ନୂଆଦିଲ୍ଲୀ,୯।୨: ଏନସିପି (ଏସପି) ଅଧ୍ୟକ୍ଷ ଶରଦ ପାୱାର ଅସୁସ୍ଥ। ହଠାତ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବାରାମତୀରୁ ନିଆଯାଇ ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶରଦ ପାଓ୍ବାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜ୍ବର ଏବଂ କାଶ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହି ସମସ୍ୟା କାରଣରୁ ତାଙ୍କର ଚିକିତ୍ସା ଜାରି ରହିଛି।

ସୋମବାର ବାରାମତୀର କାଠେୱାଡିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ  ମୃତ୍ୟୁର ୧୩ ଦିନ  ପାଳନ ହେଉଥିଲା। ଏଥିରେ ଶରଦ ପାୱାର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ସାମିଲ ହେବାର ଥିଲା। କିନ୍ତୁ ଶରଦ ପାୱାର ହଠାତ ଆଜି ସକାଳୁ ଅସୁସ୍ଥ ହୋଇଯାଇଥିଲେ। ଏହି କାରଣରୁ ସେ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନଥିଲେ।

ମିଳିଥିବା ସୂଚନା ଅନୁସାରେ, ଶରଦ ପାୱାର ସକାଳୁ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ। ଏଥିପାଇଁ ଏକ ଡାକ୍ତରୀ ଟିମ୍ ସକାଳୁ ବାରାମତୀର ଗୋବିନ୍ଦବାଗ୍ ସ୍ଥିତ ତାଙ୍କ ବାସଭବନରେ ପହଁଞ୍ଚିଥିଲେ। ଡାକ୍ତରୀ ଟିମ୍ ପାୱାରଙ୍କ ନିୟମିତ ଯାଞ୍ଚ ଜାରି ରଖିଛନ୍ତି। ପାୱାରଙ୍କୁ ପୁନେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ତାଙ୍କ ସହ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଥିଲେ। କୁହାଯାଉଛି ଯେ,କିଛି ଦିନ ହେବ ଶରଦ ପାୱାର ଅସୁସ୍ଥ ଅଛନ୍ତି। ୨-୩ ମାସ ହେବ ସାର୍ବଜନୀନ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଛନ୍ତି। କିନ୍ତୁ ପୁତୁରା ଅଜିତ ପାୱାରଙ୍କ ମୃତ୍ୟୁ ପରେ ସେ ହଠାତ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭେଟିବା ଆରମ୍ଭ କରିଥିଲେ। ସେ ଲଗାତାର ତିନି ଦିନ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ବିତାଇଥିଲେ। ଯେଉଁଠି ପୂର୍ବରୁ ଅଜିତ ପାୱାର ରହୁଥିଲେ। ସେଠାରେ ଦଳର ନେତା ଓ ଶୁଭଚିନ୍ତକ ଶୋକ ପ୍ରକାଶ କରିବାକୁ ଏକାଠି ହୋଇଥିଲେ।