କଟକ, ୧୧/୦୨ : ଏସ୍‌ସିବି ମେଡିକାଲ୍‌ ଆଇସିୟୁରେ ରୋଗୀ ଛଟପଟ ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଡ୍ୟୁଟିରେ ଥିବା ଡାକ୍ତର, ନର୍ସିଂ ଅଫିସର ଏବଂ ଅନ୍ୟ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ପ୍ରଫେସରଙ୍କ ସମେତ ନର୍ସିଂ ଇନ୍‌ଚାର୍ଜ, ଦୁଇ ଜଣ ନର୍ସିଂ ଅଫିସର, ୩ ଜଣ ସୁରକ୍ଷା କର୍ମୀଙ୍କୁ ଅଧୀକ୍ଷକ ବଦଳି କରିଛନ୍ତି। ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ଡ୍ୟୁଟିରେ ଥିବା ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । 

ଅନ୍ୟପକ୍ଷରେ ମେଡିସିନ୍‌ ଆଇସିୟୁରେ ରୋଗୀଙ୍କୁ ଉପଯୁକ୍ତ ଦେଖାଶୁଣା ଓ ସୁରକ୍ଷା ପାଇଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ଆଇସିୟୁ ପରିଚାଳନା ଲାଗି ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା, ଆସୋସିଏଟ୍‌ ପ୍ରଫେସର ନିର୍ମଳ ସାହୁ ଓ ଅନ୍ୟ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସହ ୬ ଜଣ ନର୍ସିଂ ଅଫିସର, ୬ ଜଣ ଆଟେଣ୍ଡାଣ୍ଟ୍‌, ୪ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ସେହିପରି ଆଇସିୟୁ ଡ୍ୟୁଟି ରୁମ୍‌ରେ ୪ଟି କ୍ୟାମେରା ଲଗାଇବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ରିଲିଭର୍‌ ବା ବଦଳିଆ କର୍ମଚାରୀ ନ ଆସିବା ପର୍ଯ୍ୟନ୍ତ ନର୍ସିଂ ଅଫିସର କିମ୍ବା ଆଟେଣ୍ଡାଣ୍ଟ ଡ୍ୟୁଟି ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ରାଜନୈତିକ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପଦାଧିକାରୀଙ୍କୁ ବିନା ଅନୁମତିରେ ଆଇସିୟୁ ଭିତରକୁ ନଛାଡ଼ିବା ପାଇଁ କୁହାଯାଇଛି। ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଦିନକୁ ଦୁଇ ଥର ସାକ୍ଷାତ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ ନିୟମ କଡ଼ାକଡ଼ି ପାଳନ କରାଯିବ। ଅଯଥାରେ ସମ୍ପର୍କୀୟ ଆଇସିୟୁ ଭିତରକୁ ନଯିବା ପାଇଁ ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହେଲେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀମାନେ ଦାୟୀ ରହିବେ ବୋଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସିକ୍ୟୁରିଟି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି। 

ଆଇସିୟୁରେ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ

ସେପଟେ ମେଡିସିନ୍‌ ଆଇସିୟୁରେ କର୍ମଚାରୀଙ୍କ ଅବହେଳା ଯୋଗୁଁ ବୃଦ୍ଧ ରୋଗୀଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ରୋଗୀଙ୍କ ହାତରେ ସଂଯୋଗ ହୋଇଥିବା ଭେନ୍‌ ଫ୍ଲୋ ଛୁଞ୍ଚି ହାତରୁ ଖସି ରକ୍ତ ନିର୍ଗତ ହେଉଥିବାର ଭିଡିଓ ଗତକାଲି ଭାଇରାଲ୍‌ ହେଉଥିଲା । ଏହି ଘଟଣାକୁ ନେଇ ଆଜି ତମ୍ବିତୋଫାନ ଚାଲିଥିବା ବେଳେ ସମ୍ପୃକ୍ତ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ପରେ ଏସ୍‌ସିବି ଆଇସିୟୁ କର୍ମଚାରୀଙ୍କ ପାଇଁ ଏବେ ଅଡ଼ୁଆ ବଢ଼ିଛି । ମୃତକଙ୍କ ନାଁ ରାଜକିଶୋର ଖୁଣ୍ଟିଆ (୮୬) । ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ । ଆଇସିୟୁ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ମୋ ବାପାଙ୍କର ମୃତ୍ୟୁ ଘଟିଲା ବୋଲି ପୁଅ ମହେଶ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ମହେଶ କହିଛନ୍ତି, ମୋ ବାପାଙ୍କର ଶ୍ୱାସ ସମସ୍ୟା ଥିବାରୁ ଗତ ୨ ତାରିଖରେ ଯାଜପୁର ମେଡିକାଲ୍‌ରୁ ଡାକ୍ତର ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଏଠାରେ ଡାକ୍ତର ମେଡିସିନ୍‌ ଆଇସିୟୁରେ ଭର୍ତ୍ତି କରିଥିଲେ । ଗତ ୪ ତାରିଖରୁ ମୋ ବାପାଙ୍କ ସହ ଅନ୍ୟ ରୋଗୀମାନେ ଆଇସିୟୁରେ ଅବହେଳାରେ ସମ୍ମୁଖୀନ ହୋଇ ଆସୁଥିବା ମୁଁ ଦେଖିଆସୁଥିଲି । ଏ ସମ୍ପର୍କରେ ଆଇସିୟୁ ଡାକ୍ତର ଓ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କେହି କିଛି ପଦକ୍ଷେପ ନେଉନଥିଲେ । ଓଲଟି କର୍ମଚାରୀ ମୋତେ ନାଲିଆଖି ଦେଖାଇଥିଲେ । ଗତ ରବିବାର ରାତିରେ ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜାଣିବା ପାଇଁ ଆଇସିୟୁ ଭିତରକୁ ଯିବା ପରେ ତାଙ୍କ ଶୋଚନୀୟ ଅବସ୍ଥା ଦେଖି ମୋବାଇଲ୍‌ରେ ଭିଡିଓ ରେକର୍ଡ କରିଥିଲି । ଭିଡିଓ ରେକର୍ଡ ପାଇଁ କର୍ମଚାରୀମାନେ ପରୋକ୍ଷରେ ମୋତେ ଚେତାବନୀ ଦେଇଥିଲେ ବୋଲି ମହେଶ ଅଭିଯୋଗ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ଏସ୍‌ସିବି ମେଡିକାଲ୍‌ ମେଡିସିନ୍‌ ଆଇସିୟୁର ବିକଳ ଚିତ୍ର, ଛଟପଟ ହୋଇ ଖଟିଆରୁ ଖସିପଡୁଛନ୍ତି ରୋଗୀ