ନୂଆଦିଲ୍ଲୀ, ୨୪/୧ : କଂଗ୍ରେସର ବରିଷ୍ଠ ନେତା ଏବଂ ଲୋକସଭା ସାଂସଦ ଶଶି ଥରୁର ଦଳ ପ୍ରତି ତାଙ୍କର ଅସନ୍ତୋଷର କଳ୍ପନାଜଳ୍ପନା ମଧ୍ୟରେ ଶନିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଯାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନକୁ ପବିତ୍ର ବୋଲି ମାନିଥାନ୍ତି । ୨୦୧୬ରେ ଆମେରିକୀୟ କଂଗ୍ରେସକୁ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣକୁ ଉଦ୍ଧୃତ କରି ସେ କହିଛନ୍ତି ଯେ, ସେହି ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନକୁ ତାଙ୍କର ପବିତ୍ର ଗ୍ରନ୍ଥ ଭାବରେ ବର୍ଣ୍ଣନା କରିଥିଲେ।

କେରଳର କୋଝିକୋଡ଼ରେ ଆୟୋଜିତ କେରଳ ସାହିତ୍ୟ ମହୋତ୍ସବ (KLF)କୁ ସମ୍ବୋଧିତ କରି ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ସମୟର ପରୀକ୍ଷାରେ ସଫଳ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ବିଧାନ ଏପରି ଏକ ସମୟ ମଧ୍ୟ ଦେଖିଛି ଯେତେବେଳେ ଏକ ଦଳ ସରକାରକୁ ଆସିଲା, ଯାହାର ଆଦର୍ଶ ପୂର୍ବପୁରୁଷ, RSS କେବେ ଖୋଲାଖୋଲି ଭାବରେ ସମ୍ବିଧାନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ସତ୍ତ୍ୱେ, ସମ୍ବିଧାନ ବଞ୍ଚି ରହିଛି।

ସେ ମନେ ପକାଇଥିଲେ ଯେ, ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା କି ଦଳ ସମ୍ବିଧାନକୁ ଉଚ୍ଛେଦ କରିପାରେ । ଏହି ସମୟରେ ସେ ଆରଏସଏସ ବିଚାରକ କେ.ଏନ. ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ନୂତନ ସମ୍ବିଧାନର ଡ୍ରାଫ୍ଟ ପ୍ରସ୍ତୁତ କରୁଥିବା ରିପୋର୍ଟ ବି ଉଲ୍ଲେଖ କରିଥିଲେ ।