ଦାରିଙ୍ଗବାଡ଼ି ,୧୬/୧(ଆପ୍ର):ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଦେଖିଲେ ବିଶ୍ୱାସ ହେଉନାହିଁ । ଭାରତ ସ୍ୱାଧୀନତାର ୭୮ ବର୍ଷ ବିତିଯାଇଥିଲେ ସୁଧା ଆଜି ବି ଛାତ୍ରଛାତ୍ରୀମାନେ କାଠ ଘରେ ପାଠ ପଢ଼ୁଛନ୍ତି । ସରକାର ବିଦ୍ୟାଳୟ ଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଥିବା କଥା ଡିଣ୍ଡିମ ପିଟୁ ଥିବା ବେଳେ ଆଦିବାସୀ ଅଧ୍ୟୁଷିତ  ଉପାନ୍ତ ଅଞ୍ଚଳରେ ରହିଛି ସ୍କୁଲ କାଠ ଘର । ନା ତଳେ ରହିଛି ସିମେଣ୍ଟ ଚଟାଣ ନା ରହିଛି ଇଟା କାନ୍ଥ । କାଠ ଘରେ ଖୋଲା ମେଲାରେ ଚାଲିଛି ଶିକ୍ଷା ବ୍ୟବସ୍ଥା । ଏଭଳି ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକର ଦାସିଙ୍ଗବାଡ଼ି ପଞ୍ଚାୟତର ଉପାନ୍ତ ଅଞ୍ଚଳ ଗଡପାକାଲି ସ୍କୁଲରେ । 

ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨୭ ଜଣ ଛାତ୍ର ଛାତ୍ରୀ ରହିଛନ୍ତି । ଏଥି ପାଇଁ ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି। ହେଲେ ୨ ଟି କାଠ ଘରେ ୮ ଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । ନା କବାଟ ଅଛି ନା ଝରକା ଅଛି । ଯୁଆଡ଼େ ଦେଖିବ ସେପଟେ ଖୋଲା । ସିମେଣ୍ଟ ଚଟାଣ ବଦଳରେ ପିଲା ମାଟି ଚଟାଣରେ ବସି ପାଠ ପଢ଼ୁଛନ୍ତି । ପାଠ ପଢା ଯେଉଁଠି ମଧ୍ୟାହ୍ନ ଭୋଜନ ସେଇଠି। 

ଏହି ସ୍କୁଲ ୨୦୦୮ ମସିହାରେ ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହୋଇ ୧୭ ବର୍ଷ ବିତି ଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ସ୍କୁଲ ଘରଟିଏ ହୋଇ ପାରି ନାହିଁ । ଅଫିସ କାଗଜ ପତ୍ର ରଖିବାକୁ ମଧ୍ୟ କୌଣସି ସୁବିଧା ନାହିଁ । ଅଫିସ ରୁମ ନାହିଁ । ସ୍କୁଲ କାଗଜ ପତ୍ର ପ୍ରଧାନ ଶିକ୍ଷକ ନିଜ ଘରୁ ସ୍କୁଲ କୁ ନେବା ଆଣିବା କରିଥାନ୍ତି । ବର୍ଷା ଦିନ ଆସିଗଲେ ପିଲାଙ୍କ ପାଠ ପଢା ଅବସ୍ଥା ନକହିବା ଭଲ । ବର୍ଷା ହେଲେ ପାଣି ଭିତରକୁ ଛିଞ୍ଚିଡା ମାରି ଚଟାଣ ଓଦା ହୋଇଯାଏ।  ପଢ଼ାରେ ବାଧାପ୍ରାପ୍ତ ହୁଏ । ଆଉ ଶୀତ ଦିନ ଆସିଗଲେ ଛାତ୍ରଛାତ୍ରୀ ମାନେ ଥଣ୍ଡାରେ ହିଁ ମାଟି ଚଟାଣରେ ବସି ପାଠ ପଢନ୍ତି । କୋମଳମତି ଛାତ୍ରଛାତ୍ରୀମାନେ ଅଗ୍ନି ପରୀକ୍ଷା ଦେଲା ଭଳି ବହୁ କଷ୍ଟ ପାଇ ପାଠ ପଢ଼ିଥାନ୍ତି । ଅନ୍ୟ ପଟେ ଉକ୍ତ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ପିଲାମାନେ କିଲୋମିଟର ଦୂରରେ ଥିବା ନଦୀକୁ ବିପଦ ସଙ୍କୁଳ ଭାବେ ଯିବାକୁ ପଡ଼ୁଛି । ଏପରିକି ଉକ୍ତ ସ୍କୁଲରେ ଶୌଚାଳୟ ବ୍ୟବସ୍ଥା ନଥିବା ଯୋଗୁଁ ଛାତ୍ରଛାତ୍ରୀ ସହ ଶିକ୍ଷୟତ୍ରୀ ମାନେ ଅସୁରକ୍ଷିତ ଭାବେ ବାହାରକୁ ଶୌଚ ହେବାକୁ ଯିବାକୁ ପଡ଼ୁଛି । ଏଭଳି ଭାବେ ନାହିଁ ନାହିଁ ରେ ଚାଲିଛି ଗଡପାକାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଉକ୍ତ ସ୍କୁଲ ପାଇଁ ବର୍ତ୍ତମାନ ଅନୁଦାନ ଆସିଛି। ସ୍କୁଲ ଗୃହ ନିର୍ମାଣ କାମ ଚାଲିଥିବା ବେଳେ ଶୌଚାଳୟ ସହ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଦାବି କରିଛନ୍ତି ।