ନୂଆଦିଲ୍ଲୀ ୦୯/୧୦: ଶାହରୁଖ ଖାନ ହିନ୍ଦୀ ସିନେଶିଳ୍ପରେ କିଙ୍ଗ୍‌ ଖାନ ନାମରେ ଜଣାଶୁଣା । ଅନେକ ହିଟ୍‌, ସୁପରହିଟ୍‌, ବ୍ଲକ୍‌ବଷ୍ଟର ଫିଲ୍ମ ସେ ଭେଟି ଦେଇଛନ୍ତି ଦର୍ଶକଙ୍କୁ । କେହି କେହି ତାଙ୍କୁ ରୋମାନ୍‌ସର ବାଦ୍‌ଶା ବୋଲି ବି କହନ୍ତି । ଆକ୍ସନ୍‌ ଏବଂ କମେଡି ବି ଢେର୍‌ କରିଛନ୍ତି ସେ ସିନେମାରେ । ଶାହରୁଖଙ୍କ ଅଭିନୟ ପ୍ରତିଭା, ମେଳାପୀ ସ୍ୱଭାବ ଆଦି ବାବଦରେ ତ ଆପଣ ଊଣା ଅଧିକେ ଜାଣନ୍ତି । ତେବେ ଜାଣନ୍ତି କି ଏଭଳି ଏକ ପ୍ରସଙ୍ଗ ବି ଅଛି, ଯାହାକୁ ଖୁବ୍‌ ଡରନ୍ତି ଶାହରୁଖ? ହଁ, ତାହା ହେଉଛି ଘୋଡ଼ାଚଢ଼ା । ଏକଥା ସେ ନିଜେ କହିଛନ୍ତି ଏକ ସାକ୍ଷାତକାରରେ । 

ଏହି ଅବସରରେ ସେ କହିଥିଲେ ଯେ, ୨୦୦୧ର ଫିଲ୍ମ ‘ଅଶୋକା’ରେ ଘୋଡ଼ା ଉପରେ ବସିବାର ଏକ ଦୃଶ୍ୟ ସୁଟିଂ ହେବାର ଥାଏ । ଘୋଡ଼ାଟି ପ୍ରଥମେ ଆଦୌ ଚାଲିଲା ନାହିଁ, ଆଉ ଯେତେବେଳେ ଚାଲିଲା ଅଟକିଲା ନାହିଁ । ସେ ଖୁବ୍‌ ଡରିଯାଇଥିଲେ । ସେହିପରି ଫିଲ୍ମ ‘କରନ୍‌ ଅର୍ଜୁନ’ର ସୁଟିଂବେଳେ ସେ ଘୋଡ଼ାରୁ ପଡ଼ିଯାଇ ଆହତ ହୋଇଥିଲେ । ‘ବାଜିଗର’ରେ ମଧ୍ୟ ଘୋଡ଼ା ଉପରେ ବସିବାର ଏକ ସିନ୍‌ ଥିଲା, ଯାହା କରିବା ପାଇଁ ଶାହରୁଖ ଆଦୌ ରାଜି ହୋଇନଥିଲେ । ଫଳରେ ତାଙ୍କର ବଡିଡବଲ୍‌ ନିଆଯାଇଥିଲା । ଶାହରୁଖ ଏହି ସାକ୍ଷାତକାରରେ ଆହୁରି କହିଥିଲେ, ଫିଲ୍ମରେ ଘୋଡ଼ାଚଢ଼ା ଦୃଶ୍ୟ କରିବା ପାଇଁ ସେ ସର୍ବଦା ଡରନ୍ତି । ଯଦି କୌଣସି ସିନେମାରେ ସେଭଳି ଦୃଶ୍ୟ ନିହାତି ଦରକାର ଥାଏ, ତା’ହେଲେ ସେଥିପାଇଁ ତାଙ୍କର ବଡିଡବଲ୍‌ର ସହାୟତା ନିଆଯାଏ ।