ଇସଲାମାବାଦ,୧।୧୧: ଋଣ ବୋଝରେ ପାକିସ୍ତାନର ସ୍ଥିତି ସଙ୍ଗୀନ। ଅତ୍ୟାବଶ୍ୟକୀୟ ଜିନିଷଠାରୁ ନେଇ ସବୁକିଛିର ଦର ଏବେ ଆକାଶ ଛୁଆଁ।  ଏହାର ପ୍ରଭାବ ପଡିଛି ପାକିସ୍ତାନର ରାଷ୍ଟ୍ରୀୟ ଏୟାରଲାଇନ୍ସ ପିଆଇଏ ଉପରେ। ଏବେ ଏହାକୁ ଚଳାଇବା ପାକ୍‌ ସରକାରଙ୍କ ପାଇଁ ହୋଇଛି କାଠିକର ପାଠ। କ୍ଷତିରେ ଚାଲିଥିବା ଏୟାରଲାଇନ୍ସକୁ ବିକ୍ରି କରିବା ପକ୍ରିୟା ଆରମ୍ଭ କରିଛନ୍ତି ସରକାର। 

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବା ପିଆଇଏ ବିକ୍ରି କରିବାକୁ ଯାଉଛନ୍ତି ଶେହବାଜ ଶରିଫ ସରକାର। ଏବେ ଏଥିପାଇଁ  ଆରମ୍ଭ ହୋଇଛି ନିଲାମୀ ପକ୍ରିୟା। ତେବେ କିଣିବା ପାଇଁ ଆସିଛନ୍ତି କେବଳ ଜଣେ, ତାହା ପୁଣି ଖୁବ୍ କମ୍ ଦାମ୍‌ରେ। ଇସଲାମାବାଦର ଏକ ହୋଟେଲରେ ହୋଇଥିଲା ଏହି ନିଲାମୀ ପକ୍ରିୟା। ନିଲାମୀ ଡକରାରେ ବ୍ଲୁ ଓ୍ବାର୍ଲ୍ଡ ସିଟି ନାମକ ଏକ ରିୟଲ ଇଷ୍ଟେଟ୍‌ କମ୍ପାନୀ ପିଆଇଏର ୬୦ ପ୍ରତିଶତ ସେୟାର ପାଇଁ ମାତ୍ର ୧୦ ବିଲିୟନ ପାକିସ୍ତାନୀ ଟଙ୍କାରେ କିଣିବାକୁ ରାଜି ହୋଇଛନ୍ତି। ହେଲେ ତାହା ପାକ୍‌ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନ୍ୟୁନତମ ମୂଲ୍ୟ ୮୫ ଅରବ ଟଙ୍କାଠାରୁ ଖୁବ୍ କମ୍। ଏହି ନିଲାମୀ ପକ୍ରିୟାର ସିଧା ପ୍ରସାରଣ ପିଟିଭିରେ  କରାଯାଇଥିଲା। ସରକାରଙ୍କ ବହୁ ଚେଷ୍ଟାପରେ ବି ଅପେକ୍ଷାକୃତ କମ୍ ଦାମ୍‌ ମିଳୁଛି। ତାଛଡା କିଣିବାକୁ ଅନ୍ୟ କେହି ନଆସିବା ଆଉ ଏକ ସଙ୍କଟ ପାଲଟିଛି।

ପାକିସ୍ତାନରେ ପିଆଇଏ  ସହ ଅନ୍ୟ ଏୟାରଲାଇନ୍ସ ଏବେ କ୍ଷତିରେ ଚାଲିଛି। ଏସବୁ ବିକ୍ରି କରିବାର ଚେଷ୍ଟା ଆଇଏମ୍‌ଏଫ୍ ସହ ହୋଇଥିବା ଚୁକ୍ତିର ଅଂଶ, ଯେଉଁଥିରେ ପାକିସ୍ତାନକୁ ୭ ବିଲିୟନ ଡଲାର ଆର୍ଥିକ ସହାୟତା ମିଳିବାର ଅଛି। ଏହି ଯୋଜନା ଅନୁସାରେ, ପାକିସ୍ତାନ ସରକାର ଜୁନ୍‌ରେ ୬ଟି ସଂସ୍ଥାକୁ ପ୍ରି-କ୍ବାଲିଫାଏ କରିଥିଲେ, କିନ୍ତୁ କେବଳ ଗୋଟିଏ ସଂସ୍ଥା ବ୍ଲୁ ଓ୍ବାର୍ଲ୍ଡ ସିଟି ନିଲାମୀ ପକ୍ରିୟାରେ ସାମିଲ ହୋଇଥିଲା।