ନୂଆଦିଲ୍ଲୀ, ୧୮।୯: ଏଣିକି ଆଖି ଖରାପ ଥିଲେ ଆଉ ପିନ୍ଧିବାକୁ ପଡ଼ିବନି ଚଷମା । ଅସ୍ତ୍ରୋପଚାର ପାଇଁ ବି ଖର୍ଚ୍ଚ ବହନ କରିବାକୁ ପଡ଼ିବନି । ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଆଇ ଡ୍ରପ, ଯାହା ଫେରାଇ ଆଣିବ ଦୃଷ୍ଟିଶକ୍ତି । ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଆଖି ଡ୍ରପ ବିକଶିତ କରିଛନ୍ତି, ଯାହା ଝାପ୍ସା ଦେଖାଯାଉଥିବା ଲୋକଙ୍କ ଦୃଷ୍ଟିଶକ୍ତିକୁ ସୁସ୍ଥ କରିପାରିବ । ଏହି ଆଖି ଡ୍ରପ, ୨ ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ । ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଉପଯୁକ୍ତ ଯେଉଁମାନଙ୍କୁ ପ୍ରେସବାୟୋପିଆ ଯୋଗୁଁ ନିକଟରେ ଥିବା ବସ୍ତୁଗୁଡ଼ିକୁ ଦେଖିବାରେ ଅସୁବିଧା ହୁଏ । ଯେଉଁମାନେ ଚଷମା ପିନ୍ଧିବାକୁ ଚାହାଁନ୍ତିନି କିମ୍ବା ଅସ୍ତ୍ରୋପଚାର ଖର୍ଚ୍ଚ ବହନ କରିପାରିବେ ନାହିଁ । ଏହି ଡ୍ରପ ସେମାନଙ୍କ ପାଇଁ ଏକ ସହଜ ଏବଂ ଶସ୍ତା ବିକଳ୍ପ ହୋଇପାରେ ।
ରିପୋର୍ଟ କ’ଣ କହୁଛି ?
ଦି ଗାର୍ଡିଆନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଅଧ୍ୟୟନରେ ମୋଟ ୭୭୬ ଜଣ ଲୋକ ସାମିଲ ହୋଇଥିଲେ । ଏହି ଲୋକମାନେ ଦିନକୁ ୨ ଥର ସ୍ୱତନ୍ତ୍ର ଆଇ ଡ୍ରପ ବ୍ୟବହାର କରିଥିଲେ । ଏହି ଡ୍ରପ୍ସରେ ପାଇଲୋକାର୍ପିନ ଏବଂ ଡାଇକ୍ଲୋଫେନାକ ଔଷଧ ଥିଲା । ଏହି ଲୋକମାନଙ୍କୁ ୩ଟି ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକ ଗୋଷ୍ଠୀକୁ ଡାଇକ୍ଲୋଫେନାକର ସମାନ ମାତ୍ରା ଦିଆଯାଇଥିଲା କିନ୍ତୁ, ପିଲୋଲୋକାର୍ପିନର ମାତ୍ରା ଭିନ୍ନ ଭିନ୍ନ ଥିଲା ।
ଗବେଷଣାର ଫଳାଫଳ କ’ଣ ଥିଲା ?
ଡାକ୍ତରମାନେ ଜାଣିପାରିଲେ ଯେ, ଆଇ ଡ୍ରପ୍ ଦେବାର ଗୋଟିଏ ଘଣ୍ଟା ମଧ୍ୟରେ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଯଥେଷ୍ଟ ଉନ୍ନତି ଘଟିଛି । ରୋଗୀମାନେ ଏବେ ଆଖି ଚାର୍ଟରେ ପ୍ରାୟ ୩.୪୫ ଅଧିକ ଧାଡ଼ି ପଢ଼ିପାରୁଥିଲେ । ୧% ପାଇଲୋକାର୍ପିନ ଦିଆଯାଇଥିବା ଗୋଷ୍ଠୀରେ ସର୍ବୋତ୍ତମ ଫଳାଫଳ ଦେଖାଯାଇଥିଲା । ଏହି ଗୋଷ୍ଠୀର ୯୯% ଲୋକଙ୍କ ପାଖରେ ଦୃଷ୍ଟିଶକ୍ତିରେ ଉନ୍ନତି ଘଟିଥିଲା । ୨% ପାଇଲୋକାର୍ପିନ ଦିଆଯାଇଥିବା ଗୋଷ୍ଠୀରେ, ୬୯% ଲୋକ ୩ ଧାଡ଼ି କିମ୍ବା ତା’ଠୁ ଅଧିକ ଧାଡ଼ି ପଢ଼ିପାରୁଥିଲେ । ୩% ପାଇଲୋକାର୍ପିନ ଦିଆଯାଇଥିବା ଗୋଷ୍ଠୀରେ, ୮୪%ସ ୩ ଧାଡ଼ି କିମ୍ବା ତା’ଠୁ ଅଧିକ ଧାଡ଼ି ପଢ଼ିପାରୁଥିଲେ ।
ଏହି ଡ୍ରପ୍ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ?
ଏହି ଆଇ ଡ୍ରପ୍ଗୁଡ଼ିକର କିଛି ପାର୍ଶ୍ୱ ପ୍ରତିକ୍ରିୟା ଥିବା ରିପୋର୍ଟରେ ଜଣାପଡ଼ିଛି । ଯେପରିକି କିଛି ସମୟ ପାଇଁ ଦୃଷ୍ଟିଶକ୍ତି ହରାଇବା, ଝାପ୍ସା ଦେଖାଯିବା, ଆଖି ପୋଡ଼ା ହେବା ଏବଂ ସାମାନ୍ୟ ମୁଣ୍ଡବିନ୍ଧା । ତେବେ ଏହି ଆଇ ଡ୍ରପ୍ର ବ୍ୟବହାର ନିରାପଦ । ଏହାର ସୁରକ୍ଷା ଏବଂ ପ୍ରଭାବ ନିଶ୍ଚିତ କରିବା ପାଇଁ ଦୀର୍ଘ ସମୟର ଅଧ୍ୟୟନ ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି ।