କଟକ ୧୨/୦୨: ଏସ୍‌ସିବି ମେଡିକାଲ୍‌ରେ ଆଇସିୟୁକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି । ଜୀବନ ମରଣ ଆଶଙ୍କାରେ ଥିବା ଗୁରୁତର ରୋଗୀଙ୍କ ଜୀବନ ସହ ଆଇସିୟୁରେ ନିୟୋଜିତ କର୍ମଚାରୀମାନେ ଖେଳୁଛନ୍ତି । ସଙ୍କଟାପନ୍ନ ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଖାମଖିଆଲ ହେଉଛନ୍ତି । ମେଡିସିନ୍ ସେଣ୍ଟ୍ରାଲ୍ ଆଇସିୟୁରେ ରୋଗୀ ବେଡ୍‌ରୁ ଗଳିପଡ଼ିବା ଘଟଣା ପରେ ନିୟୋଜିତ କର୍ମଚାରୀମାନେ ପୁଣି ବିବାଦ ଘେରକୁ ଆସିଛନ୍ତି ।

ଆହୁରି ପଢ଼ନ୍ତୁ : ଏସ୍‌ସିବି ମେଡିକାଲ୍ ମେଡିସିନ୍ ଆଇସିୟୁର ବିକଳ ଚିତ୍ର, ଛଟପଟ ହୋଇ ଖଟିଆରୁ ଖସିପଡୁଛନ୍ତି ରୋଗୀ

ନିକଟ ଅତୀତରେ ମେଡିସିନ୍ ବିଭାଗ ଆଇସିୟୁରେ ଜଣେ ଗୁରୁତର ମହିଳାଙ୍କୁ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଅସଦାଚରଣ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ କର୍ମଚାରୀକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା । ପୂର୍ବରୁ କାର୍ଡିଓଲୋଜି ବିଭାଗରେ ଜଣେ ଗୁରୁତର ରୋଗୀ ନିଖୋଜ ହେବା ଓ ଡାକ୍ତର ରୋଗୀଙ୍କୁ ଅଧା ଚିକିତ୍ସାରୁ ବାହାରକୁ ପଠାଇ ଦେବା ଘଟଣାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା । ସେହିପରି ଗତବର୍ଷ ହୋଲି ସମୟରେ ଟ୍ରମା ଆଇସିୟୁରେ ନର୍ସିଂ କର୍ମଚାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ରଙ୍ଗ ଓ ଅବିର ଉଡାଇଥିଲେ । ରୋଗୀମାନେ ଜୀବନ ମରଣ ସହ ଯୁଝୁଥିବା ବେଳେ କର୍ମଚାରୀମାନେ ମାନବିକତା ଭୁଲି ହୋଲି ଖେଳି ମସଗୁଲ୍ ହୋଇଥିଲେ । ଏହାକୁ ନେଇ ସେ ସମୟରେ ତମ୍ବିତୋଫାନ ହୋଇଥିଲା । ତଦନ୍ତରେ ହୋଲି ଖେଳୁଥିବା ଜଣାପଡ଼ିବା ପରେ କିଛି କର୍ମଚାରୀଙ୍କୁ ଟ୍ରମା ଅଇସିୟୁରୁ ବଦଳି କରାଯାଇଥିଲା । ସେହିପରି ପୂର୍ବରୁ ପଦ୍ମଶ୍ରୀ କମଳା ପୂଜାରୀ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅସୁସ୍ଥତା ଥିବା ସତ୍ତେ୍ୱ କିଛି ନର୍ସିଂ କର୍ମଚାରୀ ତାଙ୍କୁ ଧରି ନାଚି ରିଲ୍ସ ତିଆରି କରିଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା ।

ଆହୁରି ପଢ଼ନ୍ତୁ :- ଆଇସିୟୁ ବେଡ୍‌ରୁ ରୋଗୀ ଖସିପଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର

ସେହିପରି ନବଜାତକଙ୍କ ଲାଗି ଥିବା ଏସ୍ଏନ୍ସିୟୁ ତଥା ଆଇସିୟୁରେ ପିଲା ଚୋରି ଏବଂ ପିଲା ବଦଳ ଘଟଣାକୁ ନେଇ ଅନେକ ବିବାଦୀୟ ସ୍ଥିତି ଉପୁଜିଛି । ଆଇସିୟୁରୁ ପିଲା ଚୋରି ଘଟଣାରେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛନ୍ତି । ଆଇସିୟୁରେ ରୋଗୀଙ୍କ ସୁରକ୍ଷା ଓ ଚିକିତ୍ସା ପାଇଁ ପୃଥକ ନିୟମ ରହିଛି । ରୋଗ ଅନୁସାରେ ରୋଗୀର କ’ଣ ଚିକିତ୍ସା ହେବା ଦରକାର କେତେବେଳେ କେଉଁ ଆଣ୍ଟିବାୟୋଟିକ୍ ଦିଆଯିବା କଥା ଏବଂ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଯାଞ୍ଚ୍ କରି ରେକର୍ଡରେ ଉଲ୍ଲେଖ କରିବା ଲାଗି ନିୟମ ରହିଥିଲେ ହେଁ ସେସବୁ କାଗଜପତ୍ରରେ ସୀମିତ ରହିଛି । କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ବିଭିନ୍ନ ଆଇସିୟୁରେ ରୋଗୀମାନେ ଅନେକ ସମୟରେ ଅବହେଳାର ଶିକାର ହେଉଥିବା ଅଭିଯୋଗ ହେଉଛି । ମାତ୍ର ଏ ଦିଗରେ ବିଭାଗୀୟ ମୁଖ୍ୟଙ୍କର ନିଘା ନାହିଁ । ଏମିତିକି ଆଇସିୟୁରେ କିଛି କର୍ମଚାରୀ ଦୀର୍ଘ ଦିନ ନିଜ ସୁବିଧାରେ ଡ୍ୟୁଟି କରିଆସୁଥିବା ଅଭିଯୋଗ ମିଳୁଛି । ଫଳରେ ରୋଗୀଙ୍କୁ ଦେଖାଶୁଣା କରିବା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଘୋର ଅବହେଳା ହେଉଛି ।

ଏ ସମ୍ପର୍କରେ ଅତିରିକ୍ତ ଅଧୀକ୍ଷକ ଡାକ୍ତର ଜ୍ୟୋତିର୍ମୟ ନାୟକ କହିଛନ୍ତି, ଆଇସିୟୁରେ ରୋଗୀ କିପରି ଉପଯୁକ୍ତ ଚିକିତ୍ସା ସୁବିଧା ପାଇବେ ସେଥିଲାଗି ହସ୍ପିଟାଲ୍ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । କର୍ମଚାରୀ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଗୁରୁତର ରୋଗୀଙ୍କ ପ୍ରତି କର୍ମଚାରୀ, ଡାକ୍ତର ସମସ୍ତେ ସଚେତନ ହେବା ଉଚିତ୍ ।