ଭୁବନେଶ୍ୱର,୨୦/୧୦:ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ତଦନ୍ତ ବେଳେ ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଲକ୍ଷ୍ମୀସାଗରର ସେକ୍ସ ର୍ୟାକେଟ୍ର ଚେର ବାଂଲାଦେଶ ଓ ନେପାଳକୁ ଲମ୍ବିଛି । କେବଳ ଝାଡ଼ଖଣ୍ଡ କି ପଶ୍ଚିମବଙ୍ଗର ଯୁବତୀଙ୍କୁ ନୁହେଁ, ବିଦେଶିନୀମାନଙ୍କୁ ମଧ୍ୟ ଆଣି ଦେହ ବେପାରରେ ଲଗାଯାଉଥିଲା । ଉଦ୍ଧାର ହୋଇଥିବା ୩ ଜଣ ରୂପଜୀବୀଙ୍କୁ ପଚରାଉଚରାରୁ ପୁଲିସ ଜାଣିବାକୁ ପାଇଛି ଯେ ଗତ ଶନିବାର ଗଣମାଧ୍ୟମରେ ଗଣଦୁଷ୍କର୍ମ ଘଟଣା ପ୍ରକାଶ ପାଇଥିଲା । ଖବରକାଗଜ ଦେଖି ହଡ଼ବଡ଼େଇ ଯାଇଥିଲା କିଙ୍ଗପିନ୍ ମଞ୍ଜୁ । ଆଉ ତୁରନ୍ତ ସକାଳୁ ୨ଟି କାର ମଗାଇଥିଲା । କିଛି ବିଦେଶିନୀ ରୂପଜୀବୀଙ୍କ ମୁହଁ ଘୋଡ଼ାଇ ଉକ୍ତ କାରରେ କେଉଁଆଡ଼େ ପଠାଇ ଦେଇଥିଲା । ମଞ୍ଜୁକୁ ରୂପଜୀବୀ ଯୋଗାଉଥିବା ଦେହ ଦଲାଲ୍ଜଣକ ସେମାନଙ୍କୁ ଗାଏବ୍ କରିବା ଦାୟିତ୍ୱ ମୁଣ୍ଡାଇଥିଲା । ସଫଳ ହେଲା ବି ।
ପ୍ରଶ୍ନ ଉଠିଛି, ଦେହ ଦଲାଲ୍ ପୂର୍ବରୁ କେତେ ଜଣ ବିଦେଶିନୀଙ୍କୁ ମଞ୍ଜୁକୁ ଯୋଗାଇଥିଲା? ନେପାଳ ଓ ବାଂଲାଦେଶ ରୂପଜୀବୀମାନଙ୍କୁ କେଉଁ ଉପାୟରେ ଭୁବନେଶ୍ୱରକୁ ଆଣୁଥିଲା? ସେମାନଙ୍କୁ ଭାରତୀୟ ପରିଚୟ ପତ୍ର ଯୋଗାଇବାରେ ଦଲାଲର କିଛି ସମ୍ପୃକ୍ତି ଥିଲା କି? କେବଳ ମଞ୍ଜୁ ନା ସହରର ଅନ୍ୟ ରାଣୀ ମହୁମାଛିମାନଙ୍କୁ ମଧ୍ୟ ବିଦେଶୀ ଲାଳନା ଯୋଗାଉଥିଲା? ପୁଲିସ ଏହି ଦିଗରେ ତଦନ୍ତ ଆଗେଇଛି ।
ଲକ୍ଷ୍ମୀସାଗର ପ୍ଲଟ୍ ନମ୍ବର ଇବି-୩୨୪ସ୍ଥିତ ବିଲ୍ଡିଂରେ ପୁଲିସର ତନାଘନା ବେଳେ ଅନେକ ରୋଚକ ତଥ୍ୟ ହାତେଇଛି ପୁଲିସ । ବିଲ୍ଡିଂର ପ୍ରଥମ ୨ଟି ରୁମ୍ରେ ଶାଢ଼ୀ ଗୋଦାମ ଥିଲା । କିନ୍ତୁ ଭିତର ରୁମ୍ଗୁଡି଼କରେ ସେକ୍ସ ରାକେଟ୍ ଚାଲୁଥିଲା । ରାଜ୍ୟ ବାହାରୁ ଝିଅମାନଙ୍କୁ ଚାକିରିର ଲୋଭ ଦେଖାଇ ଆଣୁଥଲେ, ଆଉ ଏଠି ଦେହ ବେପାରରେ ଲଗାଉଥିଲେ । ପୁଲିସ ଉକ୍ତ ବିଲ୍ଡିଂକୁ ସିଲ୍ କରିଛି ।
ରବିବାର ପୂର୍ବାହ୍ନରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ବେଳେ ଢ଼େର୍ ହଇରାଣ ହୋଇଛି । ଜଣେ ବୟସ୍କା ମହିଳା ଭିତର ପଟୁ ଘରକୁ ତାଲା ପକାଇଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଭିତରେ ପଶି ପାରିଲାନି । ପ୍ରାୟ ଘଣ୍ଟାଏ ଧରି ଘର ଏପାଖ ସେପାଖ ଚକ୍କର କାଟିଥିଲା । ପୁଲିସର ଅନୁରୋଧକ୍ରମେ ଅଜୟ କୁମାର ଲେଙ୍କା ନାମକ ସ୍ଥାନୀୟ ବାସିନ୍ଦା ଏକ ମହଲା ଉପରକୁ ଚଢ଼ି କୋଦାଳରେ କବାଟ ତାଲା ଭାଙ୍ଗିଥିଲେ । ପୁଲିସ ଘରେ ପଶିଥିଲା । ତାଲା ପକାଇଥିବା ମହିଳାଜଣକ ଘର ମାଲିକ ସଞ୍ଜୀବର ମା’ ବୋଲି ପୁଲିସ ଜାଣିବାକୁ ପାଇଥିଲା । ସାଇଣ୍ଟିଫିକ୍ ଟିମ୍ ଉକ୍ତ ବିଲ୍ଡିଂର ପ୍ରତି କୋଠରୀକୁ ଯାଞ୍ଚ କରିଥିଲା । ଉପର ମହଲା ଓ ପଛପାଶ୍ୱର୍ରେ ଥିବା ରୁମ୍ରୁ କିଛି ସନ୍ଦିଗ୍ଧ ପ୍ରମାଣ ମିଳିଥିଲା । ଏହାର ନମୁନା ସଂଗ୍ରହ କରାଯାଇଛି । ଲକ୍ଷ୍ମୀସାଗର ଥାନା ପୁଲିସ ପ୍ରାୟ ୫ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ରେକର୍ଡ କରାଇଛି । ସେମାନେ କହିଛନ୍ତି, ଉକ୍ତ ବିଲ୍ଡିଂ ସାମ୍ନାରେ ଅନେକ ଦାମୀ ଗାଡି଼ ଲାଗୁଥିଲା । ସୁନ୍ଦରୀ ଯୁବତୀମାନେ ଛୋଟ କପଡ଼ା ପିନ୍ଧି ମୁହଁକୁ ଘୋଡ଼ାଇ କାରରେ ବସି ପଳାଉଥିଲେ । ସୂର୍ଯ୍ୟ ଉଇଁବା ପୂର୍ବରୁ ଫେରୁଥିଲେ । ଚୁପ୍ଚାପ୍ ଘର ଭିତରକୁ ପଶିଯାଉଥିଲେ । ଘର ମାଲିକ ରୁବାବ୍ ଦେଖାଉଥିବାରୁ କେହି ମୁହଁ ଖୋଲୁନଥିଲେ ।
୫ ବର୍ଷର ସେକ୍ସ ର୍ୟାକେଟ୍: ମହିଳା ଆୟୋଗ ସଦସ୍ୟ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମହିଳା ଆୟୋଗ । ଆୟୋଗଙ୍କ ଏକ ସ୍ୱତନ୍ତ୍ର ଟିମ୍ କ୍ୟାପିଟାଲ ହସ୍ପିଟାଲର ସଖୀ ସେଣ୍ଟରକୁ ଯାଇ ପୀଡ଼ିତାକୁ ଭେଟିଛନ୍ତି । ଡାକ୍ତର ଓ ସଖୀ ସେଣ୍ଟର କର୍ମକର୍ତ୍ତାଙ୍କଠାରୁ ପୀଡି଼ତାର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର, ପ୍ରତିଭା ଶତପଥୀ ଓ ଇନ୍ସପେକ୍ଟର ସସ୍ମିତା ଦାଶ ଟିମ୍ରେ ସାମିଲ ଥିଲେ । ଶ୍ରୀମତୀ ମହାପାତ୍ର କହିଛନ୍ତି, ପୀଡି଼ତାଠାରୁ ପ୍ରକୃତ ଘଟଣା ପଚାରି ବୁଝିଲୁ । କେମିତି ଜଣେ ଅନାଥ ପିଲାକୁ ଝାଡ଼ଖଣ୍ଡରୁ ଆଣି ଦେହ ବେପାରର କୁତ୍ସିତ ଓ ଘୃଣ୍ୟ କାର୍ଯ୍ୟରେ ଜବରଦସ୍ତି ରଖାଗଲା, ତା’ର ସବିଶେଷ ତଥ୍ୟ ସଂଗ୍ରହ କଲୁ । ହସ୍ପିଟାଲ ପରେ କ୍ୟାପିଟାଲ ଓ ଲକ୍ଷ୍ମୀସାଗର ଥାନାକୁ ଯାଇ ପୁଲିସ ସହ ଆଲୋଚନା କଲୁ । ଲକ୍ଷ୍ମୀସାଗରସ୍ଥିତ ଘଟଣାସ୍ଥଳରେ ମଧ୍ୟ ତନାଘନା କରିଛୁ । ସ୍ଥାନୀୟ ବାସିନ୍ଦାଙ୍କ ମତରୁ ୫ ବର୍ଷ ଧରି ସେଠାରେ ସେକ୍ସ ର୍ୟାକେଟ୍ ଚାଲିଥିବା ସ୍ପଷ୍ଟ ହୋଇଛି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ । ପୁଲିସ ତୁରନ୍ତ ଫେରାର୍ ଦଲାଲକୁ ଗିରଫ କରୁ । ସହରର ବିଭିନ୍ନ ପାର୍ଲର, ସ୍ପା ସେଣ୍ଟର ଓ ଅନ୍ୟ ସନ୍ଦିଗ୍ଧ ବିଲ୍ଡିଂରେ ପୁଲିସ ରିତିମତ ଯାଞ୍ଚ କରୁ ।