ନୋଏଡା – ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଲଗାତାର ଚର୍ଚ୍ଚାରେ ରହିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ,କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସୀମା ହାଇଦର ପାକିସ୍ତାନ ଫେରିବେ କି ? ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ଲୋକ ତାଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରୁଛନ୍ତି। ଏବେ ଏହି ଲୋକଙ୍କ ମଧ୍ୟରେ ଗୋଟେ ସମୟରେ ତାଙ୍କର ଓକିଲ ରହିଥିବା ହେମନ୍ତ ପରାସର ମଧ୍ୟ ସାମିଲ ହୋଇ ଯାଇଛନ୍ତି। ସେ ମଧ୍ୟ ସୀମା ହାଇଦରଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରିଛନ୍ତି। ଏହା ସହ ସେ ଦାବି କରିଛନ୍ତି ଯେ, ପିଏମ୍ ମୋଦି ପହଲଗାମ ହମଲା ପରେ ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଏହି ହିସାବରେ ସୀମା ହାଇଦର ମଧ୍ୟ ଖୁବ୍ ଶୀଘ୍ର ପାକିସ୍ତାନ ଯିବେ।
ସୀମା ହାଇଦର ଓ ସଚିନ ମୀଣାଙ୍କ ଜାମିନ କରାଇ ଥିବା ଓକିଲ ହେମନ୍ତ ପାରାସର ଟିଭି-୯ ସହ କଥାବାର୍ତ୍ତାରେ କହିଛନ୍ତି ,ପାକିସ୍ତାନ ଆମର ଶତ୍ରୁ ଦେଶ ଏବଂ ସୀମା ହାଇଦର ମଧ୍ୟ ଏହି ଶତ୍ରୁ ଦେଶର ନାଗରିକ। ସେ ଅବୈଧ ଉପାୟରେ ଏଠାରେ ରହୁଛନ୍ତି। ଏଥିପାଇଁ ତାଙ୍କୁ ତୁରନ୍ତ ଏଠାରୁ ଡିପୋର୍ଟ କରାଯିବା ଉଚିତ୍। ସେ ଆହୁରି କହିଛନ୍ତି, ଯଦି ସୀମା ହାଇଦର ମାଆ ବି ହୋଇଯାନ୍ତି ତ ତାଙ୍କୁ ଡିପୋର୍ଟ କରିବାରେ କୌଣସି ସମସ୍ୟା ହେବ ନାହିଁ। ଯଦି ସରକାର ଚାହାନ୍ତି ତ ସୀମାଙ୍କ ବିରୋଧରେ ଚାଲୁ ରହିଥିବା ମୋକଦମାକୁ ସ୍ଥଗିତ କରି ଡିପୋର୍ଟ କରାଯାଇ ପାରେ।
ସେ କହିଛନ୍ତି , ପୂର୍ବରୁ କେହି ମହିଳା ପାକିସ୍ତାନରୁ ଆସି ଭାରତରେ ମାଆ ହୋଇ ଥିଲେ , ତାଙ୍କୁ ଏଠାରେ ନାଗରିକତା ମିଳି ଯାଉଥିଲା , କିନ୍ତୁ ଏବେ ସେ ଆଇନ ବନ୍ଦ ହୋଇ ସାରିଛି , ଏଥିପାଇଁ ସୀମା ହାଇଦରଙ୍କୁ ଭାରତର ନାଗରିକତା କେବେ ବି ମିଳିବ ନାହିଁ। ସେଠାରେ ସୀମା ହାଇଦରଙ୍କ ଓକିଲ ଏପି ସିଂହଙ୍କ ଏହି ଦାବିରେ ତାଙ୍କର ଡକ୍ୟୁମେଣ୍ଟ ଗୃହ ମନ୍ତ୍ରଣାଳୟ ଓ ଏଟିଏସ ପାଖରେ ଅଛି, ହେମନ୍ତ ପାରାସର ପଚାରିଛନ୍ତି କି, କେଉଁ ଡକ୍ୟୁମେଣ୍ଟ ? ସେହି ଡକ୍ୟୁମେଣ୍ଟ ଗୁଡ଼ିକୁ ସାର୍ବଜନିକ କରନ୍ତୁ। ତାଙ୍କର କୌଣସି ଡକ୍ୟୁମେଣ୍ଟ ଜମା ନାହିଁ କି ସୀମା ହାଇଦରଙ୍କୁ ନାଗରିକତା ମିଳିବ ନାହିଁ।
କହି ରଖୁଛୁ କି ,ଗୋଟେ ପଟେ ସୀମା ହାଇଦରଙ୍କୁ ପାକିସ୍ତାନ ପଠାଇବାର ଦାବି କରାଯାଉଥିବା ବେଳେ ଅନ୍ୟପଟେ ସୀମା ହାଇଦର ନିଜେ ଗତ କିଛି ଦିନରୁ ଏହି ମାମଲାରେ ପୂରା ଚୁପ୍। ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଗତ ୧୦-୧୧ ଦିନରୁ ଗୋଟିଏ ବି ଭିଡ଼ିଓ ଆସି ନାହିଁ। ହେଲେ ତାଙ୍କର ଓକିଲ ଓ ନିଜକୁ ସୀମା ହାଇଦରଙ୍କ ଭାଇ କହୁ ଥିବା ଏପି ସିଂହ ଲଗାତାର ସୀମା ହାଇଦରଙ୍କୁ ପାକିସ୍ତାନ ନପଠାଇବାକୁ ଦାବି କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସୀମା ହାଇଦରଙ୍କ ମାମଲା କୋର୍ଟରେ ବିଚାରାଧିନ ରହିଛି ଏବଂ ତାଙ୍କର ସବୁ କାଗଜପତ୍ର ଗୃହ ମନ୍ତ୍ରଣାଳୟ ଓ ଏଟିଏସ୍ ପାଖରେ ଜମା ରହିଛି। ଏଥିପାଇଁ ସେ ଏହା ମଧ୍ୟ ଯୁକ୍ତି କରିଛନ୍ତି ଯେ, ସୀମା ହାଇଦରଙ୍କୁ ଜାମିନ୍ ସମୟରେ ଯାହା ବି ଆଦେଶ ମିଳିଥିଲା , ସେ ସେ ସବୁର ପାଳନ କରୁଛନ୍ତି ଏବଂ ସେ ଏବେ ଭାରତରେ ଏକ ଝିଅକୁ ଜନ୍ମ ମଧ୍ୟ ଦେଇଛନ୍ତି।
ସୀମା ହାଇଦରଙ୍କ ବନ୍ଧୁତା ଭାରତର ସଚିନ ମୀଣାଙ୍କ ସହ ପବଜୀ ଗେମ୍ ଖେଳିବାରେ ହୋଇଥିଲା ଏବଂ ଧିରେ ଧିରେ ଦୁହିଁଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇ ଥିଲା। ଏହାପରେ ୨୦୨୩ରେ ସୀମା ହାଇଦର ନିଜର ୪ ପିଲାଙ୍କ ସହ ନେପାଳ ରାସ୍ତାରେ ପାକିସ୍ତାନରୁ ଭାରତ ଆସି ଥିଲେ। ନେପାଳରେ ସଚିନ ମୀଣାଙ୍କୁ ବିବାହ କରିବା ପରେ ଭାରତରେ ମଧ୍ୟ ତାଙ୍କୁ ବିବାହ କରିଥିଲେ ଏବଂ ଏବେ ନୋଏଡାର ରାବୁପୁରା ଗାଁରେ ରହୁଛନ୍ତି।