‘ଅର୍ବାନ ନକ୍ସଲ’ ଗୋଷ୍ଠୀ ଉପରେ ବିଭିନ୍ନ ସହରରେ ପୁଲିସ ଓ ଗୁଇନ୍ଦା ଟିମ୍ ସ୍ୱତନ୍ତ୍ର ଭାବେ ନଜର ରଖିଛନ୍ତି । ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । କିନ୍ତୁ ଅନେକ ସ୍ଥଳରେ କୋର୍ଟରେ ସେମାନଙ୍କ ବିରୋଧରେ ଆରୋପ ପ୍ରମାଣିତ କରିବା ସହଜ ହୋଇନି । କାରଣ ଏହା ଏକ ଚିନ୍ତାଧାରାର ଲଢ଼େଇ।
୨୦୨୬ ମାର୍ଚ୍ଚ ୩୧ । ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ସମ୍ଭବତଃ ଲିପିବଦ୍ଧ ହୋଇ ରହିବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା ଅନୁସାରେ ଏହି ଦିବସ ପୂର୍ବରୁ ଦେଶରେ ନକ୍ସଲ(ମାଓବାଦୀ)ଙ୍କୁ ନିପାତ କରାଯିବ ଏବଂ ଦେଶ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ଆତଙ୍କରୁ ମୁକ୍ତ ହୋଇଯିବ । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବ୍ଲୁପ୍ରିଣ୍ଟ ଅନୁସାରେ ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗର ତଥ୍ୟ ଅନୁସାରେ, ଏନକାଉଣ୍ଟରରେ ନକ୍ସଲଙ୍କ ନିହତ ସଂଖ୍ୟାରେ ବିଗତ ଦୁଇବର୍ଷରେ ୫୭% ବୃଦ୍ଧି ଘଟିଛି । ୨୦୨୩ ମସିହାରେ ଏହି ସଂଖ୍ୟା ୫୮ ଥିବାବେଳେ ୨୦୨୪ରେ ୨୩୭କୁ ବୃଦ୍ଧି ଘଟିଥିଲା ।
୨୦୨୫ରେ ପ୍ରଥମ ୫ ମାସରେ ଏହି ସଂଖ୍ୟା ୩୦୦କୁ ଟପିଗଲାଣି । କେବଳ ଛତିଶଗଡ଼ରେ ୨୦୨୩ ଡିସେମ୍ବରରୁ ୨୦୨୫ ମେ’ ମାସ ମଧ୍ୟରେ ୪୦୧ଜଣ ନକ୍ସଲ ନିହତ ହୋଇଛନ୍ତି ଏବଂ ୧୩୫୫ଜଣ ଆତ୍ମସମର୍ପଣ କରିଥିବା ରାଜ୍ୟ ସରକାରଙ୍କ ତଥ୍ୟ କହୁଛି । ରାଜ୍ୟରେ ଏହି ଅବଧିରେ ୬୮୨ଟି ନକ୍ସଲ ହିଂସା ହୋଇଛି, ୧୯୯ଟି ଏନକାଉଣ୍ଟର ଘଟିଛି, ୫୧୬ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି, ୨୧୪ଜଣ ଯବାନ ଆହତ ହୋଇଥିବାବେଳେ ୮୭ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରାଳୟର ତଥ୍ୟାନୁସାରେ, ୨୦୦୪ରୁ ୨୦୧୪ ମଧ୍ୟରେ ସମଗ୍ର ଦେଶରେ ୧୬,୪୬୩ଟି ନକ୍ସଲ ହିଂସା ହୋଇଥିବାବେଳେ ୨୦୧୪ରୁ ୨୦୨୪ ଅବଧିରେ ୫୩% ହ୍ରାସ ପାଇ ୭,୭୪୪ ହୋଇଥିଲା ।
ସେହିପରି ବାମପନ୍ଥୀ ଉଗ୍ରବାଦ(ନକ୍ସଲ) ପ୍ରଭାବିତ ଜିଲ୍ଲାର ସଂଖ୍ୟା ୨୦୧୪ରେ ୧୨୬ ଥିବାବେଳେ ୨୦୧୮ରେ ୯୦, ୨୦୨୧ରେ ୭୦ ଏବଂ ୨୦୨୪ରେ ୩୮କୁ ହାସ ପାଇଥିଲା । ୨୦୨୫ରେ ଏଭଳି ଜିଲ୍ଲା ସଂଖ୍ୟା ୬କୁ ହ୍ରାସ ପାଇଥିବା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ । ଚଳିତ ମେ’ ୨୧ରେ ଛତିଶଗଡ଼ର ଅବୁଝମଡ଼ ଜଙ୍ଗଲରେ ସିପିଆଇ-ମାଓବାଦୀ ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ନିହତ ହେବାପରେ ସୁରକ୍ଷା ବାହିନୀର ଉତ୍ସାହ ଦ୍ୱିଗୁଣ ହୋଇଛି ଏବଂ ୨୦୨୬ ମାର୍ଚ୍ଚ ୩୧ର ଲକ୍ଷ୍ୟ ହାସଲ ନିଶ୍ଚିତ ହେବ ବୋଲି ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି । ଭବିଷ୍ୟତରେ ନକ୍ସଲ ଯେପରି ପୁନର୍ବାର ମୁଣ୍ଡ ଟେକି ନପାରିବେ ସେଥିପାଇଁ ଲକ୍ଷ୍ୟ ହାସଲର ଏକବର୍ଷ ପର୍ଯ୍ୟନ୍ତ ସିଆରପିଏଫ ଛତିଶଗଡ଼ରେ ଅବସ୍ଥାନ କରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।
ଏବେ ଅନେକ ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନ ଉଠିଛି ଜଙ୍ଗଲରୁ ନକ୍ସଲଙ୍କ ନିପାତ ଜଳଜଳ ଦେଖାଯାଉଛି ସତ, କିନ୍ତୁ ନକ୍ସଲବାଦ/ମାଓବାଦର ଶେଷ କ’ଣ ସମ୍ଭାବ? ଏହା ଏକ ବଡ଼ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି । ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ନିକଟରେ ବାସବରାଜଙ୍କ ଏନକାଉଣ୍ଟର ପରେ । କୋଲକାତା, ମୁମ୍ବାଇ ଭଳି ମେଟ୍ରୋରେ କେତେକ ସଙ୍ଗଠନ/ବୁଦ୍ଧିଜୀବୀ ଏହାକୁ ‘କୋଲ୍ଡ ବ୍ଲଡେଡ ମର୍ଡର’ ଆଖ୍ୟା ଦେଇ ସମାଲୋଚନା କରିଛନ୍ତି । ଅବଶ୍ୟ ଜଣେ ହତ୍ୟାକାରୀ ପ୍ରତି କାହିଁକି ଦରଦ ବୋଲି ସେମାନଙ୍କୁ ସମାଲୋଚକମାନେ ପାଲଟା ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ ମାଓବାଦୀଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀଙ୍କୁ ‘ଅର୍ବାନ ନକ୍ସଲ’ ଶ୍ରେଣୀଭୁକ୍ତ କରାଯାଉଛି । ଏମାନଙ୍କର ପ୍ରତିଟି କାର୍ଯ୍ୟ ଉପରେ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ନଜର ରହୁଛି ।
‘ନକ୍ସଲ’ ଓ ‘ମାଓବାଦୀ’କୁ ଗୋଟିଏ ତରାଜୁରେ ତଉଲି ହେବନାହିଁ ବୋଲି ସାମ୍ୟବାଦୀ ନୀତିରେ ବିଶ୍ୱାସ କରୁଥିବା ଜଣେ ରାଜନେତା କହିଥିଲେ । ୧୯୬୭ରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ନକ୍ସଲ ଆନ୍ଦୋଳନ ନିର୍ଦ୍ଦିଷ୍ଟ ଭାବେ ପୁଞ୍ଜିପତି ଓ ଧନୀକ ଗୋଷ୍ଠୀଙ୍କ ବିରୋଧରେ ମୁଣ୍ଡ ଟେକିଥିଲା । ଏହା ଥିଲା ନକ୍ସଲବାଦ ଓ ଆନ୍ଦୋଳନରେ କିଛି ପ୍ରତିଶତ ନୀତି ଓ ଆଦର୍ଶ ରହିଥିଲା । ୧୯୮୦ ବେଳକୁ ଏହା ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନିଜସ୍ୱ ନୀତି ପ୍ରତିଷ୍ଠା କଲେ । କିନ୍ତୁ ୨୦୦୪ରେ ପୁନର୍ବାର ସମସ୍ତ ଗୋଷ୍ଠୀ ସିପିଆଇ-ମାଓବାଦୀ ବ୍ୟାନର ତଳେ ଏକାଠି ହୋଇ ହିଂସାକୁ ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କଲେ ।
ଏହା ହିଁ ମାଓବାଦର ରୂପ ନେଲା ଏବଂ ଏଥିରେ ବିଶ୍ୱାସ କରୁଥିବା ବ୍ୟକ୍ତି ମାଓବାଦୀ ଭାବେ ଗରିବ, ଆଦିବାସୀ, ଦଳିତଙ୍କ ତ୍ରାଣକର୍ତ୍ତା ଭାବେ ନିଜର ପରିଚୟ ଦେବା ସହ ହିଂସା ଆଦରି ନେଲେ । ୨୦୦୪ରେ ପ୍ରଥମ ଥର ପାଇଁ ଜଙ୍ଗଲ ବଦଳରେ ସହରାଞ୍ଚଳରେ କିପରି ଅଧିକରୁ ଅଧିକ ମାଓ ସମର୍ଥକ ଭିନ୍ନ ଭିନ୍ନ ପିଢ଼ି, ଶ୍ରେଣୀରେ ସୃଷ୍ଟି ହୋଇପାରିବେ ତାହାର ବ୍ଲୁ ପ୍ରିଣ୍ଟ ସିପିଆଇ-ମାଓବାଦୀ ପଲିଟିବ୍ୟୁରୋ ଓ କେନ୍ଦ୍ରୀୟ କମିଟି ପ୍ରସ୍ତୁତ କରିଥିଲା । ଏକଦା ଏନକାଉଣ୍ଟର ସ୍ଥଳରୁ ଜବତ ଦସ୍ତାବିଜରୁ ଏହି ତଥ୍ୟ ମିଳିଥିଲା। କିପରି ସହରାଞ୍ଚଳରେ ମଧ୍ୟବର୍ଗୀୟ କର୍ମଚାରୀ, ଛାତ୍ରଛାତ୍ରୀ, ପରିଶ୍ରମୀ ଚାକିରିଆ ବର୍ଗ, ମହିଳା, ଦଳିତ ବର୍ଗ, ସଂଖ୍ୟାଲଘୁ, ଶ୍ରମିକ ସଙ୍ଗଠନଙ୍କୁ ମାଓ ସଙ୍ଗଠନର ବିଚାରଧାରା ସହ ଯୋଡ଼ାଯିବ ତାହା ‘ସିପିଆଇ(ମାଓବାଦୀ): ଅର୍ବାନ ପର୍ସପେକ୍ଟିଭ୍’ ଦସ୍ତାବିଜରେ ବିସ୍ତୃତ ଭାବେ ଉଲ୍ଲେଖ ଥିଲା । ଏବେ ମାଓ ସଙ୍ଗଠନ ଶେଷନିଃଶ୍ୱାସ ନେଉଥିବାବେଳେ ଦେଶ ସମ୍ମୁଖରେ ‘ଅର୍ବାନ ନକ୍ସଲ’ ବଡ଼ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି ।
ପ୍ରଥମ ଥର ୨୦୧୮ ମସିହାରେ ‘ଅର୍ବାନ ନକ୍ସଲ’ ପ୍ରସଙ୍ଗ ଜାତୀୟ ସ୍ତରରେ ବଡ଼ ସମସ୍ୟା ଉତ୍ଥାପିତ ହୋଇଥିଲା । ୨୦୧୮ ଜାନୁଆରୀ ୧ ତାରିଖରେ ମହାରାଷ୍ଟ୍ରର ପୁନେରେ ବ୍ୟାଟଲ ଅଫ୍ ଭୀମ କୋରେଗାଓଁ (ପେଶୱା ସେନା ଉପରେ ଇଷ୍ଟଇଣ୍ଡିଆ କମ୍ପାନି ଅଧୀନ ବମ୍ବେ ପ୍ରେସିଡେନ୍ସି ଆର୍ମିର ବିଜୟ)ର ୨୦୦ତମ ବାର୍ଷିକୀ ପାଳନ ଅବସରରେ ଦଳିତ ଓ ମରାଠାଙ୍କ ମଧ୍ୟରେ ହିଂସା ହୋଇଥିଲା । ଏହି ବାର୍ଷିକୀ ଉତ୍ସବ ‘ଏଲଗାର ପରିଷଦ’ ଭାବେ ମଧ୍ୟ ପରିଚିତ । ୧୯୨୮ ମସିହାରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପ୍ରଥମେ ଏହି ଉତ୍ସବର ଆୟୋଜନ କରିଥିଲେ । ୨୦୧୮ ଜାନୁଆରୀ ୧ରେ ଏହି ଉତ୍ସବ (ଏଲଗାର ପରିଷଦ) ର ଆୟୋଜନ ବେଳେ ‘ମାହାର’ (ଆମ୍ବେଦକରଙ୍କ ଅନୁଗାମୀ ଏବଂ ପରେ ବୌଦ୍ଧ ଧର୍ମରେ ଦୀକ୍ଷିତ, ୧୬ଟି ରାଜ୍ୟରେ ଏମାନେ ଅନୁସୂଚିତ ଜାତି ତାଲିକାଭୁକ୍ତ) ଓ ‘ମରାଠା’ମାନେ ମୁହାଁମୁହିଁ ହୋଇଥିଲେ । ଏମାନଙ୍କ ମଧ୍ୟରେ ବିଦ୍ୱେଷ ନୂଆ ନୁହେଁ । ଛତ୍ରପତି ଶିବାଜୀ ମହାରାଜଙ୍କ ପୁତ୍ର ଶମ୍ଭାଜୀ ମହାରାଜଙ୍କ ପରଲୋକ (ମୋଗଲଙ୍କ ଦ୍ୱାରା ହତ୍ୟା) ପରେ କିଏ ଅନ୍ତ୍ୟେଷ୍ଟି କରିଥିଲା? ଏହାକୁ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ କେଉଁ କାଳରୁ ଚରମ ସୀମାରେ ରହିଛି ।
୨୦୧୮ର ଏଲଗାର ପରିଷଦ ହିଂସା ପରେ ପୁନେ ପୁଲିସ ପକ୍ଷରୁ ୧୬ଜଣ ମାନବାଧିକାର କର୍ମୀଙ୍କୁ ଗିରଫ କରାଯାଇଥିଲା । ମହାରାଷ୍ଟ୍ର ପୁଲିସ ଏବଂ ପରେ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ଏନ୍ଆଇଏ (ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା) ପକ୍ଷରୁ ମାନ୍ୟବର କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ଅଭିଯୁକ୍ତମାନଙ୍କର ନକ୍ସଲ ସଙ୍ଗଠନ ‘ସିପିଆଇ-ମାଓବାଦୀ’ ସହ ସମ୍ପର୍କ ରହିଛି । ସରକାରୀ ନଥିପତ୍ରରେ ଏମାନଙ୍କୁ ‘ଅର୍ବାନ ନକ୍ସଲ’ ଭାବେ ମଧ୍ୟ ଦର୍ଶାଗଲା ।
ଇତିମଧ୍ୟରେ ୭ବର୍ଷ ବିତିଗଲାଣି । ‘ଅର୍ବାନ ନକ୍ସଲ’ ଧୀରେ ଧୀରେ ଦକ୍ଷିଣ ଭାରତର ସମସ୍ତ ରାଜ୍ୟରେ ମୁଣ୍ଡ ଟେକିସାରିଲାଣି । ଉତ୍ତର-ଭାରତର କେତେକ ମେଟ୍ରୋରେ ଏହା ଥିଲେ ମଧ୍ୟ ପଦାକୁ ବାହାରି ନାହାନ୍ତି । ନିକଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ସମାନ ଚିନ୍ତାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ‘ଜଙ୍ଗଲର ନକ୍ସଲଙ୍କ ତୁଳନାରେ ଅର୍ବାନ ନକ୍ସଲମାନେ ବଡ଼ ବିପଦ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଭ୍ୟ ସମାଜ ପ୍ରତି ଏମାନେ ବଡ଼ ବିପଦ ବୋଲି ଏକାଧିକାବାର କହିଛନ୍ତି । ଏପରିକି ଦେଶରେ କେତେକ ବିରୋଧୀ ଦଳ ‘ଅର୍ବାନ ନକ୍ସଲ’ଙ୍କୁ ସମର୍ଥନ କରୁଥିବା ସ୍ପଷ୍ଟ କହିଛନ୍ତି ।
ଅର୍ବାନ ନକ୍ସଲର ପ୍ରକୃତ ବ୍ୟାଖ୍ୟା କରାଗଲେ ଏହି ଉତ୍ତର ମିଳେ, ‘ଏମାନେ ସହରରେ ରୁହନ୍ତି । ମାଓବାଦର ଏମାନେ ପ୍ରଚଣ୍ଡ ସମର୍ଥକ । ଏମାନେ ମାଓବାଦୀ ବା ନକ୍ସଲଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆର୍ଥିକ ଓ ଲଜିଷ୍ଟିକ୍ ସହାୟତା କରନ୍ତି । ଏମାନେ ବୌଦ୍ଧିକ ଚିନ୍ତାଧାରାରେ ମାଓ ସଙ୍ଗଠନକୁ ପ୍ରଭାବିତ କରନ୍ତି ଏବଂ ସଂଗଠନର ଅସ୍ତିତ୍ୱ ବଞ୍ଚାଇବାକୁ ସମସ୍ତ କଳବଳକୌଶଳ ପ୍ରୟୋଗ କରନ୍ତି । ଆଇନର ପରିସରରେ ଏବଂ ଆଇନ ସମ୍ମତ ଭାବେ ଏମାନେ କାର୍ଯ୍ୟ କରୁଥିବାରୁ କାଠଗଡ଼ା ଭିତରକୁ ସହଜରେ ଅଣାଯାଇପାରିବନି । ଆବଶ୍ୟକ ସ୍ଥଳେ ଜନମତକୁ ମଧ୍ୟ ପ୍ରଭାବିତ କରିବାରେ ଏମାନେ ସକ୍ଷମ । ଏମାନଙ୍କ ଅସ୍ତ୍ର ବନ୍ଧୁକ ନୁହେଁ, କଲମ । ଏମାନେ ଚିନ୍ତାଧାରାକୁ ବିସ୍ଫୋରକ ଭାବେ ବ୍ୟବହାର କରିବାରେ ଧୂରନ୍ଧର । ସମାଜର ଆଗଧାଡ଼ି ଅର୍ଥାତ୍: ସାମ୍ବାଦିକ, କବି, ଲେଖକ, ବୁଦ୍ଧିଜୀବୀ, ମାନବାଧିକାର କାର୍ଯ୍ୟକର୍ତ୍ତା, ସଂସ୍କୃତି କର୍ମୀ, ନାରୀବାଦୀ ବର୍ଗରେ ଏମାନେ ରୁହନ୍ତି । ସର୍ବଦା ନୁହେଁ, ବରଂ ଆବଶ୍ୟକ ସ୍ଥଳେ ଏମାନେ ନିଜ ନକ୍ସଲବାଦ ଚିନ୍ତାଧାରାକୁ ପ୍ରୟୋଗ କରନ୍ତି, ଯାହାକି ଡିନାମାଇଟ୍ ଭଳି କାମ ଦେଇଥାଏ ।’ । ଭିନ୍ନ ଭିନ୍ନ କାରଣରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମନରେ ଅସନ୍ତୋଷ ରହିବା ସ୍ୱାଭାବିକ । ତାହା ବେକାରୀ ସମସ୍ୟାରୁ ହେଉ କିମ୍ବା ଗରିବୀ ପାଇଁ ହେଉ । ଏଭଳି ସମସ୍ୟାରେ ଜର୍ଜରିତ ଶ୍ରେଣୀଙ୍କ ବ୍ରେନ୍ୱାସ୍ କରି ବିପ୍ଳବର ଚିନ୍ତାଧାରା ଛିଡ଼ା କରିବା ‘ଅର୍ବାନ ନକ୍ସଲ’ମାନଙ୍କ ପାଇଁ କଷ୍ଟକର ବ୍ୟାପାର ନୁହେଁ ।
‘ଅର୍ବାନ ନକ୍ସଲ’ ଗୋଷ୍ଠୀ ଉପରେ ବିଭିନ୍ନ ସହରରେ ପୁଲିସ ଓ ଗୁଇନ୍ଦା ଟିମ୍ ସ୍ୱତନ୍ତ୍ର ଭାବେ ନଜର ରଖିଛନ୍ତି । ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । କିନ୍ତୁ ଅନେକ ସ୍ଥଳରେ କୋର୍ଟରେ ସେମାନଙ୍କ ବିରୋଧରେ ଆରୋପ ପ୍ରମାଣିତ କରିବା ସହଜ ହୋଇନି । କାରଣ ଏହା ଏକ ଚିନ୍ତାଧାରାର ଲଢ଼େଇ । ଏକ ଚିନ୍ତାଧାରାକୁ ଅପରାଧ ବା ଦେଶଦ୍ରୋହ ସାବ୍ୟସ୍ତ କରିବା କାଠିକର ପାଠ । ନିକଟରେ ମହାରାଷ୍ଟ୍ରରେ ନାଗପୁର ଲ’ ସ୍କୁଲର ଜଣେ ଛାତ୍ରୀଙ୍କୁ ଅର୍ବାନ ନକ୍ସଲମାନଙ୍କୁ ଭେଟିଥିବା ଅପରାଧରେ ଛଅ ମାସ ପାଇଁ ଶିକ୍ଷାନୁଷ୍ଠାନରୁ ବହିଷ୍କୃତ କରାଯାଇଛି । ଏହା କେବଳ ସଦ୍ୟତମ ଉଦାହରଣ । ଅନେକ ରାଜ୍ୟରେ ଏଭଳି ଅପରାଧରେ କେହି ଗିରଫ ହେଲେ ବୁଦ୍ଧିଜୀବୀ ବର୍ଗରେ ବଡ଼ ବିତର୍କ ଛିଡ଼ା ହେଉଛି । କିନ୍ତୁ ଏହା ପ୍ରମାଣିତ ହେଉଛି ଭବିଷ୍ୟତ ପାଇଁ ‘ଅର୍ବାନ ନକ୍ସଲ’ ଏକ ବଡ଼ ଆହ୍ୱାନ ନିଶ୍ଚିତ ।