ନୂଆଦିଲ୍ଲୀ,୦୪/୧୧: ଆମେରିକା ଦ୍ୱାରା ରୁଷ୍ର ତେଲ କମ୍ପାନୀ ରୋସନେଫ୍ଟ ଏବଂ ଲୁକୋଏଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାପରେ ଭାରତକୁ ରୁଷ୍ର ତୈଳ ଯୋଗାଣରେ ତୀବ୍ର ହ୍ରାସ ହୋଇଛି । ବିଶ୍ୱ ତଥ୍ୟ କୋମାଡିଟି ତଥ୍ୟ ଏବଂ ବିଶ୍ଳେଷଣ ଅନୁସାରେ, ଅକ୍ଟୋବର ୨୭ରେ ରୁଷ୍ରୁ ଭାରତକୁ ରପ୍ତାନୀ ହୋଇଥିବା ଅଶୋଧିତ ତୈଳ ରପ୍ତାନୀ ହାରାହାରି ୧.୧୯ ନିୟୁତ ବ୍ୟାରେଲ ଅଛି । ଯାହା ପୂର୍ବ ଦୁଇ ସପ୍ତାହରେ ପ୍ରତିଦିନ ୧.୯୫ ନିୟୁତ ବ୍ୟାରେଲ ଥିଲା ।
ରୋସନେଫ୍ଟ ଏବଂ ଲୁକୋଏଲ୍ର ଯୋଗାଣ ହ୍ରାସ- ରୁଷ୍ର ଦୁଇଟି ବୃହତ୍ତମ ତୈଳ କମ୍ପାନୀ ରୋସନେଫ୍ଟ ଏବଂ ଲୁକୋଏଲ୍ର ଉପରେ ଲାଗିଥିବା କଟକଣା ତୈଳ ଯୋଗାଣକୁ ସିଧାସଳଖ ପ୍ରଭାବିତ କରିଛି । ଅକ୍ଟୋବର ୨୭ ତାରିଖରେ ଶେଷ ହୋଇଥିବା ରୋସନେଫ୍ଟର ଭାରତରେ ତୈଳ ରପ୍ତାନୀ ପ୍ରତିଦିନ ୦.୮୧ ନିୟୁତ ବ୍ୟାରେଲକୁ ହ୍ରାସ ପାଇଛି । ଯାହା ପୂର୍ବରୁ ଦିନକୁ ପ୍ରାୟ ୧.୪୧ ନିୟୁତ ବ୍ୟାରେଲ ଥିଲା । ସେହିପରି ଲୁକୋଏଲରୁ ମଧ୍ୟ ଭାରତକୁ କୌଣସି ତୈଳ ପଠାଣର ରେକର୍ଡ ନାହିଁ । ସୁଏଜ କେନାଲ ଦେଇ ରୁଷରୁ ଭାରତକୁ ତେଲ ଟ୍ୟାଙ୍କଗୁଡିକ ପହଞ୍ଚିବାକୁ ପ୍ରାୟ ଗୋଟିଏ ମାସ ସମୟ ଲାଗେ । ତେଣୁ ବିଶେଷଜ୍ଞମାନଙ୍କ ଅନୁସାରେ ଆମେରିକା ଦ୍ୱାରା ନିର୍ଦ୍ଧାରିତ ନଭେମ୍ବର ୨୧ ତାରିଖର ସମୟସୀମା ପୂର୍ବରୁ କମ୍ ତେଲ ପଠାଯାଇଥିବାରୁ ଏହି ହ୍ରାସ ଘଟିଛି । ପୂର୍ବରୁ ଚୁକ୍ତି ଅନୁସାରେ ତୈଳ ବିତରଣ ଭାରତୀୟ ବନ୍ଦରଗୁଡିକରେ ପହଞ୍ଚିବା ଜାରି ରହିବ ।
ବନ୍ଦ ହେବନି ତୈଳ ଆମଦାନୀ- ଡିସେମ୍ବର ଓ ଜାନୁଆରୀରେ ରୁଷ ତୈଳ ଆମଦାନୀରେ ବଡ଼ ହ୍ରାସ ହେବା ଅନୁମାନ କରାଯାଉଛି । ହେଲେ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହେବା ସମ୍ଭାବନା କମ । କାରଣ ରୁଷୀୟ ତୈଳ ମୂଲ୍ୟ ଭାରତୀୟ ବଜାରରେ ଅଧିକ । ଯେ ପର୍ଯ୍ୟନ୍ତ ଭାରତ ସରକାର ଆମଦାନୀ ଉପରେ ରୋକ୍ ଲାଗାଇ ନାହାନ୍ତି, ସେପର୍ଯ୍ୟନ୍ତ ଭାରତକୁ ରୁଷ୍ ତୈଳ ଆସିବ । ଭାରତୀୟ ତୈଳ ବିଶୋଧନାଗାର ଏବେ ପଶ୍ଚିମ ଏସିଆ, ଫଶ୍ଚିମ ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଉତ୍ତରଆମେରିକାରୁ ଅଧିକ ତେଲ କିଣିବାକୁ ପ୍ରସ୍ତୁତ ହେଉଛନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଗ୍ରାହକ । ଏହା ପ୍ରାୟ ୮୮ ପ୍ରତିଶତ ଆମଦାନୀ କରିଥାଏ । ଅକ୍ଟୋବରରେ ଭାରତର ତୈଳ ଆମଦାନୀ ପ୍ରତିଦିନ ପ୍ରାୟ ୧.୬୨ ନିୟୁତ ବ୍ୟାରେଲ ଥିଲା । ଯାହା ସେପ୍ଚେମ୍ବରରେ ୧.୬୧ ନିୟୁତ ବ୍ୟାରେଲ ସହ ସମାନ ।