ନୂଆଦିଲ୍ଲୀ, ୦୬/୦୨ : ସରିଗଲା ଋଷ-ଆମେରିକା ନ୍ୟୁକ୍ଲିଅର୍ ଚୁକ୍ତି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଚେତାବନୀ। ବିପଦରେ ବୈଶ୍ଵିକ ସୁରକ୍ଷା। ଆରମ୍ଭ ହେବ ପରମାଣୁ ଅସ୍ତ୍ର ରେସ୍। ଭୂ-ରାଜନୀତିରେ ବଢିବ ଅସ୍ଥିରତା। ସାରା ବିଶ୍ଵ ଥରହର। ୨୦୧୦ରେ ଆମେରିକା ଓ ଋଷ ମଧ୍ୟରେ ନ୍ୟୁ ଷ୍ଟାର୍ଟ ସନ୍ଧି ହୋଇଥିଲା। ଏହି ଚୁକ୍ତି ଦୁଇ ଶକ୍ତିଶାଳୀ ଦେଶକୁ ପରମାଣୁ ଅସ୍ତ୍ର ବ୍ୟବହାର ସୀମିତ ରଖିବାକୁ ବାନ୍ଧି ରଖିଥିଲା। ହେଲେ ଫେବୃଆରୀ ୬ରେ ଏହି ଚୁକ୍ତି ସମାପ୍ତ ହୋଇଛି। ଏବେ ପୁଣି ଥରେ ଆର୍ମ ରେସ୍ ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। 

ଏହି ନ୍ୟୁ ଷ୍ଟାର୍ଟ ସନ୍ଧି କ'ଣ? ଯାହା ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ହାତକୁ ଏକ ସୀମିତ ସୂତ୍ରରେ ବାନ୍ଧି ରଖିଥିଲା, ଜାଣନ୍ତୁ... 

୨୦୧୦ରେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଏବଂ ଋଷ ରାଷ୍ଟ୍ରପତି ଦିମିତ୍ରୀଙ୍କ ମଧ୍ୟରେ ନ୍ୟୁ ଷ୍ଟାର୍ଟ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ଏହି ଚୁକ୍ତି ଦୁଇ ଦେଶକୁ ୧୫୫୦ ନିୟୋଜିତ ପରମାଣୁ ୱାରହେଡ୍ ଏବଂ ୭୦୦ ମିସାଇଲ୍, ବୁଡାଜାହାଜ ଏବଂ ବମ୍ବର୍ସ ବ୍ୟବହାର ଉପରେ ସୀମିତ ରଖିଥିଲା। ଏଥିରେ ଭେରିଫିକେସନ କରିବାର ନିୟମ ଥିଲା। ଯାହାଦ୍ଵାରା ଜଣେ ଅନ୍ୟ ଜଣଙ୍କର ଠିକଣାର ନୀରିକ୍ଷଣକରିପାରିବ। ଏହାଦ୍ଵାରା ଉଭୟ ପକ୍ଷ ନିୟମର ପାଳନ କରୁଛନ୍ତି କି ନାହିଁ ତାହା ଜାଣିହେବ। ପରମାଣୁ ଅସ୍ତ୍ରର ଦୌଡ଼କୁ ରୋକିବା ଏବଂ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ଏହି ଚୁକ୍ତିକୁ ଶେଷ ଥର ପାଇଁ ୨୦୨୧ ମସିହାରେ ପରିବର୍ଦ୍ଧିତ କରାଯାଇଥିଲା।

କାହିଁକି ଶେଷ ହେଉଛି ଚୁକ୍ତି ?
କୋଭିଡ୍-୧୯ ସମୟରେ ଏହି ଚୁକ୍ତିର ସତ୍ୟାପନ ପ୍ରକ୍ରିୟା ଅଟକିଥିଲା। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଆମେରିକା ୟୁକ୍ରେନକୁ ସମର୍ଥନ କରିବା ଯୋଗୁଁ ୨୦୨୩ରେ ଋଷ ଏହି ଚୁକ୍ତିରୁ ସହଭାଗୀତା ସ୍ଥଗିତ କରିଥିଲା। ଋଷ କହିଥିଲା ଯେ, ଏହି ଚୁକ୍ତି ଏବେ ତା ବିରୋଧରେ ଯାଉଛି। ସେପଟେ ଚୀନର ପରମାଣୁ ଅସ୍ତ୍ରାଗାର ବୃଦ୍ଧି ପାଉଥିବାରୁ ଟ୍ରମ୍ପ ପ୍ରଶାସନ ଏହି ଚୁକ୍ତରେ ପରିବର୍ତ୍ତନ ଚାହୁଁଛନ୍ତି। ଚୀନକୁ ଏହି ଚୁକ୍ତିରେ ସାମିଲ କରିବାକୁ ଚାହୁଁଛନ୍ତି। ହେଲେ ଚୀନ ସଫା ସଫା ମନା କରିଦେଇଛି। ତେଣୁ ଦୁଇ ଦେଶ ଔପଚାରିକ ଭାବେ ଚୁକ୍ତି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏବେ ଏହି ଚୁକ୍ତିର ଭବିଷ୍ୟତକୁ ନେଇ କୌଣସି ଆଲୋଚନା ହୋଇନାହିଁ। 

ବିଶ୍ଵ ଉପରେ ପ୍ରଭାବ
ନ୍ୟୁ ଷ୍ଟାର୍ଟ ଚୁକ୍ତି ସମାପ୍ତ ହୋଇଗଲେ ପରମାଣୁ ଅସ୍ତ୍ର ଉପରେ କୌଣସି ଅନ୍ତରାଷ୍ଟ୍ରୀୟ ସୀମା ରହିବ ନାହିଁ। ଆମେରିକା ଏବଂ ଋଷ ସୀମା ବାହାରେ ଅସ୍ତ୍ରଶସ୍ତ୍ର ତିଆରି କରିବେ। ଅଧିକରୁ ଅଧିକ ମିସାଇଲ୍, ବୁଡାଜାହାଜ ଏବଂ ବମ୍ଵର୍ସ ତିଆରି କରିବେ। ଋଷ ପାଖରେ ପୂର୍ବରୁ ୫୮୮୯ ୱାରହେଡ୍ ରହିଛି। ସେହିପରି ଆମେରିକା ପାଖରେ ୫୨୪୪ ୱାରହେଡ୍ ରହିଛି। 

ସେପଟେ ଚୀନ ମଧ୍ୟ ତାର ଅସ୍ତ୍ରାଗାର ବୃଦ୍ଧି କରିବାରେ ଲାଗିଛି। ୨୦୩୦ ସୁଦ୍ଧା ଚୀନର ୱାରହେଡ୍ କ୍ଷମତା ଏକ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାଦ୍ଵାରା ୩ ମହାଶକ୍ତିଙ୍କ ମଧ୍ୟରେ ପ୍ରତିଯୋଗିତା ବଢିବ। ଯାହା ବୈଶ୍ଵିକ ଅର୍ଥବ୍ୟବସ୍ଥା ଉପରେ ବୋଝ ବଢାଇବ। 

ବୈଶ୍ଵିକ ସ୍ଥିରତା ଉପରେ ପ୍ରଭାବ
ଏହାଦ୍ଵାରା ଛୋଟ ଛୋଟ ଦେଶ ଗୁଡ଼ିକର ପରମାଣୁ କାର୍ଯ୍ୟକ୍ରମ ପ୍ରଭାବିତ ହେବ। ଅଧିକ ଅସ୍ତ୍ର ତିଆରି ହେଲେ ପରୀକ୍ଷଣ ମଧ୍ୟ ବଢିବ। ଯାହା ଦ୍ଵାରା ରାଡିଏସନ୍ ବଢିବ। ତୀବ୍ର ଜଳବାୟୁ ପରିବର୍ତ୍ତନ ସମସ୍ୟା ଉପୁଜିବ। ଅସ୍ତ୍ର ଦୌଡ଼ରେ ବ୍ୟାପାର, ନିବେଶ ଏବଂ ଉର୍ଜାର ଦରଦାମ୍ ବଢିବ। ତୈଳ ଓ ଗ୍ୟାସ୍ ଦର ହୁ ହୁ ହୋଇ ବଢିବ। 

ଏହି ଖବରଟିକୁ ପଢନ୍ତୁ- ଟଳିବ କି ଯୁଦ୍ଧ ବିପଦ ? ଓମାନରେ ଇରାନ-ଆମେରିକା ବଡ଼ ବୈଠକ, ନଜର ରଖିଛି ବିଶ୍ୱ