ନୂଆଦିଲ୍ଲୀ,୧୯/୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବଢ଼ାଇପାରେ । ଦ୍ୱିତୀୟ ଥର ପାଇଁ  ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟ ମିଆଦ ବଢ଼ିପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଏକ ସୂତ୍ରରୁ ଜଣାପଡ଼ିଛି । ଯଦି ଏହା ହୁଏ ତେବେ ୧୯୬୦ ପରଠାରୁ ସେ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ପଦରେ ସର୍ବାଧିକ ବର୍ଷ ରହିଥିବା ଗଭର୍ଣ୍ଣର ହେବେ । ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବରରେ ଆର୍‌ବିଆଇ ଗଭର୍ଣ୍ଣର ନିଯୁକ୍ତ ହେବା ପୂର୍ବରୁ ଶ୍ରୀ ଦାସ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶାସନରେ ସବୁଠାରୁ ଭରସାଯୋଗ୍ୟ ଅନ୍ୟତମ ଅଧିକାରୀ ଥିଲେ । ଡିସେମ୍ବର ୧୦ରେ ଶ୍ରୀ ଦାସଙ୍କ ଏହି କାର୍ଯ୍ୟକାଳ ଶେଷ ହେଉଛି । ଅବଧି ବଢ଼ିଲେ ସେ ଆର୍‌ବିଆଇରେ ସର୍ବାଧିକ ବର୍ଷ ସେବା ପ୍ରଦାନ କରିଥିବା ଗଭର୍ଣ୍ଣର ପାଲଟିବେ । ତାଙ୍କ ପୂର୍ବରୁ ୧୯୪୯ରୁ ୧୯୫୭ ଯାଏ ସାଢ଼େ ୭ ବର୍ଷ ଗଭର୍ଣ୍ଣର ଥିଲେ ବେନେଗାଲ ରାମା ରାଓ । ବର୍ତ୍ତମାନ ପାଇଁ ଆର୍‌ବିଆଇର ମୁଖ୍ୟ ପଦ ପାଇଁ ଶକ୍ତିକାନ୍ତଙ୍କ ଛଡ଼ା ଅନ୍ୟ କାହାରି ନାଁକୁ ବିଚାରକୁ ନିଆଯାଉନାହିଁ । 

ଏହାଛଡ଼ା କୌଣସି ଚୟନ କମିଟି ମଧ୍ୟ ଗଠନ କରାଯାଇନାହିଁ । ତେବେ ଦାସଙ୍କ କାର୍ଯ୍ୟକାଳ ଅନ୍ୟୁନ ବର୍ଷେ ପାଇଁ ବଢ଼ାଯାଇପାରେ ବୋଲି ଅନୁମାନ ରହିଛି । ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ର ନିର୍ବାଚନ ପରେ ଏ ନେଇ ଘୋଷଣା କରାଯାଇପାରେ । ତେବେ ଶକ୍ତିକାନ୍ତଙ୍କ ପୁନଃ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନି । ପିଏମ୍‌ଓ ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଅଧିକାରୀ ଜଣକ କହିଛନ୍ତି । ଶ୍ରୀ ଦାସ ଓଡ଼ିଆ ପୁଅ ହୋଇଥିବା ବେଳେ କେନ୍ଦ୍ର ଅର୍ଥ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୮ ଡିସେମ୍ବର ୧୨ରେ ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ଣ୍ଣର ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । ସେ ୧୫ତମ ଅର୍ଥ ଆୟୋଗର ସଦସ୍ୟ ଏବଂ ଜି୨୦ରେ ଭାରତର ସେରପା ଭାବେ ମଧ୍ୟ ଅବସ୍ଥାପିତ ଥିଲେ । ଅର୍ଥମନ୍ତ୍ରଣାଳୟର ଦୀର୍ଘକାର୍ଯ୍ୟ ଅବଧି ମଧ୍ୟରେ ୮ଟି କେନ୍ଦ୍ରୀୟ ବଜେଟ ପ୍ରସ୍ତୁତିରେ ସେ ସକ୍ରିୟ ଭାବେ ଯୋଗଦାନ ଦେଇଥିଲେ । 

ସେହିଭଳି ସେ ୱାର୍ଲଡ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି), ନିୟୁ ଡେଭଲପମେଣ୍ଟ ବ୍ୟାଙ୍କ (ଏନ୍‌ଡିବି) ଏବଂ ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଣ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ରେ ଭାରତର ବିକଳ୍ପ ଗଭର୍ଣ୍ଣର ଭାବେ ମଧ୍ୟ କାର୍ଯ୍ୟ ଅଭିଜ୍ଞତା ହାସଲ କରିଥିଲେ ।ଏହା ସହ ସେ ଆଇଏମ୍‌ଏଫ୍‌, ଜି୨୦, ବ୍ରିକ୍ସ ଏବଂ ସାର୍କ ଭଳି ବିଶ୍ୱ ସ୍ତରୀୟ ଫୋରମରେ ସେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ବିମୁଦ୍ରୀକରଣ ପରେ କେନ୍ଦ୍ରୀୟ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ସମୟରେ ଶ୍ରୀ ଦାସଙ୍କୁ ଆର୍‌ବିଆଇର ଦାୟିତ୍ୱ ଭାର ମିଳିଥିଲା । ଦେଶର ଅର୍ଥନୀତି ମହାମାରୀରେ ଏକ ଆହ୍ୱାନପୂର୍ଣ୍ଣ ସ୍ଥିତ ଦେଇ ଗତି କରୁଥିବା ବେଳେ ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଅର୍ଥନୀତିକୁ କେନ୍ଦ୍ରୀୟ ବ୍ୟାଙ୍କର ଯୋଗଦାନ ଆଧାରରେ ଶକ୍ତିକାନ୍ତଙ୍କୁ ଲଗାତାର ଦ୍ୱିତୀୟ ଥର ଲାଗି ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କ ଆୱାର୍ଡ ପ୍ରଦାନ କରିଛି । ଏ ପ୍ଲସ ରେଟିଂ ପାଇଛନ୍ତି ଶ୍ରୀ ଦାସ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରାରେ ସ୍ଥିରତା, ରେପୋ ରେଟ୍‌ କ୍ଷେତ୍ରରେ ସଫଳତା ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଶକ୍ତିକାନ୍ତଙ୍କୁ ଏଭଳି ସମ୍ମାନ ପ୍ରଦାନ କରିଛି ଗ୍ଲୋବାଲ ଫାଇନାନ୍ସ ।