ଭୁବନେଶ୍ୱର,୨୨/୦୪ : ସାମପୁର ଜମି କେଳାଙ୍କାରୀ ଘଟଣାର ଫର୍ଦ୍ଦ ଦିନକୁ ଦିନ ଖୋଲୁଛି । ସରକାରୀ ଜମିରେ ବିଦ୍ୟୁତ୍‌ ଏବଂ ପାଣି ଯୋଗାଇ ଦିଆଯାଉଥିଲା । ଏଥିପାଇଁ ଆଦାୟ ହେଉଥିଲା ମୋଟା ଅଙ୍କର ଟଙ୍କା । ଏନେଇ ଭରତପୁର ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏହାର ଗୁମର ଖୋଲିବାରେ ଲାଗିଛି । ସାମପୁରରେ ୯୨୬ଟି ଘରକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ଏହି ଉଚ୍ଛେଦ ସମୟରେ ନୂଆ ତଥ୍ୟ ସାମ୍ମାକୁ ଆସିଥିଲା । ଗୋଟିଏ ବି ଖୁଣ୍ଟ ପଡ଼ିନଥିଲା । ହେଲେ ସମସ୍ତ ଘରେ ଜଳୁଥିଲା ଆଲୁଅ । ଏହାର ତର୍ଜମା କଲା ବେଳେ ଜଣାପଡ଼ିଥିଲା, ମାଟି ତଳେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା । ଆଉ ଏଥିପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିଲା । ଜଣେ ବ୍ୟକ୍ତି ଏନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତି ଘରୁ ୧୦ ହଜାର ଟଙ୍କା ଆଦାୟ କରାଯାଉଥିଲା । ଏହି ଟଙ୍କା ଭାଗବଣ୍ଟ ହୋଇ ଉପରକୁ ଯାଉଥିଲା । ଏ କଥା ଜାଣୁଥିଲେ ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀ । ଖାଲି ସଂଯୋଗ କରୁନଥିଲେ କୁଆଡ଼େ ମାସକୁ ମାସ ବିନା ବିଲ୍‌ କଲେକସନ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏଥିରେ ବଡ଼ରୁ ସାନ ବାବୁଙ୍କର ଭାଗ ରହୁଥିଲା । ଭରତପୁର ଥାନାରେ ଦିଆଯାଇଥିବା ଏହି ଅଭିଯାଗ ପତ୍ରରେ ସ୍ପଷ୍ଟ ଲେଖା ହୋଇଛି । ଏହା ସହ ଏହାର କଲ ରେକର୍ଡିଂ ମଧ୍ୟ ଭାଇରାଲ ହୋଇଛି । ଖାଲି ବିଦ୍ୟୁତ ନୁହେଁ, ପାଣି ବି ଯୋଗାଇ ଦିଆଯାଉଥିଲା । ସରକାରୀ ଜମିରେ ପିଏଚ୍‌ଡି ପାଣି ମିଳୁଥିଲା । ଏହା ସହ ନଳକୂପ ଖୋଳା ହୋଇଥିଲା । ବିଏମ୍‌ସି ପକ୍ଷରୁ ପ୍ରତିଦିନ ଅଳିଆ ଗାଡ଼ି ଯାଇ ଅଳିଆ ସଂଗ୍ରହ କରୁଥିଲା । ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା । ମାସକୁ ଏହା ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା ବୋଲି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଏହି ସରକାରୀ ଜମିକୁ ବିକ୍ରି କରି ଦଲାଲ କୋଟି କୋଟି ନେଇ ଛୁ ମାରିଛନ୍ତି । ହେଲେ ସେମାନଙ୍କୁ ପୁଲିସ ଖୋଜି ପାଉନି । ଏପଟେ ଦଲାଲଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଲୋକେ ଭୟ କରୁଛନ୍ତି । 

କାହାର ଅଧ ଏକରର ଫାର୍ମ ହାଉସ?

ସାମପୁର ଜମି କେଳାଙ୍କାରୀର ନୂଆ ଘଟଣା ସମ୍ମାକୁ ଆସିଛି । ଏହି ବେଆଇନ୍‌ ଜବରଦଖଲ ଭିତରେ ଗୋଟିଏ ବିରାଟ ଫାର୍ମ ହାଉସ ଠାବ ହୋଇଛି । ଏହି ଫାର୍ମ ହାଉସ କାହାରେ ବୋଲି ଏବେ ପ୍ରଶ୍ନ ଉଠିଛି । ପ୍ରାୟ ଅଧ ଏକର ସରକାରୀ ଜମିକୁ ମାଡ଼ି ବସି ନିର୍ମାଣ ହୋଇଥିବା ବଡ଼ ଫାର୍ମ ହାଉସ ତିଆରି ହୋଇଛି । ଏଠାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ କିଛି ଲୋକେ । ଏହି ଫାର୍ମହାଉସ ସବୁ କାରସାଦି ଚାଲିଥିଲା । ଏହି ବିଳାସପୂର୍ଣ୍ଣ ଫାର୍ମହାଉସ ଉପରେ ମଧ୍ୟ ବିଡିଏର ବୁଲ ଡ୍ରୋଜର ବୁଲିଛି । ଏହାକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି । ହେଲେ ଫାର୍ମ ହାଉସ ଦାବି କରିବାକୁ କେହି ଆଗକୁ ଆସିଲେ ନାହିଁ । 

ବସ୍ତି ବାସିନ୍ଦାଙ୍କ ସମୂହ ସ୍ୱାର୍ଥରେ ଧାରଣା

ବସ୍ତି ବାସିନ୍ଦାଙ୍କ ସମୂହ ସ୍ୱାର୍ଥରେ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଉଚ୍ଛେଦ ନ କରିବାକୁ ଦାବି ହୋଇଛି । ଅଭିଯୋଗ ହୋଇଛି, ସାମପୁର ମୌଜା ଅଧୀନ ଖାତା ନମ୍ବର ୨୪୫ରେ ଥିବା ବିଭିନ୍ନ ପ୍ଲଟ୍‌ର ପ୍ରାୟ ଏକର ୬୮.୦୦ ଜମିରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ ଗରିବ, କୁଲି ମଜୁରିଆ, ଜମିହୀନ, ବାସହୀନ, ଆଦିବାସୀ ଓ ହରିଜନ ଶ୍ରେଣୀର ୨୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଘର କରି ରହୁଥିବା ବାସିନ୍ଦାଙ୍କୁ ବିନା ନୋଟିସରେ ପୁଲିସ ଲଗାଇ ଓଡିଶା ମୁନିସିପାଲ କର୍ପୋରେସନ୍‌ ଆଇନ୍‌- ୨୦୨୨ ଧାରା ୪୮୨ ଏବଂ ୪୮୩ ଉଲ୍ଲଂଘନ କରି ଭଙ୍ଗାଯାଇଛି । ଜମି ଦଲାଲମାନେ ସରକାରୀ ଜମି ଗରିବ ଲୋକଙ୍କୁ ବିକ୍ରି କରି ଠକିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଦାବି ହୋଇଛି । ସେମାନେ ଆହୁରି ଦାବି କରିଛନ୍ତି, ୫ ଗୋଟି ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲାରେ ଥିବା ବସ୍ତିରେ ୬୫,୦୦୦ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରିଥିବା ବେଳେ ସାମପୁର ମୌଜାରେ ଭୂଦାନ ବସ୍ତି ୧୦୦୦ରୁ ଅଧିକ ପରିବାରକୁ ଏଲ୍‌ଆର୍‌ସି ନ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହି ଖବରଟିକୁ ପଢନ୍ତୁSummer vacation: ଖରାଛୁଟିରେ ଘରେ ପଢ଼ିବେ ଛାତ୍ରଛାତ୍ରୀ, ହ୍ୱାଟ୍ସଆପ୍‌ ଜରିଆରେ ମିଳିବ ପାଠ୍ୟ ବିଷୟବସ୍ତୁ