ଭୁବନେଶ୍ୱର, ୧୧/୧୦ : ପୂଜାରେ ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିବେ ଶକ୍ତି ବାହିନୀ। ଗୁରୁବାର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ "ଶକ୍ତିବାହିନୀ' ଗଠନ କରାଯାଇଛି। ଏହା ଦୁର୍ଗା ପୂଜା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ। ତା’ଛଡା ରୋଡ୍ ରୋମିଓଙ୍କ ଉପରେ ମଧ୍ୟ ନଜର ରଖିବେ। 

ଶକ୍ତି-ବାହିନୀରେ ୪୦ ଜଣ ପୁଲିସ୍‌ ଅଧିକାରୀ ଅଛନ୍ତି। ଏମାନେ ୨୦ଟି ମଟର ସାଇକେଲ୍‌ରେ ବିଭିନ୍ନ ପୂଜା ମଣ୍ଡପ ବୁଲିବେ। ଏହି ପାଟ୍ରୋଲିଂ ଟିମ୍‌ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ରୋକିବା ବା ନିରୁଦ୍ଦିଷ୍ଟ ଶିଶୁଙ୍କୁ ଉଧାର କରିବାରେ ସହଯୋଗ କରିବେ। ଏହି ପାଟ୍ରୋଲିଂ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚର କାମ କରିବ। ମହିଳା ପାଟ୍ରୋଲିଂ ଟିମ୍‌କୁ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ନିୟୋଜିତ କରାଯିବ। ଜଣେ ଲେଖଏଁ ମହିଳା ଏସ୍‌ଆଇ(ପିଏସ୍‌ଆଇ) ଟିମ୍‌ର ଦାୟିତ୍ୱ ନେବେ।