ମୁମ୍ବାଇ,୧୪/୦୮: ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ତାଙ୍କ ବିରୋଧରେ ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ମୁମ୍ବାଇର ଜୁହୁ ପୁଲିସ ଷ୍ଟେସନରେ ବ୍ୟବସାୟୀ ଦୀପକ କୋଠାରୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ସୂଚନା ଅନୁଯାୟୀ, ଆର୍ଥିକ ଅପରାଧ ଶାଖା ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଠାରୁ ୬୦ କୋଟି ଟଙ୍କାର ଠକେଇ ହୋଇଥିବା ନେଇ ମାମଲା ରୁଜୁ କରିଛି। ପ୍ରକୃତରେ, ଏହି ମାମଲା ଶିଳ୍ପା ଏବଂ ରାଜଙ୍କ ବନ୍ଦ ହୋଇଥିବା ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ପାଇଁ ଋଣ ଏବଂ ନିବେଶ ଚୁକ୍ତି ସହିତ ଜଡିତ ବୋଲି କୁହାଯାଉଛି।ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କୁ ୨୦୧୫-୨୦୨୩ ମଧ୍ୟରେ ବ୍ୟବସାୟ ବିସ୍ତାର ପାଇଁ ୬୦.୪୮ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସେ ଏହାକୁ ବ୍ୟକ୍ତିଗତ ଖର୍ଚ୍ଚ ଭାବରେ ଖର୍ଚ୍ଚ କରିଥିଲେ। କେବଳ ଏତିକି ନୁହେଁ, ଦୀପକ କୋଠାରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ୨୦୧୫ରେ ଜଣେ ଏଜେଣ୍ଟ ରାଜେଶ ଆର୍ଯ୍ୟଙ୍କ ମାଧ୍ୟମରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ ଆସିଥିଲେ। ଉଭୟ ସେତେବେଳେ ଅନଲାଇନ୍ ସପିଂ ପ୍ଲାଟଫର୍ମ, ବେଷ୍ଟ ଡିଲ୍ ଟିଭିର ନିର୍ଦ୍ଦେଶକ ଥିଲେ। ସେହି ସମୟରେ ଶିଳ୍ପା ଶେଟ୍ଟୀଙ୍କର କମ୍ପାନୀରେ ୮୭ ପ୍ରତିଶତରୁ ଅଧିକ ସେୟାର ଥିଲା।
ସୂଚନା ଅନୁଯାୟୀ, ଏହି ଡିଲ୍ ପାଇଁ ସେମାନେ ୬୦ କୋଟି ଟଙ୍କାରୁ ଅଧିକ ଦେୟ ଦେଇଛନ୍ତି। କୋଠାରୀ କୁହନ୍ତି ଯେ, ଶିଳ୍ପା ସେଟ୍ଟୀ ତାଙ୍କୁ ଏପ୍ରିଲ ୨୦୧୬ ରେ ଏକ ବ୍ୟକ୍ତିଗତ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। କିନ୍ତୁ କିଛି ମାସ ପରେ, ଅର୍ଥାତ୍ ସେପ୍ଟେମ୍ବରରେ ସେ କମ୍ପାନୀ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ, କମ୍ପାନୀ ବିରୁଦ୍ଧରେ ୧.୨୮ କୋଟି ଟଙ୍କାର ଦେବାଳିଆ ମାମଲା ସାମ୍ନାକୁ ଆସିଥିଲା। ସେ କହିଛନ୍ତି ଯେ, ସେ ବାରମ୍ବାର ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା। ଯାହା ପରେ କୋଠାରୀ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେପଟେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।