ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆଜି ( ଶୁକ୍ରବାର , ୬ ଫେବ୍ରୁଆରୀ) ଜୁମେର ନମାଜ ବେଳେ ବଡ଼ ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଏବଂ ୧୬୯ ରୁ ଅଧିକ ଲୋକ ଆହତ ହୋଇଥିବା ଖବର ଆସିଛି। ଡନର ରିପୋର୍ଟ ମୁତାବିକ ,ସହରର ଶହଜାଦ ଟାଉନ ଅଞ୍ଚଳର ତରଲାଇ ଇମାମବାଡେରେ ଜୁମେର ନମାଜ ବେଳେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ପୁଲିସ୍ ବର୍ତ୍ତମାନ ସୁଦ୍ଧା ୩୧ ଜଣଙ୍କ ମୃତ୍ୟୁ ସ୍ପଷ୍ଟ କରିଛି।
ବିସ୍ଫୋଣର ସୂଚନା ପାଇବା କ୍ଷଣି ପୁଲିସ ଓ ରେସ୍କ୍ୟୁ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ସହ ସୁରକ୍ଷା ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦିଆ ଯାଇଛି। ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଦିଆ ଯାଇଛି ଏବଂ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। କିଛି ମିଡିଆ ରିପୋର୍ଟରେ ଏହାକୁ ଆତ୍ମଘାତୀ ଆକ୍ରମଣ ଭାବେ ଦର୍ଶାଯାଉଛି।
ଆହୁରି ମଧ୍ୟ ପଢନ୍ତୁ : ଋଷ-ଆମେରିକା ନ୍ୟୁକ୍ଲିଅର୍ ଚୁକ୍ତି ଶେଷ, ଏବେ ପରମାଣୁ ଅସ୍ତ୍ର ରେସ୍ ଆରମ୍ଭ... ସାରା ବିଶ୍ଵ ଥରହର
ଘଟଣାର ଗମ୍ଭୀରତାକୁ ଦେଖି ଇସ୍ଲାମାବାଦର ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ଜରୁରିକାଳୀନ ସ୍ଥିତି ଲାଗୁ କରିଦିଆ ଯାଇଛି। ପଲିକ୍ଲିନିକ୍ ହସ୍ପିଟାଲ, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡକାଲ ସାଇସେନ୍ସ (ପିଆଇଏମଏସ)ଓ ସିଡିଏ ହସ୍ପିଟାଲକୁ ଆଲର୍ଟରେ ରଖା ଯାଇଛି। ପିଆଇଏମଏସର ମୁଖପାତ୍ରଙ୍କ ଅନୁସାରେ ଡନ୍ ଦର୍ଶାଇଛି ଯେ, ହସ୍ପିଟାଲର ମୁଖ୍ୟ ଏମର୍ଜେନ୍ସି , ଅର୍ଥୋପେଡିକ୍ ବିଭାଗ , ବର୍ନ ସେଣ୍ଟର , ନ୍ୟୁରୋଲଜି ବିଭାଗକୁ ସଂପୂର୍ଣ୍ଣ ରୂପେ ସକ୍ରିୟ କରିଦିଆ ଯାଇଛି। ଆହତଙ୍କୁ ଲଗାତାର ପିଆଇଏମଏସ ଓ ପଲିକ୍ଲିନିକ୍ ହସ୍ପିଟାଲକୁ ନିଆ ଯାଉଛି।
ବର୍ତ୍ତମାନ ସୁଦ୍ଧା ଧମାକାର କାରଣ ଜଣାପଡ଼ି ନାହିଁ । ତଦନ୍ତକାରୀ ଏଜେନ୍ସିମାନେ ଘଟଣା ସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ଏହି ବିସ୍ଫୋରଣଟି କେମିତି ଓ କେଉଁ କାରଣରୁ ହୋଇଛି , ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁରକ୍ଷା ଏଜେନ୍ସିମାନେ ଆଲର୍ଟରେ ରହିଛନ୍ତି।