ମୁମ୍ବାଇ,୧୫\୭ : ବଲିଉଡ଼ ସୁପର ଷ୍ଚାର ଶାହାରୁଖଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ବସ୍ତି । ଶାହାରୁଖଙ୍କ ବଙ୍ଗଳା 'ମନ୍ନତ'ରେ ହେଉଥିବା ନୂଆ ନିର୍ମାଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଖାରଜ ହୋଇଛି । ଜଣେ ଆବେଦନକାରୀ ମାମଲାରେ ଦାବି କରିଥିଲେ ଯେ 'ମନ୍ନତ'ରେ ପରିବେଶ ସମ୍ବଦ୍ଧିତ ନିୟମ ପାଳନ ହେଉ ନାହିଁ । କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ।
ମୁମ୍ବାଇର ସାମାଜିକ କର୍ମୀ ସନ୍ତୋଷ ଦୌଣ୍ଡକର କହିଛନ୍ତି ଯେ ଶାହରୁଖ ଖାନ ଜଣେ ଫିଲ୍ମ ଷ୍ଟାର ଭାବରେ ତାଙ୍କ ଉପଲବ୍ଧିର ଫାଇଦା ପାଉଛନ୍ତି । ବେଳାଭୂମି ସ୍ଥଳରେ ଉପକୂଳ ନିୟନ୍ତ୍ରଣ କ୍ଷେତ୍ର (CRZ) ସହିତ ଜଡିତ ପରିବେଶଗତ ନିୟମାବଳୀ ପ୍ରଯୁଜ୍ୟ, କିନ୍ତୁ ସେଗୁଡ଼ିକୁ ଅଣଦେଖା କରାଯାଇଛି । ସେ ଜାତୀୟ ସବୁଜ ଟ୍ରିବ୍ୟୁନାଲ (NGT)ଙ୍କ ପାଖକୁ ମଧ୍ୟ ଯାଇଥିଲେ, କିନ୍ତୁ NGT ତାଙ୍କ କଥା ଶୁଣି ନଥିଲେ। କୋର୍ଟ NGTକୁ ମାମଲାର ପୁନଃ ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ଉଚିତ୍।
ଦୌଣ୍ଡକରଙ୍କ ଦାବି ଥିଲା ଯେ ଅଧିକାରୀମାନେ ପରିବେଶଗତ ନିୟମାବଳୀକୁ ଠିକ୍ ଭାବରେ ପାଳନ କରି ନାହାଁନ୍ତି ।ନିର୍ମାଣର ଆବଶ୍ୟକ ଅନୁମୋଦନ ଭୁଲ ବାଟରେ ପ୍ରାପ୍ତ ହୋଇଛି । ତାଙ୍କ ଆବେଦନକୁ NGTର ପୁଣେ ବେଞ୍ଚ ସେପ୍ଟେମ୍ବର 2025ରେ ଖାରଜ କରିଦେଇଥିଲେ। ଟ୍ରିବ୍ୟୁନାଲ୍ କହିଥିଲେ ଯେ ଆବେଦନକାରୀ ତାଙ୍କ ଅଭିଯୋଗକୁ ସମର୍ଥନ କରିବା ପାଇଁ ବିଶ୍ୱସନୀୟ ପ୍ରମାଣ ଦେବାରେ ବିଫଳ । ଆବେଦନକାରୀଙ୍କ କହିବା କଥା ଯେ ମନ୍ନତ ଏକ ଐତିହ୍ୟ କୋଠା । ଏଥିରେ ଯେକୌଣସି ପରିବର୍ତ୍ତନ କିମ୍ବା ସମ୍ପ୍ରସାରଣ କେବଳ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ କରାଯାଇପାରିବ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହା ଉପରେ ଆଲୋଚନା କରିଥିଲେ ଏବଂ ତାଙ୍କର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ ବିଚାରପତି କହିଥିଲେ, "ଯିଏ ଯେଉଁଠାରେ ରୁହନ୍ତି ସେଠାର ନିୟମ ଅନୁଯାୟୀ କିଛି ପରିବର୍ତ୍ତନ କରି ପାରିବେ। ସେ ଫିଲ୍ମ ଷ୍ଟାର ହୁଅନ୍ତୁ କି ସାଧାରଣ ଲୋକ। ଏକଥାରେ ଆମକୁ କିଛି ଫରକ ପଡ଼ିବନି।
ସୂଚନା ମୁତାବକ ,ବର୍ତ୍ତମାନ ଶାହାରୁଖ ମନ୍ନତରେ ରହୁ ନାହାଁନ୍ତି । ସେ ଏବେ ଭଡ଼ା ଘରେ ରହୁଛନ୍ତି । ପାଲି ହିଲ୍ ରେ ଥିବା ଜ୍ୟାକି ଭଗନାନୀଙ୍କ ପୂଜାକାସା ଆପାର୍ଟମେଣ୍ଟକୁ ସିପ୍ଟ ହୋଇଛନ୍ତି କିଙ୍ଗ ଖାନ୍ । ସେ ସେଠାରେ ୨ ବର୍ଷ ଯାଏଁ ରହିବାର ସୂଚନା ମିଳିଛି । ଏହା ସହିତ ଅଭିନେତା ୨ଟି ଡୁପ୍ଲେକ୍ସ ଭଡ଼ାରେ ନେଇଛନ୍ତି ବୋଲି ଜଣା ପଡ଼ିଛି ।