ନୂଆଦିଲ୍ଲୀ,୧୯।୫: ୟେ ହୈ ଜିଲ୍ଲା ଗାଜିୟାବାଦ... ତୋଡ୍ କେ ଗିଲ୍ଲି ଛୋଡ୍କେ କାଞ୍ଚା ଥାମ୍ ଲିୟା ଜୀ ତମଞ୍ଚା... ଏମିତି ଏକ ଗୀତ ‘ଜିଲ୍ଲା ଗାଜିୟାବାଦ’ ଫିଲ୍ମରେ ରହିଛି। ଯେଉଁଥିରେ ଗାଜିଆବାଦର ଗ୍ୟାଙ୍ଗଷ୍ଟରଙ୍କ କାହାଣୀକୁ ଦେଖାଯାଇଛି। ହେଲେ ଦିଲ୍ଳୀକୁ ଲାଗିଥିବା ଗାଜିଆବାଦର ନ୍ୟାସନାଲ ହାଇଓ୍ବେ-୯ ପାଖରେ ଏଭଳି ଏକ ଗାଁ ରହିଛି, ସେଠାରେ ଗ୍ୟାଙ୍ଗଷ୍ଟର ନୁହେଁ, ପୁରା ଗାଁରେ କେବଳ ପହିଲମାନ ଅଛନ୍ତି। ସେଥିପାଇଁ ଏହାକୁ ‘ପହିଲମାନଙ୍କ ଗାଁ’ ବୋଲି କୁହାଯାଏ। ଆଉ ଏହି ଗାଁର ନାଁ ହେଲା ଶାହପୁର ବାମହେଟା।
ଗାଁର ଯୁବକଙ୍କ ଭିତରେ ରହିଛି ଅତୁଳନୀୟ ସାହସ। ମା’ ଗର୍ଭରୁ ବି କୁସ୍ତି କୌଶଳ ଶିଖି ନିଅନ୍ତି ଶିଶୁ। ସେଥିପାଇଁ କେବଳ ଗୋଟିଏ କି ଦୁଇଟି ନୁହେଁ, ବରଂ ଗାଁର ପ୍ରତ୍ୟେକ ଘରେ ରେସଲର ବା ପହିଲମାନଙ୍କୁ ଦେଖିବାକୁ ମିଳିଥାଏ। ଏହି ଐତିହାସିକ ଗାଁର କାହାଣୀ ପ୍ରାୟ ଦଶମ ଶତାବ୍ଦୀ ସହିତ ଜଡିତ । ଗାଁର ବୟସ୍କ ଲୋକଙ୍କ କହିବା ଅନୁସାରେ, ବହୁ ଶତାବ୍ଦୀ ପୂର୍ବେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ଯଦୁବଂଶୀ ରାଜା ଏ ବାଟ ଦେଇ ତାଙ୍କ ସେନା ସହିତ ଯାଉଥିଲେ ଗୋଟିଏ ଗଧିଆ ଛେଳି ଛୁଆକୁ ଆକ୍ରମଣ କରୁଥିଲା। କିନ୍ତୁ ହାର ମାନିବା ପରିବର୍ତ୍ତେ, ତା'ର ମାଆ ସାହସର ସହିତ ଗଧିଆ ସହିତ ଲଢ଼ିଥିଲା। ଏହାପରେ ଛେଳିଠାରୁ ଜୀବନ ବଞ୍ଚାଇ ପଳାଇଥିଲା ଗଧିଆ। ଏହି ଘଟଣା ଦେଖି, ଲୋକେ କହିଥିଲେ ଯେଉଁ ସ୍ଥାନର ଘାସ ଖାଇ ଗୋଟିଏ ଛେଳି ଏତେ ଶକ୍ତିଶାଳୀ ତାହା କୌଣସି ସାଧାରଣ ସ୍ଥାନ ନୁହେଁ। ସେମାନେ ଏହି ସ୍ଥାନର ନାମ 'ମର୍ଦ୍ଦ ଖେଡା' ରଖିଥିଲେ, ଯାହା ପରେ ‘ବାମହେଟା’ ଭାବରେ ପରିଚିତ ହେଲା।
ଜନସଂଖ୍ୟା ଦୃଷ୍ଟିରୁ, ଗାଜିଆବାଦର ବାମହେଟା ଗାଁରେ ମୁଖ୍ୟତଃ ଯଦୁବଂଶୀ ଆହିର ବା ଯାଦବ ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଗାଁର ମୁଖିଆଙ୍କ ବଂଶକୁ ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ବୋଲି କୁହାଯାଏ। ପ୍ରାଚୀନ କାଳରୁ ସେମାନଙ୍କ ପାଖରେ ଜମି ମାଲିକାନା ରହିଛି। ୧୮ଶ ଶତାବ୍ଦୀରେ କୁନୱର ହମିର ସିଂହ ଯାଦବଙ୍କ ଦ୍ୱାରା ନିର୍ମିତ ‘ଖେଡେ ୱାଲି ହାଭେଲି‘ ର ଅବଶେଷ ଏବେ ବି ଏହି ଗ୍ରାମର ପ୍ରଭାବଶାଳୀ ଏବଂ ଜମିଦାର ଇତିହାସର କାହାଣୀ କୁହେ। ଯଦିଓ ଏବେ ଗାଁରେ ସହର ସହ ମିଶି ମ୍ୟୁନିସିପାଲିଟି
ବାମହେଟାର ମଧ୍ୟ ଏକ ଦୀର୍ଘ ଇତିହାସ ଅଛି। ଏହି ଗାଁରେ, ପିଲା ଜନ୍ମ ହେବା ମାତ୍ରେ, ସେମାନଙ୍କୁ ପ୍ରଥମେ ଆଖଡାର ମାଟି ସହିତ ପରିଚିତ କରାଯାଏ, ଯେଉଁଥିପାଇଁ କୁସ୍ତି ଏଠାକାର ଲୋକଙ୍କ ରକ୍ତରେ ଅଛି। ବାମହେଟା ଏକ କୁସ୍ତି ବିଶ୍ୱବିଦ୍ୟାଳୟଠାରୁ କମ୍ ନୁହେଁ। ଏହି ଗାଁର ଜନସଂଖ୍ୟା ପ୍ରାୟ ୨୫,୦୦୦ ଏବଂ ଅଧିକାଂଶ ଘରେ ବଡ଼ ଏବଂ ଛୋଟ ଉଭୟ ପ୍ରକାରର ରେସଲର ରୁହନ୍ତି। ପୁରା ଗାଁରେ ୧୨ଟି ସକ୍ରିୟ କୁସ୍ତି ଆଖଡ଼ା ଅଛି। ସବୁଠାରୁ ବଡ଼ କୁସ୍ତି ଆଖଡ଼ା ହେଉଛି ବାମହେଟା ଷ୍ଟାଡିୟମ। ଏହି ଆଖଡ଼ା ଜିଲ୍ଲା ସ୍ତରରୁ ଏସୀୟ ସ୍ତର ପର୍ଯ୍ୟନ୍ତ ରେସଲର ସୃଷ୍ଟି କରିଛି। ବର୍ତ୍ତମାନ, ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ରେସଲିଂ ଶିଖୁଛନ୍ତି। ଜଣେ ରେସଲର ତିଆରି ହେବା ପାଇଁ ଅତି କମରେ ଦଶ ବର୍ଷ ସମୟ ଲାଗେ। କୁସ୍ତି ତାଲିମ ନେଉଥିବା ଜଣେ ପିଲାଙ୍କ ପାଇଁ ପ୍ରତି ମାସରେ ଅତି କମରେ ୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ। ସବୁଠାରୁ ଅଧିକ ଖର୍ଚ୍ଚ ହୁଏ ହେଲଦି ଡାଏଟ, ଯେଉଁଥିରେ କ୍ଷୀର, ବାଦାମ, ଦହି ଏବଂ ପ୍ରୋଟିନ୍ ରହିଛି।
ଗାଁରେ ହେଉଥିବା କୁସ୍ତି ପ୍ରତିଯୋଗିତାର ଏତେ ଖ୍ୟାତି ଅଛି ଯେ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଏବଂ ଯୋଗେଶ୍ୱର ଦତ୍ତଙ୍କ ଭଳି ଲିଜେଣ୍ଡ ରେସଲର ମଧ୍ୟ ଏଠାକାର କୁସ୍ତି ଆଖଡାକୁ ଅଭ୍ୟାସ ଏବଂ ଲଢ଼ିବାକୁ ଆସି ସାରିଛନ୍ତି। ବାମହେଟାର ମାଟି ଦେଶ ଓ ରାଜ୍ୟକୁ ୬୦ରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ରେସଲର ଦେଇଛି। ଗାଜିଆବାଦର ନାଁ ଅନ୍ତର୍ଜାତୀୟ କୁସ୍ତୀ ସ୍ତରରେ ରହିଛି। ସବୁଠାରୁ ଅଧିକ ଶ୍ରେୟ ରହିଛି ଜଗଦୀଶ ପହିଲମାନଙ୍କର, ଯିଏକି ୧୯୫୦ ରେ ଦେଶ ଦୁନିଆରେ ଚର୍ଚ୍ଚାରେ ରହିଥିଲେ। ଲଗାତାର ୪ ବର୍ଷ ଯାଏଁ କୁସ୍ତି ଚାମ୍ପିଅନ୍ ଥିଲେ। ବର୍ତ୍ତମାନ ସମୟ ବଦଳିଛି ସହରୀକରଣ ହୋଇଛି। ଗାଁର କ୍ଷେତରେ ବଡ ବଡ ବିଲ୍ଡିଂ ହୋଇଛି। ତଥାପି କୁସ୍ତୀ ପ୍ରତି ଭଲପାଇବା କମିନି। ରେସଲିଂ କେବଳ ଏକ ସଉକ୍ ନୁହେଁ, କ୍ୟାରିୟର ପାଲଟିଛି। ସ୍ପୋର୍ଟ କୋଟାରେ ବହୁ ଯୁବକ ରେଲଓ୍ବେ, ପୋଲିସ ଏବଂ ସେନା ଭଳି ସରକାରୀ ଚାକିରୀ କରି ଦେଶ ସେବା କରୁଛନ୍ତି। ଆଧୁନିକତାର ସ୍ପର୍ଶ ପାଇଥିଲେ ବି ଏ ଗାଁ ନିଜର ଖେଳ ପରମ୍ପରାକୁ ବଞ୍ଚାଇ ରଖିଛି।