ଦିଗପହଣ୍ଡି,୦୫/୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଆଙ୍କୋରଡ଼ା ଗାଁରେ ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ କିନ୍ନର ମୁହାଁମୁହିଁ ହୋଇଛନ୍ତି । ଦୁଇ ପକ୍ଷ ମାରପିଟ୍ ହୋଇ ମାମଲା ଥାନାରେ ପହଞ୍ଚିଛି । ତେବେ ଉଭୟ ପକ୍ଷ କିନ୍ନରମାନେ ରାତି ପ୍ରାୟ ସାଢ଼େ ୧୦ଟାରେ ଦିଗପହଣ୍ଡି ଥାନା ଆଗରେ ପହଞ୍ଚି ହୋହାଲ୍ଲା କରିଛନ୍ତି । ଫଳରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି ।

ଅଧିକ ପଢ଼ନ୍ତୁ :-  କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍; କଣ୍ଡକ୍ଟର ମୃତ,୧୦ ଆହତ

ଆଙ୍କୋରଡ଼ା ଗାଁରେ ଠାକୁରାଣୀ ଯାତ୍ରା ଅବସରରେ ନାଟକ ପରିବେଷଣ ବେଳେ ଗତ ମାସ ୧୨ ତାରିଖରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମଞ୍ଚ ନିକଟରେ ହିଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଫଳରେ ନାଟକ ପରିବେଷଣ ବନ୍ଦ ରହିଥିଲା । ସେହି ନାଟକ ଗୁରୁବାର ମଞ୍ଚସ୍ଥ ହେଉଥିଲା । ଏଥିରେ ନଳିହାଡ଼ ଓ କଉଡ଼ିଆ ଦୁଇ ଦଳ ନାଟକ ପରିବେଷଣ କରୁଥିଲେ । ତେବେ ପ୍ରତିଯୋଗିତାମୂଳକ ନାଟକ ପରିବେଷଣ ବେଳେ ଉଭୟ ଦଳର କିନ୍ନର କୌଣସି କାରଣକୁ ନେଇ ମୁହାଁମୁହିଁ ହୋଇଥିଲେ । ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏଥିର କିଛି କିନ୍ନର ଆହତ ହୋଇଥିବା ଜଣାପଡ଼ିଛି । ଉଭୟ ଗୋଷ୍ଠୀ ଦିଗପହଣ୍ଡି ଥାନାକୁ ଆସି ଅଭିଯୋଗ କରିବା ପରେ ଅପରାହ୍ଣ ୫ଟାରେ ପୁଲିସ ଆସି ନାଟକ ବନ୍ଦ କରିଥିଲା । ତେବେ ଘଟଣା ଏତିକିରେ ଥମି ନଥିଲା । ଉଭୟ ପକ୍ଷ କିନ୍ନର ରାତିରେ ଥାନା ଆଗରେ ପହଞ୍ଚି ହୋହାଲ୍ଲା କରିଛନ୍ତି ।

ଉଭୟ ପକ୍ଷ ଘଟଣାର ଉଚିତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ୍ ଥାନା ଆଗରୁ ଯିବୁ ନାହିଁ ବୋଲି କହୁଛନ୍ତି । ଫଳରେ ଥାନା ଇଲାକାରେ କିନ୍ନରଙ୍କ ଭିଡ଼ ସହ ଉତ୍ତେଜନା ଲାଗି ରହିଛି । ତେବେ ଅପରାହ୍ଣ ଘଟଣା ନେଇ ଥାନାରେ କୌଣସି କେସ୍ ରୁଜୁ ହୋଇ ନଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି ।