ଭୁବନେଶ୍ୱର,୨୧/୦୩: ଆଜିଠୁ  ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ରେ  ଖୋଲିଲା ସ୍କୁଲ । ସାଢ଼େ ୧୦ଟାରେ ଚାଲିବ ପାଠପଢ଼ା ।  ୪ ଘଣ୍ଟା ଧରି ପିଲାମାନେ ସ୍କୁଲରେ ପାଠ  ପଢ଼ିବେ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ  ପିଲାମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଗୁରୁବାର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ  ସୂଚନା ଜାରି ହୋଇଛି । ଏଥିସହ ରାଜ୍ୟର  ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି  ଲେଖିଛନ୍ତି । ତୁରନ୍ତ ଏହି ନିର୍ଦ୍ଦେଶକୁ ଲାଗୁ  କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ  ଖରା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ବିଭାଗ ପକ୍ଷରୁ କିଛି ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଯେପରିକି, ସବୁ ସ୍କୁଲରେ  ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ହେବ । ସ୍କୁଲ ପରିସରରେ  ଥିବା ପାଇପ୍‌ରେ ପାଣି ଆସୁଥିବ । 

ସେହିପରି ସ୍କୁଲରେ  ଓଆରଏସ୍‌ ପ୍ୟାକେଟ୍‌ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ  ଏହା ମିଳିବା ଦରକାର । ଖରା ସମୟରେ ସ୍କୁଲ ବାହାରେ କୌଣସି ଖେଳକୁଦ କିମ୍ବା ଅନ୍ୟାନ୍ୟ କାମ କରିବାକୁ ମନା  କରାଯାଇଛି । ଛାତ୍ରଛାତ୍ରୀମାନେ ସାଙ୍ଗରେ ପାଣି ବୋତଲ ନେଇ  ଯିବେ, ଏହା ସେମାନଙ୍କ ଅଭିଭାବକଙ୍କ ଦାୟିତ୍ୱ ରହିବ ।   

ପ୍ରକାଶ ଥାଉକି, ଆସନ୍ତା ଏପ୍ରିଲ୍‌ ୨ରୁ ରାଜ୍ୟରେ  ସ୍କୁଲ ସକାଳୁଆ ହେବ ବୋଲି ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ ସୂଚନା ଦେଇଥିଲେ । ହେଲେ ଗୁରୁବାର ଉକ୍ତ  ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ସମୟ ମଧ୍ୟ ସ୍ପଷ୍ଟ କରିଛନ୍ତି  ସରକାର । ରାଜ୍ୟରେ ବଢିଥିବା ଖରାକୁ ନଜରରେ ରଖି  ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଯେଉଁଥିରେ ଶୁକ୍ରବାର ସକାଳୁଆ ସ୍କୁଲ ନେଇ ନିଷ୍ପତ୍ତି  ଗ୍ରହଣ କରାଯାଇଛି ।