ଭୁବନେଶ୍ୱର,୧୩/୧୨:  ରାଜ୍ୟରେ ୭ ନର୍ସିଂ କଲେଜ ଖୋଲିବ ।  କୋରାପୁଟ, ବଲାଙ୍ଗିର, ପୁରୀ,  ବାଲେଶ୍ୱର, ଯାଜପୁର, ଅନୁଗୁଳ ଓ ମୟୂରଭଞ୍ଜରେ ଏହି ନର୍ସିଂ କଲେଜ  ଖୋଲିବ । ଆସନ୍ତା ୧୪ ତାରିଖରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏସବୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ଯେଉଁ ନର୍ସିଂ ଛାତ୍ରଛାତ୍ରୀମାନେ  ସରକାରୀ ନର୍ସିଂ କଲେଜରେ ପାଠ  ପଢ଼ିବାର ସୁଯୋଗ ପାଉନଥିଲେ  ସେମାନଙ୍କ ପାଇଁ ଖୁସିର ଖବର । ସେମାନେ ଏଣିକି ସରକାରୀ କଲେଜରେ  ପାଠ ପଢ଼ିବାର ସୁଯୋଗ ପାଇବେ ।  କାରଣ ଏସବୁ ୭ କଲେଜରେ ପ୍ରତି ବର୍ଷ  ୬୦ ଛାତ୍ରଛାତ୍ରୀ ନାମ ଲେଖାଇବାର  ସୁଯୋଗ ପାଇବେ । ଫଳରେ ୭ ନର୍ସିଂ  କଲେଜରୁ ପ୍ରତିବର୍ଷ ମୋଟ ୪୨୦  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ । ଏହି  ସବୁ କଲେଜ ଖୋଲିବା ଫଳରେ  ରାଜ୍ୟରେ ନର୍ସିଂ କ୍ଷେତ୍ରରେ ଉନ୍ନତି  ଆସିବା ସହ ଏହା ରୋଗୀଙ୍କ ପାଇଁ  ବଡ଼ ଆଶ୍ୱସ୍ତି ଆଣିଦେବ । ନର୍ସିଂଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରାଯିବା ସହ  ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ  ରାଜ୍ୟରେ ଉନ୍ନତି ନର୍ସିଂ ସେବା ଯୋଗାଇ  ଦେଇହେବ । ପ୍ରତ୍ୟେକ କଲେଜ ପାଇଁ  ୧୦ କୋଟି ଲେଖାଏଁ ମୋଟ ୭୦ କୋଟି  ଟଙ୍କା ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି ।  ଏହି ୭୦ କୋଟି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ ୬୦ ପ୍ରତିଶତ ଓ ରାଜ୍ୟ  ସରକାରଙ୍କ ଅଂଶ ୪୦ ପ୍ରତିଶତ ରହିବ ବୋଲି ସ୍ଥିର  ହୋଇଛି । ଏସବୁ ନର୍ସିଂ କଲେଜ ମେଡିକାଲ କଲେଜ  ପରିସରରେ ସ୍ଥାପନ କରାଯିବ ବୋଲି ଜଣାପଡିଛି । 

 ସୂଚନାଯୋଗ୍ୟଯେ, ରାଜ୍ୟରେ ୨୧ଟି ସରକାରୀ  ଅଗ୍‌ଜିଲାରୀ ନର୍ସ ଆଣ୍ଡ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌)  ଓ ୮ଟି ନର୍ସିଂ କଲେଜ ରହିଛି । ଏହି ୮ ନର୍ସିଂ  କଲେଜ ମଧ୍ୟରୁ ୩ ମେଡିକାଲ କଲେଜରେ ନର୍ସିଂ  କଲେଜ ମିଶିକରି ରହିଛି । ଏସ୍‌ସିବି ନର୍ସିଂ କଲେଜ,  ଏମ୍‌କେସିଜି ନର୍ସିଂ କଲେଜ, ଭୀମସାର ନର୍ସିଂ  କଲେଜ ମେଡିକାଲ କଲେଜ ସହ ମିଶି ରହିଛି ।