ଢେଙ୍କାନାଳ,୨/୦୮: ଚାଷୀ ପଞ୍ଜୀକରଣର ଜଟିଳ  ବ୍ୟବସ୍ଥାକୁ ସରଳ କରିବାକୁ ଉତ୍ତରାଧିକାରୀ ଭାବେ  ବଂଶାନୁକ୍ରମ ପ୍ରମାଣପତ୍ର ଲୋଡ଼ା ନାହିଁ । କେବଳ ସ୍ୱ -ଘୋଷଣାପତ୍ର(ସେଲ୍ଫ ଡିକ୍ଲାରେସନ୍‌ ଫର୍ମ) ଦେଇ  ପଞ୍ଜିକରଣ ହେବ ବୋଲି ସରକାର ଘୋଷଣା କରିଛନ୍ତି ।  ହେଲେ ବିଭାଗୀୟ ଚିଠି ହୋଇନଥିବାରୁ ଯେଉଁଭଳି ସମସ୍ୟା  ଲାଗି ରହିଥିଲା ସେଥିରେ ସୁଧାର ଆସିପାରିନାହିଁ । ଓଲଟି  ଘୋଷଣା ଓ ବାସ୍ତବତା ଭିତରେ ଚାଷୀଙ୍କ ଠାରୁ ଅଧିକାରୀ  ଦହଗଞ୍ଜ ହେଉଛନ୍ତି । ଏବେବି ବଂଶାନୁକ୍ରମ ପ୍ରମାଣପତ୍ର  ଲୋଡ଼ା ପଡୁଛି । ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ଏହା ତୁରନ୍ତ  ଦେବାରେ କୁନ୍ଥ କୁନ୍ଥ ହେଉଥିବା ଅଭିଯୋଗ ହୋଇଆସୁଛି ।  ଏକ୍ଷେତ୍ରରେ କାମାକ୍ଷାନଗର ଓ ତୁମୁସିଂହା ତହସିଲ ପଛରେ ପଡ଼ିଛି । ଯାହାଫଳରେ ଆଜିସୁଦ୍ଧା ମାତ୍ର ୮ ହଜାର ୪୪୧  ଚାଷୀ ପଞ୍ଜୀକରଣ ହୋଇପାରିଛି । ସ୍ୱଘୋଷଣା ପତ୍ର  ନିୟମ କେବେ ଲାଗୁ ହେବ ଚାଷୀ ଅପେକ୍ଷାରେ ରହିଛନ୍ତି ।  

ଚଳିତ ବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ  ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ଯେଉଁ ପ୍ଲଟ୍‌ ବାପା,  ଜେଜେବାପାଙ୍କ ନାମରେ ରହିଛି, ତାହାର ଉତ୍ତରାଧିକାରୀ  କେଉଁମାନେ ରହିଛନ୍ତି ତାହାର ବଂଶାନୁକ୍ରମ ପ୍ରମାଣପତ୍ର  ପ୍ରଥମେ ଆର୍‌ଆଇଙ୍କ ନିକଟରୁ ଆଣିବାକୁ ପଡୁଛି । ସେଥିରେ  ଥିବା ଅନ୍ୟ ଉତ୍ତରାଧିକାରୀଙ୍କ ଠାରୁ ଅନୁମତି ପତ୍ର ଆଣି  ଦେଲେ ପଞ୍ଜିକରଣ କରାଯାଉଛି । ଯାହାଫଳରେ ଭାଇ  ଭାଇ ବିବାଦ ଓ ଭଉଣୀଙ୍କ ଅନୁମତି ପାଇଁ ଚାଷୀ ନାକେଦମ  ହେଉଛନ୍ତି । ଭାଇ ବାହାରେ ରହୁଥିଲେ ହ୍ୱାଟ୍‌ସଆପରେ ଫର୍ମ  ପଠାଇବାକୁ ପଡୁଛି । ସେ ସେଠାରେ ପୂରଣ କରି ପଠାଇବା  ପରେ ଚାଷୀ ଦାଖଲ କରି ପଞ୍ଜିକରଣ କରୁଛି । ଯଦି କୌଣସି  ଭାଇ ବା ଭଉଣୀ ଅନୁମତି ନଦେଲେ ପଞ୍ଜିକରଣ କରିବା  ଚାଷୀ ପାଇଁ ଅସମ୍ଭବ ହୋଇପଡୁଛି । ଚାଷ ସମୟରେ ଚାଷୀ  ଆର୍‌ଆଇଙ୍କ ପାଖକୁ ଧାଇଁବା ଓ ଅନୁମତିପତ୍ର ସଂଗ୍ରହ କରି  ପଞ୍ଜିକରଣ କରିବା ଚାଷ କାମରେ ବାଧା ସୃଷ୍ଟି କରୁଛି । ଏ  ସମ୍ପର୍କରେ ଖବର ପ୍ରକାଶ ପାଇବା ଓ ବିଭିନ୍ନ ଚାଷୀ ସଂଗଠନ  ପ୍ରତିବାଦ କରିବା ପରେ ସରକାର ଏହାକୁ ସରଳିକରଣ  କରିଥିବା ଘୋଷଣା କରିଛନ୍ତି । ଚାଷୀ କେବଳ ସ୍ୱ ଘୋଷଣାପତ୍ର  ଦେଇ ପଞ୍ଜୀକରଣ କରିବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।   

ହେଲେ ଏପର୍ଯ୍ୟନ୍ତ କିନ୍ତୁ ବିଭାଗ ପକ୍ଷରୁ ଚିଠି  କରାଯାଇନାହିଁ । ଯାହାଫଳରେ ଜିଲ୍ଲା ସ୍ତରରେ ତାହା  କାର୍ଯ୍ୟକାରୀ ହୋଇପାରିନାହିଁ । ସ୍ୱ ଘୋଷଣାପତ୍ର ଫର୍ମ ମିଳିବ  ବୋଲି କୁହାଯାଇଥିବା ବେଳେ ଏପର୍ଯ୍ୟନ୍ତ ପଞ୍ଜୀକରଣ  ପୋର୍ଟାଲରେ ଉକ୍ତ ଫର୍ମ ଉପଲବ୍ଧ ହୋଇନାହିଁ । ବରଂ ଜମି  ରେକର୍ଡ ଧାରକଙ୍କ ଦ୍ୱାରା ଧାନ ବିକ୍ରି ପାଇଁ ସମ୍ମତି ପତ୍ର  ଓ ଭାଗ ଚାଷ ନିମନ୍ତେ ପ୍ରକୃତ ରେକର୍ଡ ଧାରକଙ୍କ ଦ୍ୱାରା  ଧାନ ବିକ୍ରି ପାଇଁ ସମ୍ମତି ପତ୍ରର ଫର୍ମ ଉପଲବ୍ଧ ରହିଛି ।  ସ୍ୱଘୋଷଣା ପତ୍ର ସମ୍ପର୍କରେ ସରକାର ଘୋଷଣା କରିଥିବାରୁ  ଚାଷୀ ସମିତିରେ ପହଞ୍ଚି ପ୍ରଶ୍ନ କରୁଛନ୍ତି । ହେଲେ ଚିଠି  ହୋଇନଥିବାରୁ ପୂର୍ବଭଳି ବଂଶାନୁକ୍ରମ ପ୍ରମାଣପତ୍ର ଓ  ଅନୁମତି ପତ୍ର ଦେଲେ ହିଁ ପଞ୍ଜୀକରଣ କରାଯାଉଛି ।  

ଅନ୍ୟପକ୍ଷରେ ବଂଶାନୁକ୍ରମ ପ୍ରମାଣପତ୍ର ଦେବାରେ  ଅନେକ ସ୍ଥାନରେ ଆର୍‌ଆଇମାନେ ବିଳମ୍ବ କରୁଛନ୍ତି । ଜିଲ୍ଲା  ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ତୁରନ୍ତ ପ୍ରମାଣପତ୍ର ଯୋଗାଇ  ଦେବାକୁ କୁହାଯାଉଥିଲେ ବି ବିଳମ୍ବ ହେଉଛି । ଅନେକ  ସ୍ଥାନରେ ତୁରନ୍ତ ମଧ୍ୟ ଦେଇ ଦିଆଯାଉଛି । ଏକ୍ଷେତ୍ରରେ  କାମାକ୍ଷାନଗର ଓ ତୁମୁସିଂହା ତହସିଲ ପଛରେ ପଡ଼ିଥିବା ଜିଲ୍ଲା  ସମବାୟ ବିଭାଗ ପକ୍ଷରୁ ଜଣାଯାଇଛି । ଏହି ସମୟ ମଧ୍ୟରେ  

ଗତବର୍ଷ ୧୨ ହଜାର ଚାଷୀ ପଞ୍ଜିକରଣ କରିସାରିଥିବା ସ୍ଥଳେ  ଏଭଳି ସମସ୍ୟା କାରଣରୁ ଏବେ ମାତ୍ର ୮ ହଜାର ୪୪୧  ଚାଷୀ ପଞ୍ଜୀକରଣ କରିଛନ୍ତି । ଏ ସମ୍ପର୍କରେ ଡିଆର୍‌ସିଏସ୍‌  ଉମାଶଙ୍କର ରାଉତ କହିଛନ୍ତି, ସ୍ୱ ଘୋଷଣାପତ୍ର ବ୍ୟବସ୍ଥା ନେଇ  ଚିଠି ଆସିନାହିଁ । ଫଳରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ତାହା କରଗଲେ ପଞ୍ଜୀକରଣ ଶୀଘ୍ର ହୋଇପାରିବ । ବଂଶାନୁକ୍ରମ ପ୍ରମାଣପତ୍ର କିଭଳି ଶୀଘ୍ର ମିଳିପାରିବ ସେନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ଚାଷୀଙ୍କ ସୁବିଧା  ପାଇଁ ପ୍ରଚେଷ୍ଠା କରାଯାଉଛି ବୋଲି ଶ୍ରୀ ରାଉତ କହିଛନ୍ତି।