ନୂଆଦିଲ୍ଲୀ: ବିହାରର ରୋହତାସ ଜିଲ୍ଲାର ତୁମ୍ବା ଗାଁରୁ ଏକ ହୃଦୟ ବିଦାରକ ଖବର ଏବେ ସାମ୍ନାକୁ ଆସିଛି । ଏଠାରେ ସୋନ ନଦୀରେ ଗାଧୋଇବା ସମୟରେ ୭ ଜଣ ପିଲା ବୁଡ଼ି ଯାଇଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ପିଲା ନିଖୋଜ ରହିଛନ୍ତି । ଏମାନଙ୍କ ସନ୍ଧାନ ଜାରି ରହିଛି । କୁହାଯାଉଛି ଯେ ସମସ୍ତ ପିଲା ଗୋଟିଏ ପରିବାରର ଥିଲେ । ଏହି ଦୁର୍ଘଟଣା ପରେ ସମଗ୍ର ଗାଁରେ ଶୋକର ଲହରୀ ଖେଳିଯାଇଛି ।
ସୂଚନା ଅନୁସାରେ ଆଜି (ରବିବାର) ସକାଳେ ସାତ ଜଣ ପିଲା ଗାଧୋଇବାକୁ ସୋନ ନଦୀକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ସମସ୍ତ ପିଲା ଗଭୀର ପାଣି ଭିତରକୁ ଯାଇ ବୁଡ଼ିବାକୁ ଲାଗିଲେ । ସ୍ଥାନୀୟ ଲୋକ ଏବଂ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ଦୁଇ ଶିଶୁ ନିଖୋଜ ଅଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, "ଆମେ ସୋନ ନଦୀକୁ ଗାଧୋଇବାକୁ ଯାଇଥିଲୁ। ଗାଧୋଇବା ବେଳେ ଜଣେ ପିଲା ବୁଡ଼ିବାକୁ ଲାଗିଲା । ତାଙ୍କୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ପାଣି ଭିତରକୁ ଡେଇଁ ପଡିଲୁ, କିନ୍ତୁ ଆମେ ନିଜେ ମଧ୍ୟ ବୁଡ଼ିଯିବା ଆରମ୍ଭ କଲୁ । କୌଣସି ପ୍ରକାରେ ଆମେ ବାହାରକୁ ପଳାଇ ଆସିଲୁ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏବେବେ ଦୁଇ ଶିଶୁ ନିଖୋଜ ଅଛନ୍ତି । ସ୍କୁବା ଡାଇଭର୍ସ ଏବଂ SDRF ଦଳ ଦୁଇ ପିଲାଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି । ସମସ୍ତ ପିଲାଙ୍କର ବୟସ ୮ ରୁ ୧୨ ବର୍ଷ ମଧ୍ୟରେ ହେବ । ଶିଶୁମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ସାସରାମ ସଦର ଡାକ୍ତରଖାନାକୁ ପଠାଯାଇଛି।
ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ନିଖୋଜ ଶିଶୁଙ୍କ ସନ୍ଧାନ ଜାରି ରଖିବାକୁ ସ୍ଥାନୀୟ ପ୍ରଶାସନ ନିଶ୍ଚିତ କରିଛି । ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରଶାସନ ମଧ୍ୟ ଚେଷ୍ଟା କରୁଛି ।