ନୂଆଦିଲ୍ଲୀ,୧୦/୦୧: ଆଇସିସି ପକ୍ଷରୁ ଗତ ଡିସେମ୍ବର ମାସର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ପାଇଁ ୩ ଜଣିଆ ତାଲିକା ଘୋଷଣା ହୋଇଛି । ଏହି ତାଲିକାରେ ଭାରତର ଷ୍ଟାର ଓପନିଂ ବ୍ୟାଟର ଶେଫାଳି ବର୍ମା, ଦକ୍ଷିଣ ଆଫ୍ରିକାର ଲୌରା ଉଲଭାର୍ଟ ଏବଂ ସୁନି ଲୁସ୍ ସ୍ଥାନ ପାଇଛନ୍ତି । ଡିସେମ୍ବର ମାସରେ ଶେଫାଳି ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୮୦.୩୩ ଆଭରେଜରେ ମୋଟ ୨୪୧ ରନ୍ ସଂଗ୍ରହ କରିଥିଲେ ।  ଏହି ପ୍ରଦର୍ଶନ ବଳରେ ସେ ପ୍ଲେୟାର ଅଫ୍ ଦ ପୁରସ୍କାର ଜିତିଥିଲେ ।

ଭାରତ ୫-୦ରେ ସିରିଜ ମୂଳପୋଛ କରିଥିଲା । ସେହିପରି ଉଲଭାର୍ଟ ଗତ ଆୟର୍ଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ (୩ଦିନିକିଆ, ୨ଟି-ଟ୍ୱେଣ୍ଟି)ର ପ୍ରଥମ ଟିଟ୍ୱେଣ୍ଟିରେ ୧୧୫ରନ୍ ସଂଗ୍ରହ କରିଥିବାବେଳେ ଦିନିକିଆ ସିରିଜରେ ୨୫୫ ରନ୍ କରିଥିଲେ । ଲୁସ୍ ଏହି ସିରିଜରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦିନିକିଆ ସିରିଜରେ ସେ ୨୦୫ରନ୍ କରିବା ସହ ୪ଟି ୱିକେଟ୍ ନେଇଥିବାବେଳେ ଟି-ଟ୍ୱେଣ୍ଟିରେ ୧୧୮ରନ୍ କରିବା ସହ ୪ଟି ୱିକେଟ୍ ହାସଲ କରିଥିଲେ ।

ମହିଳା ଦିନିକିଆ ବିଶ୍ୱକପରେ ଶେଫାଳିଙ୍କର ସରପ୍ରାଇଜ୍ ଏଣ୍ଟ୍ରୀ ହୋଇଥିଲା । ପ୍ରତୀକା ରାୱଲ ଆହତ ହେବା ପରେ ଶେଫାଳିଙ୍କୁ ବିଶ୍ୱକପ ପାଇଁ ଡକରା ହୋଇଥିଲା । ଏଥିରେ ଦମଦାର ପ୍ରଦର୍ଶନ କରିଥିଲେ ଶେଫାଳି । ମାଷ୍ଟରକ୍ଲାସ ପ୍ରଦର୍ଶନ ବଳରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ସତ ହୋଇଥିଲା । ବୋଲିଂ-ବ୍ୟାଟିଂରେ ଶେଫାଳିଙ୍କ ମାଷ୍ଟରକ୍ଲାସ ଦେଖିବାକୁ ମିଳିଥିଲା । ତାଙ୍କର ଶ୍ରେଷ୍ଠ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଭାରତ ଟାଇଟଲ ସ୍ୱପ୍ନ ପୂରା କରିଥିଲା । ବିଶ୍ୱକପ ଫାଇନାଲରେ ସାଉଥ୍ ଆଫ୍ରିକା ବିପକ୍ଷରେ ୮୭ ରନ୍ ଓ ୨ ୱିକେଟ୍ ନେଇଥିବା ଶେଫାଳି ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ । ବିଶ୍ୱକପ ଫାଇନାଲ ପୂର୍ବ ୭ ଦିନ ତଳେ ଘରେ ବସି ବିଶ୍ୱକପ ମ୍ୟାଚ ଦେଖୁଥିଲେ । ଦଳରେ ନଥିଲେ । ହେଲେ ସେ ବିଶ୍ୱକପ ଫାଇନାଲ ମ୍ୟାଚର ଷ୍ଟାର ବନିଥିଲେ । ପ୍ଲେୟାର ଅଫ୍ ଦି ଫାଇନାଲ ହୋଇଥିଲେ ।