ଭୁବନେଶ୍ୱର,୧୭/୧୧: ଲମ୍ବୁଛି ପ୍ରଦେଶ  କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ପ୍ରକ୍ରିୟା ।  ଚୟନ କମିଟି ଗସ୍ତର ପାଖାପାଖି ଦୁଇ ସପ୍ତାହ ପରେ ବି  ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର  ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ ଦାଖଲ କରିବ  ବୋଲି ସୂଚନା ମିଳିଛି । ଯାହାକୁ ନେଇ ପିସିସି ସଭାପତି  ନିଯୁକ୍ତି ଆହୁରି ବିଳମ୍ବ ହେବ ବୋଲି ଲାଗୁଛି । ଆସନ୍ତା  ଡିସେମ୍ବରରେ ନୂଆ ପିସିସି ସଭାପତି ମିଳିପାରେ ବୋଲି  ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । 

ପିସିସି ସଭାପତି ଚୟନ ପାଇଁ ଗତ ୪ ତାରିଖରେ  ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ଚରଣଦାସ ମହନ୍ତ  ଓ ମୀନାକ୍ଷି ନଟରାଜନ ଓଡ଼ିଶା ଆସିଥିଲେ । କଂଗ୍ରେସ  ଭବନରେ ନେତାମାନଙ୍କୁ ଭେଟିବା ସହ ଜଣ ଜଣ କରି  ମଧ୍ୟ ପଚାରିଥିଲେ । ମାତ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇପାରୁନଥିବାରୁ ପିସିସି ସଭାପତି ଚୟନ ଅଟକିଛି । 

ପିସିସି ସଭାପତି ଦୌଡ଼ରେ ଏବେ ୬ରୁ ଅଧିକ  ନେତାଙ୍କ ନାମ ଚର୍ଚ୍ଚା ହେଉଛି । ସାଂସଦ ସପ୍ତଗିରି  ଉଲାକାଙ୍କ ନାମ ସବୁଠୁ ଆଗରେ । ହେଲେ ତାଙ୍କ  ଜିଲ୍ଲାରୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର  କାଡାମଙ୍କୁ ନିଯୁକ୍ତି ମିଳିଥିବାରୁ ପୁଣି ସପ୍ତଗିରିଙ୍କୁ ପିସିସି  ସଭାପତି ଭାବେ ନିଯୁକ୍ତି ଆଶା କ୍ଷୀଣ । କଟକ ବାରବାଟୀର  ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଚର୍ଚ୍ଚାରେ  ରହିଛି । ପ୍ରଭାରୀ ଅଜୟ କୁମାରଙ୍କ ନିର୍ବାଚନ ପ୍ରଚାର  ବେଳେ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା ।  ତେଣୁ ସେ ପରବର୍ତ୍ତୀ ପିସିସି ସଭାପତି ହୋଇପାରନ୍ତି  ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି । 

ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା  ୪ ଦିନ ଦିଲ୍ଲୀରେ ରହି ଫେରିଛନ୍ତି । ସେ ବ୍ୟକ୍ତିଗତ  କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ ବୋଲି କହିଛନ୍ତି । କିନ୍ତୁ  ଦଳର କିଛି ନେତାଙ୍କ ଅନୁଯାୟୀ ପିସିସି ସଭାପତି  ଦୌଡ଼ରେ ଶ୍ରୀକାନ୍ତ ଅଛନ୍ତି । ନିଜେ ନ ହୋଇପାରିଲେ  ତାଙ୍କ ଅନୁଗତଙ୍କୁ କରିବା ପାଇଁ ଲବି କରୁଥିବା ନେଇ  ଯୁକ୍ତି ବାଢ଼ିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ  ଜେନା ଅନ୍ୟତମ ଆଶାୟୀ । ତାଙ୍କୁ ସାନଖେମୁଣ୍ଡି  ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ  ଯୁବ ଓ ଛାତ୍ର ନେତା ସମର୍ଥନ କରୁଛନ୍ତି । ପୂର୍ବତନ  ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗାନ୍ଧି ପରିବାର  ସହ ଭଲ ସମ୍ପର୍କ ଥିବାରୁ ସେ ଆଉ ଥରେ ସୁଯୋଗ  ପାଇପାରନ୍ତି । ପୂର୍ବତନ ସୁକିନ୍ଦା ବିଧାୟକ ତଥା ବରିଷ୍ଠ  କଂଗ୍ରେସ ନେତା ଶରତ ରାଉତ ଓ ପୂର୍ବତନ ସାଂସଦ  ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ଲବି କରୁଥିବା ସୂଚନା ମିଳିଛି ।