ଫୁଲବାଣୀ,୩୦/୧୦: ନୋଟିସ୍ ବୋର୍ଡ଼ରେ ଲାଗିଥିବା ଗୋଟିଏ ପିନ୍ ଗିଳି ଜଣେ ଛାତ୍ରର ମୃତ୍ୟୁ ହୋଇଛି । ଘଟଣାର ପ୍ରାୟ ଏକ ସପ୍ତାହ ପରେ କଟକ ଶିଶୁ ଭବନରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧାବାତାଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ।
ତୁଷାରଙ୍କ ନିଜ ଘର ଦାରିଙ୍ଗବାଡ଼ିରେ । ସେ ଫୁଲବଣୀ କଣ୍ଟ୍ରାକ୍ଟରପଡ଼ା ଅଜା ଘରେ ରହି ପାଠ ପଢୁଥିଲେ । ୧୫ ତାରିଖରେ ତୁଷାର ନୋଟିସ୍ ବୋର୍ଡ଼ରେ ଲାଗିଥିବା ଏକ ପିନ୍ ଗିଳି ଦେଇଥିବା ତୁଷାର ଓ ସାଙ୍ଗମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସେମାନେ ଏହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି । ସେ ଘରକୁ ଆସି ଅଜା ରାମ ପ୍ରସାଦ ମିଶ୍ରଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପରିବାର ଲୋକ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବ୍ରହ୍ମପୁର ନିଆଯାଇଥିଲା । ବାପା କାଳୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବ୍ରହ୍ମପୁରରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ପିନ୍ଟି ବାହାରି ନଥିଲା । ଫୁସ୍ଫୁସ୍ ପାଖରେ ଅଟକି ରହିଥିଲା । କଟକ ଶିଶୁ ଭବନରେ ଅସ୍ତ୍ରୋପଚାର କରି ପିନ୍ ବାହାର କରାଯାଇଥିଲା । ଚିକିତ୍ସାରେ ବିଳମ୍ବ ଯୋଗୁଁ ସେ ପ୍ରଥମେ ପାରାଲିଟିକ୍ ଆଟାକ୍ର ଶିକାର ହେବା ପରେ କୋମାକୁ ଚାଲି ଯାଇଥିବା ଡାକ୍ତର ସୂଚନା ଦେଇଥିବା ପରିବାର ଲୋକ କହିଛନ୍ତି । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତେ୍ୱ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଦାଶ କହିଛନ୍ତି, ଏହି ଘଟଣା ନଜରକୁ ଆସିଛି । ସ୍କୁଲ୍ ଛୁଟି ଥିବାରୁ ତଦନ୍ତ ହୋଇନି । ସ୍କୁଲ ଖାଲିଲେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।