ନୂଆଦିଲ୍ଲୀ ୦୨/୧୨: କମ୍‌ ଦାମ୍‌ରେ ସେକେଣ୍ଡ୍‌ ହ୍ୟାଣ୍ଡ ଜିନିଷର ଗୁରୁତ୍ୱ ଲୋକଙ୍କ ଜୀବନରେ କିଛି କମ୍‌ ନୁହେଁ । ଏଥିରେ ଘର, ଗାଡ଼ି, ବହିଠୁ ପିନ୍ଧା ପୋଷାକ ଏବଂ ଦୈନନ୍ଦିନ ଜୀବନରେ ବ୍ୟବହୃତ କିଛି ବସ୍ତୁ ସାମିଲ । ଏବେ ପ୍ରଶ୍ନ ହେଉଛି ଖାଦ୍ୟପେୟ ସାମଗ୍ରୀ କ’ଣ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ହୋଇପାରେ? ହଁ, ଏଭଳି ଏକ ସ୍ଥାନ ଅଛି ଯେଉଁଠି ସେକେଣ୍ଡ୍‌-ହ୍ୟାଣ୍ଡ୍‌ ଫ୍ରାଏଡ୍‌ ଚିକେନ୍‌ ମିଳେ ।

ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ୍‌ର ରିପୋର୍ଟ ଅନୁସାରେ, ଫିଲିପିନ୍ସର ମଲିନ୍‌ ବସ୍ତିରେ ଦୀର୍ଘ ଦଶନ୍ଧି ଧରି ଏକ ବ୍ୟଞ୍ଜନ ଲୋକପ୍ରିୟ ହୋଇଛି, ଯାହା ‘ପଗ୍‌ପଗ୍‌’ ବା ‘ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଫ୍ରାଏଡ୍‌ ଚିକେନ୍‌’ ନାମରେ ପରିଚିତ । ଚୀନ୍‌ର ଜଣେ ଇନ୍‌ଫ୍ଲୁଏନ୍ସର ଏହାର ସ୍ୱାଦକୁ ଚାଖି ଏହାର ପୂରା କାହାଣୀ ଶେୟାର କରିବା ପରେ ପଗ୍‌ପଗ୍‌ ଚର୍ଚ୍ଚାକୁ ଆସିଛି । ପଗ୍‌ପଗ୍‌ ଶବ୍ଦର ଅର୍ଥ- ଧୂଳି ଝାଡ଼ିବା । ଫିଲିପିନ୍ସିର ଗରିବ କ୍ଷେତ୍ରର ଲୋକମାନେ ଦୀର୍ଘ ଦଶନ୍ଧି ହେଲା ଏହାକୁ ଖାଇଆସୁଛନ୍ତି । ଫିଙ୍ଗାଯାଉଥିବା ଓ ବଳକା ଖାଦ୍ୟ-ପଦାର୍ଥରୁ ଏହାକୁ ପ୍ରସ୍ତୁତ କରାଯାଏ । ଧନୀ ବ୍ୟକ୍ତି ଖାଇବା ପରେ ଯେଉଁ ଚିକେନ୍‌ ବଳିପଡ଼େ, ତାକୁ ସଫା କରି ପୁଣି ମସଲାରେ ବୁଡ଼ାଯାଏ । ଆଉ ଥରେ ତେଲରେ ଛଣାଯାଏ । ତା’ପରେ ଏହାକୁ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଫ୍ରାଏଡ୍‌ ଚିକେନ୍‌ ଭାବେ ବିକ୍ରି କରାଯାଏ ।

​​​​​​​

ଏହି ବ୍ୟଞ୍ଜନ କିଛି ଗରିବ ପରିବାରଙ୍କ ପାଇଁ ପ୍ରୋଟିନ୍‌ର ଏକମାତ୍ର ଶସ୍ତା ସ୍ରୋତ । ୧୯୬୦ ଦଶକରେ ଉତ୍କଟ ଦାରିଦ୍ର‌୍ୟରୁ ଏହାର ଉତ୍ପତ୍ତି ହୋଇଥିଲା । ଏହି ସମୟରେ ଦେଶ ଋଣ ସଙ୍କଟ ଓ ବେକାରୀ ମଧ୍ୟଦେଇ ଗତି କରୁଥିଲା । ଏଥିଯୋଗୁ ଲୋକେ କାମ ପାଇଁ ସହରାଞ୍ଚଳକୁ ପଳାୟନ ପାଇଁ ବାଧ୍ୟ ହେଉଥିଲେ । ଏହି ଗରିବ ସମୁଦାୟ ବିଭିନ୍ନ ସ୍ରୋତରୁ ପ୍ରୋଟିନ୍‌ର ବଳକା ଖଣ୍ଡଗୁଡ଼ିକର ଉପଯୋଗ ଆରମ୍ଭ କଲେ । ପରେ ତାହା ପଗ୍‌ପଗ୍‌ରେ ରୂପାନ୍ତରିତ ହେଲା । ଏହାର ପ୍ରସ୍ତୁତି ଲାଗି ଅଳିଆ ଉଠାଉଥିବା ଲୋକେ ସାଧାରଣତଃ ସକାଳୁ ପ୍ରଥମେ ଉତ୍ତମ ରୂପେ ସଂରକ୍ଷିତ ଖାଦ୍ୟ ଅବଶେଷର ଅନ୍ୱେଷଣରେ ଯାଉଥିଲେ । ସେମାନେ ଏଗୁଡ଼ିକୁ ବିକ୍ରେତାଙ୍କୁ ବିକ୍ରି କରୁଥିଲେ । ବିକ୍ରେତା ଏହି ବଳକା ସାମଗ୍ରୀଗୁଡ଼ିକୁ କାଟି, ପରିଷ୍କାର କରି ମସଲାରେ ଗୋଳାଉଥିଲେ । ସେହି ମିଶ୍ରଣକୁ ଛାଣି ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଫ୍ରାଏଡ୍‌ ଚିକେନ୍‌ ପ୍ରସ୍ତୁତ କରୁଥିଲେ । ଏହାର ମୂଲ୍ୟ ୨୦-୩୦ ଟଙ୍କା ।