ନୂଆଦିଲ୍ଲୀ, ୦୪/୦୪ : କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ।  ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଘେରିଗଲେ ଦୁର୍ବୃତ୍ତ। ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ। ଶୁକ୍ରବାର ଶଶି ଥରୁର କେରଳ ମଲ୍ଲପୁରମ୍ ଜିଲ୍ଲାର ୱାଣ୍ଡୁରରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ଥିରୁବଲ୍ଲୀ ଚେଲ୍ଲିଥୋଡୁ ପୋଲ ନିକଟରେ କିଛି ଲୋକ ତାଙ୍କୁ ଅଟକାଇଥିଲେ। ତାଙ୍କ କାରକେଡ୍ କୁ ଅଟକାଇ ମାରପିଟ୍ କରିଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖିଛି। ଦୁଇଟି ଗାଡି ଜବତ କରିଛି। 

ଶଶି ଥରୁର ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଗତକାଲି ରାତିରେ ମୋ ସୁରକ୍ଷାକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ମୁଁ ଚିନ୍ତିତ। ସେ ଏବେ ଠିକ୍ ଅଛନ୍ତି। ମୁଁ ଠିକ୍ ଅଛି। ମୋର ସମସ୍ତ ଶୁଭଚିନ୍ତକଙ୍କୁ ଧନ୍ୟବାଦ। ଏହି ବାଧାବିଘ୍ନ ଆଗରେ ମୁଁ ନଇଁବିନି। ସମସ୍ତ କାର୍ଯ୍ୟକ୍ରମକୁ ସଫଳ ଭାବେ ପୂରଣ କରିଛି। ଆଗକୁ ବି ଏହି ଧାରା ଜାରି ରହିବ। 

ସୂଚନା ଥାଉକି, ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ସମୟରେ କଂଗ୍ରେସ ସାଂସଦ ଶଶି ଥରୁର ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ଥିରୁବଲ୍ଲୀ ଚେଲ୍ଲିଥୋଡୁ ପୋଲ ନିକଟରେ ଦୁଇଟି ବାଇକ୍ ରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କ ରାସ୍ତା ଓଗାଳିଥିଲେ। ଥରୁରଙ୍କ ସୁରକ୍ଷାକର୍ମୀ ଏବଂ ଡ୍ରାଇଭର୍ ସେମାନଙ୍କୁ ଘଉଡ଼ାଇବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଛାନଭିନ୍ ଚଳାଇଛି। ଖୁବ୍ ଶୀଘ୍ର ଆଉ ୨ ଜଣଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। 

ଏହି ଖବରଟିକୁ ପଢନ୍ତୁ- ଭାରତ ଆସୁଥିବା ଇରାନୀ ତେଲ ଟ୍ୟାଙ୍କର ଚୀନ୍‌ ପଳାଇଲା, ଜାହାଜ ଟ୍ରାକିଂ ସଂସ୍ଥା କେପଲର ସୂଚନା