ନୂଆଦିଲ୍ଲୀ ୨୪/୦୫: ପୃଥିବୀ ପୃଷ୍ଠ ତଳେ ବିଶାଳ ଜଳ ଭଣ୍ଡାର । ବୈଜ୍ଞାନିକମାନେ ୭୦୦ କିମି ତଳେ ଏହାକୁ ଚିହ୍ନଟ କରିଛନ୍ତି । ଏହା ଏତେ ବିଶାଳ ଯେ ପୃଥିବୀର ସମସ୍ତ ମହାସାଗର ଜଳକୁ ଧାରଣ କରିପାରେ । ଏହି ଲୁକ୍କାୟିତ ମହାସାଗର ଗଭୀର ମାଣ୍ଟେଲ (ପୃଥିବୀ ପୃଷ୍ଠ ତଳର ପରସ୍ତ) ଶିଳା ଭିତରେ ଫସିରହିଛି । ସିଧାସଳଖ ଏଠାରେ ପହଞ୍ଚି ହେବନାହିଁ କିମ୍ବା ଏହାକୁ ଦେଖି ହେବନାହିଁ ।
ଏହି ଆବିଷ୍କାରରୁ ଜଣାପଡ଼େ, ପୃଥିବୀରେ ପର୍ଯ୍ୟାପ୍ତ ପରିମାଣ ଜଳ ପୃଥିବୀ ଭିତରୁ ହିଁ ଆସିଛି, କୌଣସି ଧୂମକେତୁ କିମ୍ବା ଗ୍ରହାଣୁ ମାଡ଼ ଯୋଗୁ ନୁହେଁ । କୋଟି କୋଟି ବର୍ଷ ଧରି ମହାସାଗର ସ୍ତର କାହିଁକି ଅପେକ୍ଷାକୃତ ସ୍ଥିର ରହିଛି, ତାହା ମଧ୍ୟ ଏହି ଆବିଷ୍କାରରୁ ଜଣାପଡ଼ିପାରେ । ମାଣ୍ଟେଲର ଗଭୀରରେ ଜଳର ବ୍ୟବହାର କିଭଳି ଜାଣିଲେ ପୃଥିବୀ ଭୂବିଜ୍ଞାନକୁ ବୁଝିବା ବୈଜ୍ଞାନିକଙ୍କ ପାଇଁ ସହଜ ହେବ । ବର୍ତ୍ତମାନ ଆମେ ଦେଖୁଥିବା ମହାସାଗର ଏତେ ଦୀର୍ଘ ସମୟ ଧରି କିଭଳି ତିଷ୍ଠିଛି, ତାହା ବି ସେମାନେ ଜାଣିପାରିବେ ।
ଜଳ ମୁକ୍ତ ଭାବେ ପ୍ରବାହିତ ହେଉନାହିଁ, ‘ରିଙ୍ଗଉଡାଇଟ୍’ ମଧ୍ୟରେ ବାନ୍ଧି ହୋଇଛି । ଏହା ଏକ ବିରଳ ଖଣିଜ, ଯାହା ମାଣ୍ଟେଲର ପରିବର୍ତ୍ତନ କ୍ଷେତ୍ରର ଅତ୍ୟନ୍ତ ଚାପ ତଳେ ସ୍ଥିର ରହିଛି । ଏହି କ୍ଷେତ୍ର ପ୍ରାୟତଃ ୪୧୦ରୁ ୬୬୦ କିମି ଗଭୀରକୁ ବ୍ୟାପିଛି । ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଏହି ଖଣିଜ ଆଣବିକ ସ୍ତରରେ ଜଳକୁ ଅବଶୋଷ କରେ, ଯାହା ସ୍ପଞ୍ଜ ଭଳି ପ୍ରଭାବ ସୃଷ୍ଟି କରେ ଏବଂ ମାଣ୍ଟେଲକୁ ପ୍ରଚୁର ମାତ୍ରାରେ ଜଳ ଗଚ୍ଛିତ ରଖିବାରେ ସାହାଯ୍ୟ କରେ । ଅଧ୍ୟୟନର ନେତୃତ୍ୱ ନେଇଥିବା ନର୍ଥୱେଷ୍ଟର୍ନ ବିଶ୍ୱବିଦ୍ୟାଳୟର ଷ୍ଟିଭେନ୍ ଜ୍ୟାକବ୍ସେନ କହିଛନ୍ତି, ଅଧ୍ୟୟନକର୍ତ୍ତା ଆମେରିକାରେ ପ୍ରାୟ ୨୦୦୦ ସିସ୍ମୋଗ୍ରାଫ୍ (ଭୂକମ୍ପ ମାପକ) ବ୍ୟବହାର କରିଥିଲେ ଏବଂ ୫୦୦ରୁ ଅଧିକ ଭୂକମ୍ପରୁ ତରଙ୍ଗର ଅଧ୍ୟୟନ କରିଥିଲେ । ଭୂକମ୍ପ ତରଙ୍ଗ ଆର୍ଦ୍ର ଶିଳା ମଧ୍ୟରେ ଧିମା ଗତିକରେ । ତେଣୁ କେଉଁଠି ତରଙ୍ଗ ଧିମା ହୋଇଥିଲା ତାହା ମାପି ଜଳ ଭଣ୍ଡାର କେଉଁଠି ଲୁକ୍କାୟିତ ଅଛି, ଅଧ୍ୟୟନକର୍ତ୍ତା ତାହା ଚିହ୍ନଟ କରିପାରିଲେ । ସେମାନେ ଭୂକମ୍ପକୁ ଏକ ପ୍ରକାର ଗ୍ରହୀୟ ଏମ୍ଆର୍ଆଇ ରୂପେ ପ୍ରୟୋଗ କରି ପୃଥିବୀ ଭିତରେ କ’ଣ ହେଉଛି ତାହା ଦର୍ଶାଇଛନ୍ତି ବୋଲି ଜ୍ୟାକବ୍ସେନ୍ କହିଛନ୍ତି ।
ସେ ଆହୁରି କହିଛନ୍ତି, ପୃଥିବୀରେ ଜଳ କିଛି ମାତ୍ରାରେ ଗ୍ରହ ଭିତରୁ ଆସିଛି ବୋଲି ଏହି ଆବିଷ୍କାର ତା’ର ମଜଭୁତ ପ୍ରମାଣ । ଏହି ଗଭୀର ଜଳ ଭଣ୍ଡାର ସମୟ ସହିତ ପାଣିକୁ ପୃଥିବୀ ପୃଷ୍ଠରେ ପ୍ରବାହିତ ହେବାରୁ ଅଟକାଇବାରେ ସାହାଯ୍ୟ କରେ । ତେଣୁ ଏହି ଗଭୀର ଜଳ ଭଣ୍ଡାର ପାଇଁ ଆମେ କୃତଜ୍ଞ ହେବା ଉଚିତ୍ । ଯଦି ଏହା ସେଠାରେ ନଥାଇ ପୃଥିବୀ ପୃଷ୍ଠରେ ଥାନ୍ତା, କେବଳ ପର୍ବତମାନଙ୍କର ଶିଖର ହିଁ ଏକମାତ୍ର ଦୃଶ୍ୟମାନ ଭୂମି ହୋଇଥାନ୍ତା ବୋଲି ଜ୍ୟାକବ୍ସେନ କହିଛନ୍ତି । ଜଳ ଚକ୍ର ବିଷୟରେ ଆମ ଚିନ୍ତାଧାରାକୁ ଏହି ଆବିଷ୍କାର ବଦଳାଇଛି । ମହାସାଗରଗୁଡ଼ିକର ଜଳ ମାଣ୍ଟେଲର ସବ୍ଡକସନ୍ କ୍ଷେତ୍ରକୁ ଟାଣିହୋଇ ଆସେ । ସେଠାରେ ଖଣିଜ ଭଳି ରିଙ୍ଗ୍ଉଡାଇଟ୍ କିଛି ଜଳକୁ ଶୋଷିନିଏ । କୋଟି କୋଟି ବର୍ଷ ଧରି ଆଗ୍ନେୟଗିରି ଉଦ୍ଗୀରଣ ଓ ମାଣ୍ଟେଲ ଉପରକୁ ଉଠିବା ଯୋଗୁ କିଛି ଜଳ ପୃଷ୍ଠକୁ ଫେରିଆସେ । ଏହା ମହାସାଗରଗୁଡ଼ିକୁ ଅପେକ୍ଷାକୃତ ଭାବେ ସ୍ଥିର ରଖେ । ଏହି ଚକ୍ର ଦର୍ଶାଇଛି ଯେ ପୃଥିବୀର ଜଳ ପ୍ରଣାଳୀ ବାଦଲ, ନଦୀ ଓ ସମୁଦ୍ର ତୁଳନାରେ ବହୁତ ବଡ଼ । ତରଳ ଜଳ କାହିଁକି ଅରବ କୋଟି ବର୍ଷ ଧରି ତିଷ୍ଠିଛି ଏବଂ ମଙ୍ଗଳ ଭଳି ଗ୍ରହ କିମ୍ବା ଚନ୍ଦ୍ର ବହୁ ପୂର୍ବରୁ ଜୀବଜଗତ ହରାଇଥିବା ବେଳେ ପୃଥିବୀ ଜୀବଜଗତକୁ କେମିତି ସମର୍ଥନ କରୁଛି, ତାହା ମଧ୍ୟ ଦର୍ଶାଇଛି ।
ଆହୁରି ପଢ଼ନ୍ତୁ...Humpback Whale Record: ୨ ତିମିଙ୍କ ରେକର୍ଡ, ବ୍ରାଜିଲରୁ ଅଷ୍ଟ୍ରେଲିଆ ୧୫ ହଜାର କିମି ଯାତ୍ରା