ଭୁବନେଶ୍ବର, ୨୮/୧୧: ବନ୍ଦ ହୋଇଥିବା ୨୦ରୁ ଅଧିକ ପିଲା ଥିବା ସ୍କୁଲ ଖୋଲିବାକୁ ବିଚାର କରୁଛନ୍ତି ସରକାର । ପୂର୍ବ ସରକାର ତରବରିଆ ଭାବେ ସ୍କୁଲ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଯେଉଁ ଜିଲ୍ଲାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ଅଛି, ସେଗୁଡ଼ିକ ଖୋଲିବା ପ୍ରସ୍ତାବ ଜିଲ୍ଲା ସ୍ତରୀୟ କମିଟିରୁ ରାଜ୍ୟ ସ୍ତରୀୟ କମିଟିକୁ ଆସିଲେ ବିଚାର କରାଯିବ । ରାଜ୍ୟ ସରକାର ଏଭଳି ୪୬ଟି ସ୍କୁଲ ଖୋଲିଛନ୍ତି । ଅଉ ୫ଟି ସ୍କୁଲ ଖୋଲିବାକୁ ପ୍ରସ୍ତାବ ଆସିଛି । ସେଥିରୁ ଗୋଟିଏ ବିଦ୍ୟାଳୟ ଖାରଜ ହୋଇଛି ଏବଂ ୪ଟି ସ୍କୁଲ ଖୋଲିବାକୁ ବିଚାର ଚାଲିଛି । ଏନେଇ ବିଧାନସଭାର ଶୀତ ଅଧିବେଶନରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ।
ସ୍କୁଲକୁ ଫେରିଲେ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀ:
ସେପଟେ ସରକାର ଡ୍ରପ୍ ଆଉଟ୍ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରକିଙ୍ଗ ସର୍ଭେ ହୋଇଛି, ‘ଆସ ସ୍କୁଲ ଯିବା ଅଭିଯାନ’ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଗ୍ରାମ କିମ୍ବା ପଡ଼ାରେ ବିଦ୍ୟାଳୟରେ ନାମ ଲେଖା ଅଭିଯାନ କରାଯାଇଛି । ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି । ୧୦୦ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଗଣା ଡ୍ରେସ୍, ସାଇକେଲ ବଣ୍ଟା ଯିବା ସହ ଏହି ଭଳି ଅନେକ ପଦକ୍ଷେପ ନିଆଯାଉଛି । ଅଷ୍ଟମ ଯାଏଁ ପିଏମ୍ ପୋଷଣ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବମ ଓ ଦଶମ ପିଲା ତଥା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୮୦ହଜାର ପିଲାଙ୍କୁ ସିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ୧୫ଶହ ଶିକ୍ଷକ ଭିନ୍ନକ୍ଷମ ପିଲାଙ୍କ ପାଇଁ ନିଯୁକ୍ତି କରାଯିବା ନେଇ ଚିନ୍ତା କରୁଛନ୍ତି ସରକାର । ରାଜ୍ୟରେ ପୂର୍ବରୁ ପିଏମ୍ଶ୍ରୀ ସ୍କୁଲ ନଥିଲା ବିଜେପି ସରକାର ଆସିବା ପରେ ୭୬୨ଟି ସ୍କୁଲ ଖୋଲିଛି । ବାଲେଶ୍ବରରେ ୩୨୯ଜଣ ଡ୍ରପ୍ ଆଉଟ୍ ପିଲା ଥିବା ବେଳେ ସରକାରଙ୍କ ପଦକ୍ଷେପ ଯୋଗୁ ୩୦୦ଜଣଙ୍କୁ ସ୍କୁଲ ଫେରାଇ ଅଣାଯାଇଛି । ଏବେ ମାତ୍ର ୨୯ଜଣ ରହିଛନ୍ତି ତାଙ୍କୁ ମଧ୍ୟ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରଶ୍ନକାଳରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।