ଚେନ୍ନାଇ, ୨।୧୨: ବାତ୍ୟା ପେଙ୍ଗଲ ଭୟରେ ଆତଙ୍କିତ ଲୋକେ । ବାତ୍ୟା ପ୍ରଭାବରେ ତାମିଲନାଡ଼ୁର ତିରୁବନ୍ନାମଲଇ ଜିଲ୍ଲାରେ ରବିବାର ରାତିରେ ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି । ପାହାଡ଼ର ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକ ମଧ୍ୟ ମାଟି ତଳେ ପୋତି ହୋଇଯାଇଛି । ଏହି ଭୂସ୍ଖଳନରେ ଦୁଇ ପରିବାରର ୭ ଜଣ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଏଥିମଧ୍ୟରୁ ୫ ଜଣ ଶିଶୁ ଥିବା ଜିଲ୍ଲାପାଳ ଡି ଭାସ୍କର ପାଣ୍ଡିଆନ୍ କହିଛନ୍ତି । ବାତ୍ୟା ଫେଙ୍ଗଲ ପ୍ରଭାବରେ ତିରୁବନ୍ନାମଲଇ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି । ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡ଼ର ପାଦଦେଶରେ ଅବସ୍ଥିତ ବିଓସି ନାଗରରେ ଏକ ଭୂସ୍ଖଳନ ଘଟି ଅନେକ ଘର କ୍ଷତିଗ୍ରସ୍ତ ହୋଇପଡ଼ିଛି । 

କହିରଖୁ କି, ବାତ୍ୟା ଫେଙ୍ଗଲ ପୁଡ଼ୁଚେରୀରେ ହୋଇଥିବା ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ପରେ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ରାସ୍ତାରେ ବାନ୍ୟା ପରିସ୍ଥିତି ଉପୁଜିଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ଆଗକୁ ଆସିଛି । ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ସ୍ଥାନାନ୍ତର କରୁଛି । ଅନ୍ୟପଟେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ପୁଲିସ, ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।