ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଗୁରୁବାର ଆଡିଲେଡରେ ଖେଳାଯିବ। ଭାରତୀୟ ଦଳ ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିଲା । ଏବେ ଟିମ୍ ଇଣ୍ଡିଆ ପାଖରେ ସିରିଜକୁ ୧-୧ରେ ବରାବର କରିବାର ସୁଯୋଗ ରହିଛି। ପ୍ରଥମ ମ୍ୟାଚରେ ଭାରତର ଟପ୍ ଅର୍ଡର ବିଫଳ ହୋଇଥିଲା। ଦଳ ପାଇଁ ଏହା ଚିନ୍ତାର କାରଣ । ଏହାରି ମଧ୍ୟରେ ଖବର ଆସିଛି ଯେ, ରୋହିତ ଶର୍ମା ଦ୍ୱିତୀୟ ଦିନିକିଆରୁ ବାଦ ପଡ଼ିପାରନ୍ତି। ଆଡିଲେଡ ଦିନିକିଆ ପାଇଁ ଭାରତର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ଘଣ୍ଟା ଘଣ୍ଟା ନେଟ୍ସରେ ବିତାଇଛନ୍ତି । କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି ଯେ, ଅଭ୍ୟାସ ସେସନ୍ ପରେ ଯେତେବେଳେ ସେ ହୋଟେଲକୁ ଫେରିଥିଲେ, ତାଙ୍କର ଆଚରଣ ସାଧାରଣ ନଥିଲା। ସେପଟେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯଶସ୍ୱୀ ଜୟସୱାଲଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା । ଯିଏ ରୋହିତଙ୍କ ସ୍ଥାନରେ ଓପନିଂ କରିପାରନ୍ତି । ସେହିଭଳି ରୋହିତଙ୍କୁ କୌଣସି ଆଘାତ ଲାଗିନାହିଁ, ତେଣୁ ତାଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାଦ ଦିଆଯାଇ ନପାରେ ବୋଲି ମଧ୍ୟ କୁହାଯାଉଛି ।
ଅନ୍ୟପଟେ ପ୍ରଥମ ଦିନିକିଆରେ ଯଦିଓ ରୋହିତ ଶର୍ମା (୮), ବିରାଟ କୋହଲି (୦), ଏବଂ ଶୁଭମନ ଗିଲ (୧୦) ବିଫଳ ହୋଇଥିଲେ, କିନ୍ତୁ ସେମାନଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ଅନେକ ସୁଯୋଗ ରହିଛି। ଉପ-ଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନ ମଧ୍ୟ ନିଶ୍ଚିତ ମନେ ହେଉଛି। ତେବେ କେଏଲ ରାହୁଲ ଏବଂ ଅକ୍ଷର ପଟେଲ ପର୍ଥରେ ଜଟିଳ ପରିସ୍ଥିତିରେ ଯଥାକ୍ରମେ ୩୮ ଏବଂ ୩୧ ରନ କରିବାରେ ସକ୍ଷମ ହୋଇଥିଲେ ।
ଆଡିଲେଡ୍ ଦିନିକିଆ ପାଇଁ କୁଲଦୀପ ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । କିନ୍ତୁ କେଉଁ ବୋଲରଙ୍କ ରିପ୍ଲେସ ସାଜିବେ କୁଲଦୀପ, ତାହା ପ୍ରଶ୍ନବାଚୀ । କୁଲଦୀପ ଆସିଲେ ନୀତିଶ କୁମାର ରେଡ୍ଡୀ କିମ୍ବା ହର୍ଷିତ ରାଣାଙ୍କୁ ବାଦ ଦିଆଯାଇପାରେ । କାରଣ ଅନ୍ୟ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ ବୋଲି କୁହାଯାଉଛି ।
ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି , ଶ୍ରେୟସ୍ ଆୟର, ଅକ୍ଷର ପଟେଲ, କେ.ଏଲ୍ ରାହୁଲ, ନୀତୀଶ କୁମାର ରେଡ୍ଡୀ / ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ