ଭୁବନେଶ୍ୱର,୦୫/୦୬: ଅସୁରକ୍ଷିତ ହୋଇପଡୁଛି ରାଜଧାନୀର ରାତି । ଡେଲିଭେରୀ ବୟଙ୍କୁ ମରଣାନ୍ତକ ଆକ୍ରମଣ। ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଖଣ୍ଡଗିରି ଥାନା ଅଞ୍ଚଳ ଜାଗମରା ଗଣ୍ଡମୁଣ୍ଡା ରାସ୍ତାରେ ଏହି ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ଡେଲିଭେରୀ ବଏକୁ ୩ଜଣ ଦୁର୍ବୃତ୍ତ କଟୁରିରେ ହାଣି ଲୁଟ୍ପାଟ କରିଛନ୍ତି । ଗୁରୁତର ଅବସ୍ଥାରେ ଡେଲିଭରି ବୟକୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭିର୍ତ୍ତି କରିଛି । ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ ।

ପୁଲିସ ସୂଚନା ମୁତାବକ, ରାତି ପ୍ରାୟ ୧୨ଟା ପାଖାପାଖି ଡେଲିଭେରୀ ବୟ ଜଣକ ଏକ ଆକ୍ଟିଭାରେ ଖାଦ୍ୟ ନେଇ ଜାଗମରା ଛକରୁ ପୋଖରୀପୁଟକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ଏକ ବାଇକ୍ରେ ୩ ଜଣ ଯୁବକ ପିଛା କରିଥିଲେ । ସେମାନେ ଗଣ୍ଡମୁଣ୍ଡା ଛକ ନିକଟ ରିଲାଏନ୍ସ ପ୍ରେସ୍ ଅତିକ୍ରମ କରିବା ପରେ ଡେଲିଭରି ବୟଙ୍କ ବାଟ ଓଗାଳିଥିଲେ । ତାଙ୍କୁ ୩ ଜଣ ଯାକ ଘେରି ଯାଇ ପାଖରେ କେତେ ଟଙ୍କା ଅଛି ଦେ’ବୋଲି ମାଗିଥିଲେ । ଡେଲିଭେରୀ ବୟ ଜଣକ ପାଖରେ ଟଙ୍କା ନ ଥିବା ମନା କରିବାରୁ ତାଙ୍କ ମୋବାଇଲ୍ ଫୋନ୍କୁ ମାଗିଥିଲେ । ସେ ମନା କରିବା ସହିତ ତାଙ୍କ ଆକ୍ଟିଭା ଛାଡ଼ି ସେଠାରୁ ପଳାଇ ଯିବାକୁ ଚେଷ୍ଟା କରିବାରୁ ୨ ଜଣ ପିଛା କରିଥିଲେ ।

ଆହୁରି ପଢନ୍ତୁ-Ramayan Drama Clash: ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ କିନ୍ନର ମୁହାଁମୁହିଁ, ଥାନାରେ ହୋହାଲ୍ଲା

ଡେଲିଭେରୀ ବୟଙ୍କ ପିଠିକୁ କଟୁରିରେ ଏକ ଚୋଟ ପକାଇଥିଲେ । ସେ ଚିତ୍କାରି କରିବାରୁ ଆଖପାଖ ଲୋକ ଉଠି ଆସିଥିଲେ । ସେମାନଙ୍କୁ ମଧ୍ୟ ଉକ୍ତ ଲୁଟେରାମାନେ କଟୁରି ଧରି ଗୋଡ଼ାଇଥିଲେ । ଡେଲିଭରି ବୟ ହାତରୁ ମୋବାଇଲ ଛଡ଼ାଇ ସେମାନେ ସେଠାରୁ ପଳାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୪ଟି ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ୍କୁ ନେଇଥିଲା । ଆଖପାଖ ଲୋକଙ୍କ ସୂଚନା ମୁତାବକ ପୁଲିସ ୩ ଲୁଟେରାଙ୍କୁ ବିଭିନ୍ନ ଆଡେ ଖୋଜାଖୋଜି କରୁଥିବା ଜଣାପଡ଼ିଛି।