକାର କର୍ମଚାରୀ ଅଛନ୍ତି । ସ୍ୱାସ୍ଥ୍ୟସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । କିନ୍ତୁ, ଆଇସିୟୁରେ ନିଆଁ ଲାଗି ଏତେ ରୋଗୀ ପ୍ରାଣ ହରାଇବା ଘଟଣା ଏସ୍ସିବି ଅବ୍ୟବସ୍ଥାକୁ ପଦାରେ ପକାଇଛି । ବିଶେଷ କରି ଆଇସିୟୁ ସ୍ଥିତିକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । କାରଣ ଗତ ମାସରେ ଆଇସିୟୁରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏବେ ପୁଣି ଅଗ୍ନିକାଣ୍ଡ ଘଟଣା ପରେ ଚର୍ଚ୍ଚା ଆରମ୍ଭ ହୋଇଛି କଟକ ବଡ଼ ମେଡିକାଲ୍ ଅବ୍ୟବସ୍ଥାକୁ ନେଇ । ଆଇସିୟୁର ଏଭଳି ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଦାୟିତ୍ୱହୀନତା ପାଇଁ ଦାୟୀ କିଏ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହା ବି ପଢ଼ନ୍ତୁ... ଆଇଗିଣିଆ ଛକରେ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ମାମଲା: ଫେରାର ଚାଳକକୁ ବାନ୍ଧିଲା ପୁଲିସ
ଗତ ଫେବୃଆରୀ ମାସରେ ସୋସିଆଲ୍ ମିଡିଆରେ ଆଇସିୟୁର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏଥିରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ଥରି ଥରି ବେଡ୍ ଉପରୁ ତଳକୁ ଖସିପଡ଼ୁଥିବା ଦେଖିବାକୁ ମିଳିଥିଲା । ଅନ୍ୟଜଣେ ବୃଦ୍ଧ ରୋଗୀଙ୍କ ହାତରେ ସଂଯୋଗ ଥିବା ସାଲାଇନ୍ ଛୁଞ୍ଚିରୁ ପାଇପ୍ ବାହାରି ରକ୍ତ ଥପଥପ ବାହାରି ବେଡ୍ସିଟ୍ ଭିଜୁଥିଲା । ଆଇସିୟୁରେ ଗୁରୁତର ରୋଗୀଙ୍କର ଅସହାୟ ଅବସ୍ଥା ଓ ବିକଳ ଚିକିତ୍ସା ବ୍ୟବସ୍ଥାର ଏଭଳି ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ନିନ୍ଦା ମୁଣ୍ଡାଇଥିଲା । ଏହାପରେ ଏବେ ଅଧରାତ୍ରିରେ ଅଗ୍ନିକାଣ୍ଡ ପାଇଁ ଲୋକଙ୍କ ଜୀବନ ଯିବା ସହିତ ଦିନ ତମାମ୍ ଉକ୍ତ କୋଠାରେ ଥିବା ଗୁରୁତର ରୋଗୀଙ୍କ ପ୍ରତି ସ୍ୱାସ୍ଥ୍ୟ ସେବା ଠପ୍ ହୋଇଯାଇଥିଲା । ପୂର୍ବରୁ ଏଭଳି ଅନେକ ସମୟରେ ଆଇସିୟୁରେ ସ୍ୱାସ୍ଥ୍ୟ ସେବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳୁଥିଲାବେଳେ କେବେ ଏଥିରେ ସୁଧାର ଆସିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।