ନୂଆଦିଲ୍ଲୀ,୦୬/୦୬: ଫି ଦେଇପାରି ନଥିବାରୁ ୩୧ ଜଣ  ଛାତ୍ରଛାତ୍ରୀଙ୍କୁ ସସ୍‌ପେଣ୍ଡ କରିଥିବା ଦ୍ୱାରାକ ଦିଲ୍ଲୀ ପବ୍ଲିକ ସ୍କୁଲକୁ  କଡା ସମାଲୋଚନା କରିଛନ୍ତି ହାଇକୋର୍ଟ । ଜଷ୍ଟିସ ସଚିନ ଦତ୍ତାଙ୍କୁ  ନେଇ ଗଠିତ ଜଣକିଆ ବେଞ୍ଚ କହିଛନ୍ତି ସ୍କୁଲ ଫି ଦେଇ ନ ପାରିବାରୁ ଛାତ୍ରଛାତ୍ରୀଙ୍କୁ ଧମକ ଦିଆଯାଇପାରିବ ନାହିଁ । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ହରକତ ମାନସିକ ନିର୍ଯାତନା ସହ ସମାନ ଏବଂ ଏହା  ଛାତ୍ରଛାତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଘାତ ପହଞ୍ଚାଇଥାଏ । 

ହାଇକୋର୍ଟ  କହିଛନ୍ତି ଯେ, ସ୍କୁଲ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନୁହେଁ । ସ୍କୁଲର ପ୍ରଥମ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ଓ  ସେମାନଙ୍କ ନୈତିକ ମୂଲ୍ୟବୋଧର ବିକାଶ ଘଟାଇବା । କେବଳ  ଏକ ବ୍ୟବସାୟିକ ସଂସ୍ଥା ଭାବେ କାମ କରିବା ସ୍କୁଲର ଉଦ୍ଦେଶ୍ୟ ନୁହେଁ । ନିଜର ସେବା ପ୍ରଦାନ ଲାଗି ସ୍କୁଲ ଅବଶ୍ୟ ଫି ନେଇଥାଏ,  କିନ୍ତୁ ଏହାକୁ ଏକ ବ୍ୟବସାୟିକ ସଂସ୍ଥା ଭାବେ ବିବେଚନା କରାଯାଇ ପାରିବ ନାହିଁ । ତେବେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାକମାନେ ବିବାଦର  ଆପୋସ ସମାଧାନ କିରବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏହି ଟିପ୍ପଣୀ ପରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ  ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଛି । 

ସୂଚନାଯୋଗ୍ୟ ଯେ ଏହି  ମାମଲା ଦ୍ୱାରକା ଡିପିଏସ୍‌ ସହ ଜଡିତ । ଗତ ମେ ୯ ତାରିଖରେ ଫି  ଦେଇ ନଥିବାରୁ ଡିପିଏସ୍‌ ପକ୍ଷରୁ ୩୨ ଜଣ ଛାତ୍ରଛାତ୍ରୀଙ୍କ ନାଁ କାଟି  ଦିଆଯାଇଥିଲା । ମେ ୧୩ ତାରିଖରେ ଏହି ପିଲାମାନେ ସ୍କୁଲରେ  ପହଞ୍ଚିବା ପରେ ଗେଟରେ ଉପସ୍ଥିତ ୪ ଜଣ ପୁରୁଷ ଓ ୨ ଜଣ  ମହିଳା ବାଉନ୍‌ସର ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ ।  ପରେ ସେମାନଙ୍କୁ ସ୍କୁଲ ଭିତରକୁ ନ ପୂରାଇ ଫେରାଇ ଦେଇଥିଲେ ।  ଏପରିକି ସେମାନଙ୍କୁ ଘରକୁ ପଠାଇ ଦିଆଯିବା ସମ୍ପର୍କରେ ମଧ୍ୟ  ଅଭିଭାବକମାନଙ୍କୁ ସୂଚନା ଦିଆଯାଇ ନଥିଲା । ଫଳରେ ୧୦୨  ଜଣ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ବିରୋଧରେ  ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।